ଯୋଡ଼ା: ବିନା ନୋଟିସରେ ଦୋକାନ ଉଚ୍ଛେଦକୁ ବିରୋଧ

ଯୋଡ଼ା : ଯୋଡ଼ା ସହରରେ ଫ୍ଲାଏଓଭର ନିର୍ମାଣ ପାଇଁ ବିନା ନୋଟିସରେ ଦୋକାନ ଘର ଉଚ୍ଛେଦକୁ ବ୍ୟବସାୟୀମାନେ ବିରୋଧ କରିଛନ୍ତି। ବିରୋଧ ଯୋଗୁଁ ଉଚ୍ଛେଦ କାର୍ଯ୍ୟକୁ ପ୍ରଶାସନ ସ୍ଥଗିତ ରଖିଛି।

ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି, ସେମାନେ ପୌରପାଳିକାରୁ ଅନୁମତି ନେଇ ନିଜସ୍ୱ ଖର୍ଚ୍ଚରେ ଦୋକାନ ଘର ନିର୍ମାଣ କରି ମଧ୍ୟ ପୌରପାଳିକାକୁ ମାସିକ ଭଡ଼ା ପ୍ରଦାନ କରୁଛନ୍ତି।  ଚଳିତ ବର୍ଷ ନଭେମ୍ବର ମାସ ପର୍ଯ୍ୟନ୍ତ ସେମାନେ ଦୋକାନ ଘର ଭଡ଼ା ଦାଖଲ କରିଛନ୍ତି।  ଦୋକାନ ଉଚ୍ଛେଦ ପାଇଁ କୌଣସି ନୋଟିସ ନ ଦେଇ ମଙ୍ଗଳବାର ପ୍ରଶାସନ ଉଚ୍ଛେଦ କରିବାକୁ ହଠାତ ପ୍ରସ୍ତୁତି ଆରମ୍ଭ କରିଥିଲା। ପୋଷ୍ଟ ଅଫିସ୍ ନିକଟରେ ଦୋକାନ ଗୃହ ଗୁଡ଼ିକୁ ଭାଙ୍ଗିବାକୁ ଉଦ୍ୟମ କରୁଥିବାବେଳେ ଏହାକୁ ବ୍ୟବସାୟୀମାନେ ବିରୋଧ କରିଥିଲେ। ଏ ନେଇ ସମସ୍ତ ବ୍ୟବସାୟୀ ଏକାଠି ହୋଇ ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ବଡ଼ବିଲ ତହସିଲଦାର ଆଲୋକ ପଟେଲ, ଯୋଡ଼ା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି।

ପ୍ରଶାସନ ପକ୍ଷରୁ ସେମାନଙ୍କୁ ଥଇଥାନ ଏବଂ ଉଚିତ୍ କ୍ଷତିପୂରଣ ଦିଆ ନଯାଇ ବଳପୂର୍ବକ ଦୋକାନ ଘର ଉଚ୍ଛେଦ କରାଗଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି ବ୍ୟବସାୟୀମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଯୋଡ଼ା ପୌରପାଳିକାର ନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକଙ୍କୁ ପଚାରିବାରୁ, ସାତଦିନ ମଧ୍ୟରେ  ବ୍ୟବସାୟୀଙ୍କ ସହିତ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର