ସୁନ୍ଦରଗଡ଼: ରାଜ୍ୟର ସମସ୍ତ ପ୍ରକାର ସରକାରୀ ଜମିରୁ ଜବରଦଖଲ ହଟାଇବାକୁ ମୋହନ ଚରଣ ମାଝୀଙ୍କ ସରକାର ଜୁଲାଇ ୬ ତାରିଖ‌ରେ ନେଇଥିବା ନିଷ୍ପତ୍ତିର କଡ଼ା ପ୍ରତିବାଦ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ। ଶନିବାର ବର୍ଷା ସତ୍ତ୍ବେ ସୁନ୍ଦରଗଡ଼ ରାଜରାସ୍ତାରେ ହଜାରହଜାର ଆଦିବାସୀ ଏହା ବିରୋଧରେ ପ୍ରତିବାଦ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି। ମୋହନ ମାଝୀଙ୍କ ସରକାର ଶାସନକୁ ଆସିବାର ମାତ୍ର ୨ ମାସ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଆଦିବାସୀଙ୍କ ଏପରି ବଡ଼ ଧରଣର ପ୍ରତିବାଦର ସାମ୍ନା କରିଛି।

Advertisment

‘ସୁନ୍ଦରଗଡ଼ ମାଟି ବଞ୍ଚାଅ ମଞ୍ଚ’ ଡାକରାରେ ଜିଲ୍ଲାର କୋଣଅନୁକୋଣରୁ ହଜାର ହଜାର ମହିଳା ଓ ପୁରୁଷ ଆଦିବାସୀ ନିଜ ପିଲାଛୁଆଙ୍କ ସହ ଆସି ପ୍ରତିବାଦରେ ସାମିଲ ହୋଇଥିଲେ। ସ୍ଥାନୀୟ ନାରୀକଲ୍ୟାଣ କେନ୍ଦ୍ରରୁ ଦିନ ୧୨ଟାରେ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ମଞ୍ଚ ସଭାପତି ଆଲବର୍ଟ କିଣ୍ଡୋଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ ମଞ୍ଚର ନେତାମାନେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିର ତୀବ୍ର ନିନ୍ଦା କରିଥିଲେ। କାହିଁ କେଉଁ କାଳରୁ ପିଢ଼ି ପରେ ପିଢ଼ି ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ସରକାର ସରକାରୀ ଜମି ବେଦଖଲ ନାମରେ ଜଙ୍ଗଲ ଜମିରୁ ସେମାନଙ୍କ ଜୀବନଜୀବିକା ଓ ବସତିକୁ ଉଚ୍ଛେଦ କରି ସବୁ ଜମି କମ୍ପାନି ହାତରେ ଟେକି ଦେବାକୁ ଷଡ଼ଯନ୍ତ୍ର ରଚିଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ।

ସରକାର ଏ ନିଷ୍ପତ୍ତି ବା ନିର୍ଦେଶ ତୁରନ୍ତ ପ୍ରତ୍ୟାହାର କରିବା ସହ ପଞ୍ଚମ ଅନୁସୂଚି ଅଞ୍ଚଳ ଅନୁଚ୍ଛେଦ ୨୪୪(୧) ଅନୁସାରେ ଆଦିବାସୀଙ୍କ ଦଖଲ ଜମିକୁ ବନ୍ଦୋବସ୍ତ କରିବା, ଓଡ଼ିଶା ବନ୍ଦୋବସ୍ତ ଆଇନ ୨୦୧୨ ଧାରା ୯(୭) ଅନୁସାରେ ଜମି ବନ୍ଦୋବସ୍ତ, ଜମିହୀନ ଓ ଘରଡିହହୀନଙ୍କୁ ଜମି ଆବଣ୍ଟନ, ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ ଅନୁଯାୟୀ ଶୀଘ୍ର ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଶିରୋନାମା ପ୍ରଦାନ, ବସୁନ୍ଧରା ଯୋଜନାରେ ପାଇଥିବା ୪ ଡିସିମିଲ ଘରଡିହ ପଟ୍ଟାର ଜମି ହସ୍ତାନ୍ତର, ବର୍ଷ ବର୍ଷ ଧରି ଚାଷ ଓ ଘରଡିହ ଭ‌ାବେ ବ୍ୟବହାର କରି ଆସୁଥିବା ଜମିର ପଟ୍ଟା ପ୍ରଦାନ ପାଇଁ ମଞ୍ଚ ଦାବି କରିଛି। ନହେଲେ ସରକାର ଆଗକୁ ଆଦିବାସୀଙ୍କ କଡ଼ା ବିରୋଧର ସମ୍ମୁଖୀନ ହେବେ ବୋଲି ମଞ୍ଚର ନେତାମାନେ ଚେତାବନୀ ଦେଇଥିଲେ।

ପ୍ରତିବାଦ ସଭା ପରେ ମଞ୍ଚର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ପ୍ରତିବାଦ ସଭାରେ ମଞ୍ଚ ଉପଦେଷ୍ଟା ଇଗ୍ନେସ ହାଁସଦା, ରାଜଗାଙ୍ଗପୁର ବିଧାୟକ ଡା. ସିଏସ୍‌ ରାଜେନ ଏକ୍କା, ଆଦିବାସୀ ନେତ୍ରୀ ଆନ୍ନା କୁଜୁର, ସୁମିତ ଡୁଙ୍ଗଡୁଙ୍ଗ, ବିବୋଲ ଟପ୍ପୋ, ପୂର୍ବତନ ବାଚସ୍ପତି କିଶୋର ପଟେଲ, ବରିଷ୍ଠ ନେତା ରାଜକିଶୋର ଷଡ଼ଙ୍ଗୀ, ବେଣୁମାଧବ ତ୍ରିପାଠୀ, ଦେବାଶିଷ ଦାସଙ୍କ ସମେତ କେଶରମାଲ ସରପଞ୍ଚ ବିନୟ ଭୂଷଣ ବାର୍ଲା, ଝରଗପୁର ସରପଞ୍ଚ ଲଳିତ ଲାକ୍ରା, ସରପଞ୍ଚ ଇମାନ୍ତୁସ କୁଜୁର, ଅଲଣ୍ଡା ସରପଞ୍ଚ ଅଜିତ ଏକ୍କା, ସୋଲ ସରପଞ୍ଚ ମନୋଜ ମିର୍ଦ୍ଧା, ସଦର ବ୍ଲକ ସରପଞ୍ଚ ରାଜକିଶୋରୀ ଏକ୍କା, କୁଆ‌ରମୁଣ୍ଡା ବ୍ଲକ୍‌ ସରପଞ୍ଚ ସୁମିତା କିଣ୍ଡୋ, କୁତ୍ରା ବ୍ଲକ୍‌ ସରପଞ୍ଚ ସୁଧିର ମିଞ୍ଜ, ଇଲିୟାସ ତିର୍କି, ଜୋହନ କେର୍କେଟା, ହୀରାମଣି ମିଞ୍ଜ, ରାଜଗାଙ୍ଗପୁର ପୌରପାର୍ଷଦ ସୂଚିସ୍ମିତା‌ ଟିରୁ, ଲିଲିମା ବା, ମଞ୍ଜୁଳା କୁଜୁର, ରିଲା ସୁଶୀଳା ଟପ୍ପୋ, ପୀୟୂଷ ମିଞ୍ଜ, ବିକ୍ରମ ଟପ୍ପୋ, ଇଭା ପ୍ରତିମା ଲାକ୍ରା ପ୍ରମୁଖ ସାମିଲ ହୋଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ।