ଗୋବରୀ ନଦୀରେ କଲ୍ୟାଣମଣ୍ଡପ ନିର୍ମାଣକୁ ବିରୋଧ

ଚଣ୍ଡିଖୋଲ : ବଡ଼ଚଣା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତବାସୀଙ୍କ ପାଇଁ ଗୋବରୀ ନଦୀକୂଳରେ ନିର୍ମାଣ ହେଉଥିବା କଲ୍ୟାଣମଣ୍ଡପକୁ ପଞ୍ଚାୟତର କେତେକ ଚାଷୀ ବିରୋଧ କରିଛନ୍ତି। ଏହି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ଜିଲ୍ଲାପାଳ ସମେତ ପାଟନାଳୀ ବିଭାଗ ମୁଖ୍ୟଯନ୍ତ୍ରୀ,ପଞ୍ଚାୟତିରାଜ ବିଭାଗ ସଚିବ, ଦର୍ପଣ ତହସିଲଦାର ଓ ବଡଚଣା ବିଡ଼ିଓଙ୍କ ପାଖରେ ଦାବି କରିଛନ୍ତି ।

ଅଭିଯୋଗ ମୁତାବକ ସରକାରଙ୍କ ପକ୍ଷରୁ ନିର୍ମାଣ ହେଉଥିବା ଏହି କଲ୍ୟାଣମଣ୍ଡପଟି ଗୋବରୀନଦୀ ଗର୍ଭରେ ନିର୍ମାଣ କରାଯାଉଛି । ପଣସୁଧା ଗ୍ରାମର ମାତାମଠ ନିକଟରେ ଗୋବରୀ ନଦୀରେ ନିର୍ମାଣ ହୋଇଥିବା ସେତୁ ପୋଖରେ ନଦୀଭିତର କିଛି ଅଂଶକୁ ପୋତାଯାଇ ଏହାକୁ ନିର୍ମାଣ କରାଯାଉଥିବାରୁ ନଦୀପାଣି ପ୍ରବାହରେ ସମସ୍ୟା ସୃଷ୍ଟି ହେବ । ଗୋବରୀ ନଦୀରେ ବନ୍ୟା ଆସିଲେ ଏଠାରେ ବନ୍ୟାଜଳ ନିଷ୍କାସନ ହେବାରେ ବାଧା ସୃଷ୍ଟି ହେବ । ଫଳରେ ବଡ଼ଚଣା,ମାହାଙ୍ଗା ଓ ଡେରାବିଶ ଆଦି ତିନି ଗୋଟି ବ୍ଲକ ଅଞ୍ଚଳର ହଜାର ହଜାର ଚାଷ ଜମି ପ୍ରଭାବିତ ହେବ ବୋଲି ଚାଷୀମାନେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ସେହିପରି ପୂର୍ବ ବନ୍ୟା ସମୟରେ ଏହି ନିର୍ମାଣସ୍ଥଳ ନିକଟରେ ଘାଇ ସୃଷ୍ଟି ହୋଇଥିବା ନେଇ ଚାଷୀମାନେ ସୂଚନା ଦେଇଛନ୍ତି । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି ।

ସମ୍ବନ୍ଧିତ ଖବର