ରେଳ ଓଭରବ୍ରିଜ୍‌କୁ ନିର୍ମାଣକୁ ବିରୋଧରୁ ଉତ୍ତେଜନା

୧୫୦ରୁ ଅଧିକ ଆନ୍ଦୋଳନକାରୀ ଗିରଫ, ଘଟଣାସ୍ଥଳରେ ୧୪୪ ଧାରା ଜାରି

ରାଉରକେଲା: ବହୁ ପ୍ରତୀକ୍ଷିତ ବନ୍ଧମୁଣ୍ଡା କୁକୁଡା ଗେଟ୍‌ ରେଳ ଓଭରବ୍ରିଜ (ଆର୍‌ଓବି) ନିର୍ମାଣକୁ ଆରମ୍ଭରୁ ବିରୋଧ କରାଯାଉଛି। ଜିଲ୍ଲା ପ୍ରଶାସନ ଜାତୀୟ ଜନଜାତି କମିଶନଙ୍କ ନିର୍ଦ୍ଦେଶକୁ ଅବମାନନା କରିବା, ଜମି ହରାଇଥିବା ବିସ୍ଥାପିତଙ୍କୁ ଜମି ବଦଳରେ ଜମି ଦେବା ଓ ଅନ୍ୟାନ୍ୟ ଦାବି ନେଇ ବନ୍ଧମୁଣ୍ଡା ଆଞ୍ଚଳିକ ସୁରକ୍ଷା କମିଟି ଆର୍‌ଓବିକୁ ନିର୍ମାଣକୁ କଡା ବିରୋଧ କରାଯାଉଛି। ସୋମବାର ସକାଳେ ସୁରକ୍ଷା କମିଟିର ଡେମେ ଓରାମଙ୍କ ନେତୃତ୍ବରେ ପ୍ରାୟ ୩୦୦ରୁ ଅଧିକ ପୁରୁଷ ମହିଳା ଆର୍‌ଓବି ନିର୍ମାଣସ୍ଥଳରେ ପହଞ୍ଚି କାମକୁ ବନ୍ଦ କରିଥିଲେ। ଯାହାକୁ କେନ୍ଦ୍ରକରି ରେଳବାଇ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ।

ଯେ ପର୍ଯ୍ୟନ୍ତ ଜିଲ୍ଲାପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରିଛି ଓ ବିସ୍ଥାପିତଙ୍କ ପରିବାରକୁ ଜମି ବଦଳରେ ଜମି ନ ମିଳିଛି ସେ ପର୍ଯ୍ୟନ୍ତ ନିର୍ମାଣ କାମକୁ ବିରୋଧ କରାଯିବ ବୋଲି ଆନ୍ଦୋଳନକାରୀ କଡା ଚେତାବନୀ ଦେଇଥିଲେ। ପରେ ଆନ୍ଦୋଳନକାରୀ ରାଉରକେଲା-ଝାଡ଼ଖଣ୍ଡ ମୁଖ୍ୟ୍ ରାସ୍ତାକୁ ଅବରୋଧ କରିବା ସହ ଜିଲ୍ଲା ପ୍ରଶାସନ ବିରୋଧୀ ନାରା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଆନ୍ଦୋଳନକାରୀଙ୍କୁ  ନିର୍ମାଣସ୍ଥଳରୁ ହଟିବାକୁ କହିଥିଲେ ହେଁ କିଛି ସୁଫଳ ମିଳି ନଥିଲା।

ପୁଲିସ ବାଧ୍ୟ ହୋଇ ଆନ୍ଦୋଳନକାରୀକୁ ଘଟଣାସ୍ଥଳରୁ ହଟାଇଥିଲେ। ମାତ୍ର ଆନ୍ଦୋଳନକାରୀ ନିଜ ଜିଦ୍‌ରେ ଅଟଳ ରହିଥିଲେ। କିଛି ସୁଫଳ ନ ମିଳିବାରୁ  ପୁଲିସ ପ୍ରାୟ ୧୫୦ରୁ ଅଧିକ ଆନ୍ଦୋଳନକାରୀକୁ ଗିରଫ କରି ରାଉରକେଲା ରିଜର୍ଭ ଲାଇନରେ ଅଟକ ରଖିଥିଲା। ସେପଟେ ଅପ୍ରୀତିକର ପରସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ଉଲ୍ଲେଖଯୋଗ୍ୟ,ରାଉରକେଲା ଦେଇ ଯାଇଥିବା ମୁମ୍ବାଇ- ହାୱଡା ମୁଖ୍ୟ ମାର୍ଗରେ ମୋଟ ୭ଟି ଆର୍‌ଓବି ନିର୍ମାଣ ହେବାକୁ ସ୍ଥିର ହୋଇଥିଲା। ବର୍ତ୍ତମାନ ସୁଦ୍ଧା ବାସନ୍ତୀ କଲୋନି, ଏସ୍‌ଟିଆଇ ଓ ଆଇଟିଆଇ ଆର୍‌ଓବି ନିର୍ମାଣ କାମ ଶେଷ ‌ହୋଇଛି। କଲୁଙ୍ଗାରେ ଦୁଇଟି ଆର୍‌ଓବି ନିର୍ମାଣ କାମ ଜାରି ରହିଛି। ଜାଗା ବିବାଦରୁ ମାଲଗୋଦାମ ଆର୍‌ଓବି ନିର୍ମାଣ କାର୍ଯ୍ୟ ହୋଇପାରୁନି। କୁକୁଡା ଗେଟ୍‌ ଆର୍‌ଓବି ନିର୍ମାଣ କାମ ଆରମ୍ଭ ହୋଇଥିଲେ ବିବାଦ ଯୋଗୁଁ କାମ କଚ୍ଛପ ଗତିରେ ଚାଲିଛି।

ସମ୍ବନ୍ଧିତ ଖବର