ଛତିଶଗଡ଼ର କୁକରାଲ ଡ୍ୟାମ ନିର୍ମାଣକୁ ବିରୋଧ: କମାରପାଲ୍ଲୀରେ ବିଶାଳ ଜନସମାବେଶ

ପାଣିରେ ସଂପୂର୍ଣ୍ଣ ବୁଡ଼ିଯିବ ୪୮ ଗାଁ, ବକ୍ସାଇଟ୍ ଖଣି ଖନନ ପ୍ରସଙ୍ଗ ବି ଉଠିଲା

ମାଲକାନଗିରି/ମାଥିଲି: କୋଲାବ ନଦୀ ଜଳକୁ ଅଟକାଇବା ପାଇଁ ଛତିଶଗଡ଼ ସରକାର ଆରମ୍ଭ କରିଛନ୍ତି କୁକରାଲ ଡ୍ୟାମ୍ ପ୍ରକଳ୍ପ। ଏହି ମେଗା ପ୍ରକଳ୍ପ ଦ୍ବାରା ଛତିଶଗଡ଼ର ଅନେକ ଅଞ୍ଚଳ ଜଳସେଚନ ହୋଇପାରିବ। ଅନ୍ୟପଟେ କ୍ଷତିଗ୍ରସ୍ତ ହେବ ଓଡ଼ିଶାର ଅନେକ ଅଞ୍ଚଳ। ବହୁ ଜନବସତି ସହ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହେବ। ଜୀବିକା ହରାଇ ବିସ୍ଥାପିତ ହେବେ ଶହ ଶହ ପରିବାର। ତେଣୁ ତୁରନ୍ତ ପ୍ରକଳ୍ପ କାମ ବନ୍ଦ କରିବା ଦାବିରେ ଓଡ଼ିଶାରେ ସ୍ବର ତୀବ୍ର ହୋଇଛି । ଏଥିସହ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କମାରପାଲ୍ଲୀ ଠାରେ ଆଜି ଏକତ୍ରିତ ହୋଇଛନ୍ତି ୧୨ଖଣ୍ଡ ଗାଁର ଶତାଧିକ ପରିବାର।

ଛତିଶଗଡ଼ର ସୀମାକୁ ଲାଗି ରହିଛି ମାଥିଲି ବ୍ଲକ୍‌ ଅନ୍ତର୍ଗତ ମହୁପଦର ଏବଂ କମାରପାଲ୍ଲୀ ପଞ୍ଚାୟତ। ଉଭୟ ପଞ୍ଚାୟତ ମହକୁମା ଠାରୁ କିଛି କିଲୋମିଟର ଦୂରରେ ରହିଛି ଛତିଶଗଡ଼ର କୁକରାଲ। ଏଠାରେ କୋଲାବ ନଦୀ ଜଳକୁ ଅଟକାଇବା ପାଇଁ ପଡ଼ୋଶୀ ରାଜ୍ୟ ସରକାର ଡ୍ୟାମ ନିର୍ମାଣ କାମ ଆରମ୍ଭ କରିଛନ୍ତି। ପୁଣି ଏହି ଅଞ୍ଚଳରେ ହିଁ ବକ୍ସାଇଟ ଖନନ ପାଇଁ ସରକାର ଲିଜ୍ ପ୍ରଦାନ କରିଛନ୍ତି। ଡ୍ୟାମ୍ ନିର୍ମାଣ ଦ୍ବାରା ୭ଟି ପଞ୍ଚାୟତର ପ୍ରାୟ ୪୮ ଗାଁ ପାଣିରେ ସଂପୂର୍ଣ୍ଣ ବୁଡ଼ିଯିବ। ସେହିପରି ପ୍ରସ୍ତାବିତ ଖଣି ଖନନ କରାଗଲେ ଚାଷ ଜମି ସହ ଜଙ୍ଗଲ ନଷ୍ଟ ହେବାର ସମ୍ଭାବନା ରହିଛି। ପରିବେଶ ବି ପ୍ରଦୂଷିତ ହେବ। ତେଣୁ ତୁରନ୍ତ ଉଭୟ ପ୍ରକଳ୍ପକୁ ବନ୍ଦ କରିବାକୁ ଆଜି ଆଦିବାସୀ ସଂଘ ଏବଂ ଅଂଚଳବାସୀ ଦାବି କରିଛନ୍ତି।

ଆଦିବାସୀ ସଂଘର ନେତାମାନେ କହିଛନ୍ତି ଯେ, କୁକରାଲ ଡ୍ୟାମ ନିର୍ମାଣ ହେଲେ ଲୋକେ ବିସ୍ଥାପିତ ହେବେ। ଖଣି ଖନନ ଏବଂ ଡ୍ୟାମ୍ ନିର୍ମାଣ ହେଲେ ଛତିଶଗଡ଼ ସରକାର ଏବଂ ଲୋକ ଲାଭବାନ ହେଲେ। ଓଡ଼ିଶାର କୌଣସି ପ୍ରକାର ଲାଭ ହେବ ନାହିଁ, କେବଳ କ୍ଷତି ହିଁ ହେବ। ଏ ସଂକ୍ରାନ୍ତରେ ସଂଘ ପକ୍ଷରୁ ବିଡିଓଙ୍କୁ ଦାବି ପତ୍ର ଦିଆଯାଇଛି। ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ସାରାଜିଲ୍ଲାରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଆଦିବାସୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର