କୋଲାବିରା : ଶିଳ୍ପ ସ୍ଥାପନ ନା ଶୁଣିଲେ ଏବେ ଝାରସୁଗୁଡ଼ା ଜିଲ୍ଲାବାସୀଙ୍କ ପ୍ରବଳ ଅସନ୍ତୋଷ ସୃଷ୍ଟି ହେଉଛି। ଜିଲ୍ଲାରେ ଏକାଧିକ ଶିଳ୍ପ ସଂସ୍ଥା ଖୋଲା ଯାଇଥିଲେ ମଧ୍ୟ ଜିଲ୍ଲାବାସୀ କୌଣସି ଉପକୃତ ହେଉ ନାହାନ୍ତି। ବରଂ ଜିଲ୍ଲାବାସୀଙ୍କ ଜମିକୁ ଅଳ୍ପମୂଲ୍ୟରେ କିଣି ନେଉଛନ୍ତି। ପ୍ରଦୂଷଣର ବିଷ ମଧ୍ୟକୁ ଠେଲି ଦେଉଛନ୍ତି। ଶୁକ୍ରବାର ଲଖନପୁର ଅଞ୍ଚଳରେ ଏକ ଜନଶୁଣାଣି ବେଳେ ପ୍ରବଳର ବିରୋଧ ହୋଇଥିବା ବେଳେ ଶନିବାର କୋଲାବିରା ତହସିଲ ଅଞ୍ଚଳରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି।
ବିଭିନ୍ନ ମୌଜାରୁ ଶତାଧିକ ଏକର ସରକାରୀ ଜମି ଶିଳ୍ପ ସ୍ଥାପନ ପାଇଁ ଇଡ୍କୋକୁ ଟେକି ଦିଆଯାଇଛି। ଜମି ଅଧିଗ୍ରହଣ ବେଳେ ଜାଗା ଚିହ୍ନଟକୁ ନେଇ ପ୍ରଶାସନ ଜନସାଧାରଣଙ୍କ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛି। କୋଲାବିରା ତହସିଲ ଅଧୀନ ପରମାଣପୁର ମୌଜା କାଳୀବାହାଲରେ ଏକ କାରଖାନା ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ ପାଇଁ ଶନିବାର ପ୍ରଶାସନକୁ ବିରୋଧ କରି ଶତାଧିକ ମହିଳା ଓ ପୁରୁଷ ଆଗେଇ ଆସିଥିଲେ। ଜମି ଚିହ୍ନଟ ପାଇଁ ତହସିଲଦାର ଦିଲୀପ ପ୍ରଧାନଙ୍କ ସମେତ କୋଲାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ କାଳୀବାହାଳରେ ପହଞ୍ଚିଥିଲେ। ଲୋକଙ୍କ ପ୍ରବଳ ବିରୋଧ ଯୋଗୁଁ ଜମି ଚିହ୍ନଟ ହୋଇ ପାରି ନଥିଲା। ଶିଳ୍ପ ପାଇଁ ଇଞ୍ଚେ ବି ଜମି ଛାଡିବୁ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା କହିଥିଲେ।
ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ଝାରସୁଗୁଡା ଜିଲ୍ଲାରେ ଆବଶ୍ୟକଠାରୁ ୪୦ ପ୍ରତିଶତ କମ ଜଙ୍ଗଲ ରହିଛି। ଜିଲ୍ଲାରେ ସବୁଜ ବଳୟ ସୃଷ୍ଟି ପାଇଁ ସରକାରଙ୍କୁ କମ୍ପାନିଗୁଡ଼ିକ ଦେଇଥିବା ପ୍ରତିଶ୍ରୁତି ପାଳନ କରାଯାଉ ନାହିଁ। କୌଣସି କମ୍ପାନି ବୃକ୍ଷରୋପଣ ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ଏଭଳି ପରିସ୍ଥିତିରେ ଯାହା କିଛି ଜଙ୍ଗଲ ବଞ୍ଚି ରହିଛି ତାକୁ ସଫା କରି ଜଙ୍ଗଲ ଜମିକୁ କମ୍ପାନିକୁ ଟେକି ଦେବା ପାଇଁ ପ୍ରଶାସନ ଚଳାଇଥିବା ହୀନ ଉଦ୍ଦେଶ୍ୟକୁ କୋଲାବିରା ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ସରକାର ଏଥିରୁ ନିବୃତ ନହେଲେ କାଳୀବାହାଳରେ ଆରମ୍ଭ ହୋଇଥିବା ଜନ ଆନ୍ଦୋଳନ ଏକ ବୃହତ୍ ଆନ୍ଦୋଳନରେ ପରିଣତ ହେବ ବୋଲି ଚେତାବନୀ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/4e2f0434-54f7-44e2-a918-331face3e75f.jpg)