ଚନ୍ଦ୍ରଗିରି: ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ପାଣ୍ଡି ଅଧୀନ ଲବାରସିଂ ପଞ୍ଚାୟତ ୪ ନମ୍ବର ୱାର୍ଡ଼ ଝୁଲା ସାହିରେ ନୂତନ ମାର୍କେଟ୍ କମ୍ପ୍ଲେକ୍ସ୍ ନିର୍ମାଣକୁ ବିରୋଧ କରି ଆଜି ଉତ୍ତେଜନା ଦେଖାଦେଇଛି। ଝୁଲା ସାହିବାସିନ୍ଦା ଆଜି ସକାଳ ୮ଟାରୁ ସକାଳ ୧୧ଟା ପର୍ଯ୍ୟନ୍ତ ବ୍ରହ୍ମପୁର-ପାରଳାଖେମୁଣ୍ଡି ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ଫଳରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଉଭୟ ପାର୍ଶ୍ବରେ ଅନେକ ଯାନବାହନ ଅଟକି ଥିଲା। ଏହାସହ ବିପକ୍ଷବାଦୀ ଝୁଲା ସାହି-ଲବାରସିଂ ଗ୍ରାମର ସପକ୍ଷବାଦୀ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରେ ମୋହନା ପୁଲିସ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ମୋହନା ତହସିଲ୍ ଚନ୍ଦ୍ରଗିରି ରାଜସ୍ବ ମଣ୍ତଳ ଅଧୀନରେ ଥିବା ଝୁଲାସାହିର ଏକ ଜମିରେ ପଞ୍ଚାୟତ ପକ୍ଷରୁ ମାର୍କେଟ କମ୍ପ୍ଲେକ୍ସ୍ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ସାହିବାସିନ୍ଦା ଓ ୪ ନମ୍ବର ୱାର୍ଡ଼ମେମ୍ବରଙ୍କୁ ଏବିଷୟରେ ଆଦୌରୁ ଅବଗତ କରାଯାଇ ନଥିଲା। ଏହି ନିଷ୍ପତ୍ତିକୁ ବିରୋଧ ୨୫ ପରିବାର ଆଜି ରାଜରାସ୍ତାକୁ ଓହ୍ଲାଇଥିଲେ।
ସେମାନଙ୍କ ଅଭିଯୋଗ ହେଉଛି, ଉକ୍ତ ଜମିରେ ମାର୍କେଟ କମ୍ପ୍ଲେକ୍ସ୍ ନିର୍ମାଣ ନକରି ବାସଗୃହ ନିମନ୍ତେ ଏହାକୁ ପ୍ରଦାନ କରାଯାଉ । କାରଣ କିଛି ବର୍ଷ ତଳେ ଜମି ଆନ୍ଦୋଳନ ବେଳେ ପ୍ରଶାସନ ପକ୍ଷରୁ କିଛି ଗ୍ରାମବାସୀଙ୍କୁ ଉକ୍ତ ଜମିରେ ଥଇଥାନ୍ କରାଯାଇଥିଲା। ସେଠାରେ ୮ରୁ ୧୦ ଜଣ କୁଡ଼ିଆ ଘର କରି ରହୁଥିଲେ। ଯାହାକି ଗତବର୍ଷ ତିତଲି ବାତ୍ୟାରେ ଭାଙ୍ଗିଯାଇଥିଲା। କିନ୍ତୁ ଲବାରସିଂ ସରପଞ୍ଚ କିଛି ବ୍ୟକ୍ତିଙ୍କୁ ନେଇ ସେଠାରେ ମାର୍କେଟ କମ୍ପ୍ଲେକ୍ସ୍ ନିର୍ମାଣ ପାଇଁ ଜେସିବି ମାଧ୍ୟମରେ ଫାଉଣ୍ଡେସନ୍ ଖୋଳିଥିଲେ। ଏହାର ଦୁଇଦିନ ପରେ ଝୁଲା ସାହି ବାସିନ୍ଦା ମେଳି ହୋଇ ଫାଉଣ୍ଡେସନରେ ମାଟି ପକାଇବା ସହ ଘର ତିଆରି ପାଇଁ କାଠ ପୋତିଥିଲେ। ଏହାପରେ ସରପଞ୍ଚ ଅଭିମନ୍ୟୁ ରଇତ ଏନେଇ ମୋହନା ତହସିଲଦାରଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। କାଠ ସମେତ ବିଭିନ୍ନ ସାମଗ୍ରୀକୁ ବାହାର କରି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରଖାଯାଇଥିଲା।
ଏହାକୁ ନେଇ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣକୁ ସପକ୍ଷ କରୁଥିବା ଗୋଷ୍ଠୀ ଓ ବିପକ୍ଷ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ମୋହନା ତହସିଲଦାର ଆପୋଷ ଆଲୋଚନାରେ ଏହାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଆଜି ସକାଳେ ହଠାତ୍ ସରପଞ୍ଚ ଓ ସମର୍ଥକ ମାନେ ଉକ୍ତ ଜାଗାରେ ପହଞ୍ଚି ସେଠାରେ କାମ ଆରମ୍ଭ ପାଇଁ ପ୍ରସ୍ତୁତ ହେଉଥିଲେ। ଯାହାକୁ ଝୁଲା ସାହିବାସିନ୍ଦା ମେଳି ବାନ୍ଧି ବିରୋଧ କରିଥିଲେ। ଯାହାକୁ ନେଇ ପୁଣି ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ବିପକ୍ଷବାଦୀ ସକାଳ ୮ଟାରୁ ରାସ୍ତାରୋକ କରିଥିଲେ। ଚନ୍ଦ୍ରଗିିରି ଫାଣ୍ତି ଆଧିକାରୀ ନିରଞ୍ଜନ ପାଣିଗ୍ରାହୀ ଓ ମୋହନା ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ଉଭୟ ପକ୍ଷରୁ ଲିଖିତ ଅଭିଯୋଗ ପାଇଁ ପରାମର୍ଶ ଦିଆଯାଇଥିଲା। ସରପଞ୍ଚ ଅଭିମନ୍ୟୁ ୧୮ ଜଣ ବିଶୃଙ୍ଖଳାକାରୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ସେହିପରି ଝୁଲା ସାହି ବାସିନ୍ଦାଙ୍କ ପକ୍ଷରୁ ବି ପାଲଟା ଏତଲା ଦିଆଯାଇଛି।