କୋଣାର୍କ : କୋଣାର୍କ-ପୁରୀ ବେଳାମାର୍ଗ ପାର୍ଶ୍ବରେ ଥିବା ଜଙ୍ଗଲ ଜମିକୁ ଇଡ୍‌କୋକୁ ପ୍ରଦାନ ନିଷ୍ପତ୍ତିକୁ ବିରୋଧ କରାଯାଇଛି। ଏହି ଜଙ୍ଗଲଜମି ଇଡ୍‌କୋକୁ ପ୍ରଦାନ କରାଗଲେ ପରିବେଶ ସନ୍ତୁଳନ ଉପରେ କୁପ୍ରଭାବ ପଡ଼ିବା ସହିତ ବନ୍ୟଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି ହେବ। ତେଣୁ ରାଜ୍ୟ ସରକାର ଇଡ୍‌କୋକୁ ଜମି ପ୍ରଦାନ ନିଷ୍ପତ୍ତିର ପୁର୍ନବିଚାର କରିବା ସହିତ ଜମି ହସ୍ତାନ୍ତର ପ୍ରକ୍ରିୟା ବନ୍ଦ ରଖିବା ପାଇଁ ପ୍ରେରଣାର ଅଧ୍ୟକ୍ଷ ତଥା ଖୋର୍ଦ୍ଧାର ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ଦାବି କରିଛନ୍ତି। ଏ ନେଇ ପ୍ରେରଣା ପକ୍ଷରୁ ଆଜି ଚନ୍ଦ୍ରଭାଗାରେ ଏକ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।

Advertisment

ମିଳିଥିବା ସୂଚନା ମୁତାବକ ବେଳାମାର୍ଗ ପାର୍ଶ୍ବରେ ରାଜ୍ୟ ସରକାର ପ୍ରାୟ ୭୦ ଏକର ଜମି ଇଡ୍‌କୋକୁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଜମିରେ ୫୦ ହଜାରରୁ ଅଧିକ ଝାଉଁ ଓ କାଜୁଗଛ ରହିଛି। ଇଡ୍‌କୋକୁ ଜମି ପ୍ରଦାନ ପାଇଁ ଗଛଗୁଡ଼ିକ କାଟିବା ପାଇଁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ନେଇ ସୂଚନା ମିଳିବା ପରେ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ‘ପ୍ରେରଣା’ ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ବେଳାମାର୍ଗ ପାର୍ଶ୍ବରେ ଥିବା ଜଙ୍ଗଲରୁ ଗଛ କଟାଯିବା ଦ୍ବାରା ବନ୍ୟା, ବାତ୍ୟା ହେଲେ କ୍ଷୟକ୍ଷତି ବଢ଼ିବା ଆଶଙ୍କା ରହିଛି ବୋଲି ପ୍ରେରଣାର ଅଧ୍ୟକ୍ଷ ଡ. ଶ୍ରୀଚନ୍ଦନ କହିଛନ୍ତି। ଯଦି ଗଛ କଟାଯାଏ ତେବେ ଲୁଣା ପବନ ସିଧା ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ସଂସ୍ପର୍ଶରେ ଆସି ବିରଳ କୀର୍ତ୍ତିରାଜିକୁ କ୍ଷତି ପହଞ୍ଚାଇବ। ତେଣୁ ସରକାର ଇଡ୍‌କୋକୁ ଜମି ପ୍ରଦାନ ପାଇଁ ନିଷ୍ପତ୍ତିରୁ ବିରତ ରହିବ‌ାକୁ ଡ. ଶ୍ରୀଚନ୍ଦନ ଦାବି କରିଛନ୍ତି। ଯଦି ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତିରୁ ନ ଓହରନ୍ତି ତେବେ ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯିବ। ଆବଶ୍ୟକ ହେଲେ ରାଜ୍ୟ ସରକାରଙ୍କ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ଦାୟର ହେବ। ଆଜି ଚନ୍ଦ୍ରଭାଗାରେ ଅନୁଷ୍ଠିତ ପ୍ରତିବାଦ ଶୋଭାଯାତ୍ରାରେ ପରିବେଶପ୍ରେମୀ ମୀର ଅହମଦ, ଜ୍ଞାନରଂଜନ ବିଶ୍ବାଳ, ଯୁବ ସଂଗଠକ ଗୋପୀନାଥ ସ୍ବାଇଁ, କରମଙ୍ଗା-ଶ୍ରୀକଣ୍ଠପୁର ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କମିଟି ସଭାପତି ଭାଗୀରଥି ସ୍ବାଇଁ, ନୃସିଂହ ନାୟକଙ୍କ ସମେତ ଇଡିସିର ସଦସ୍ୟ ଯୋଗ ଦେଇଥିଲେ।