ମେଡିକାଲ ପାଠପଢ଼ା ଫି’ ବୃଦ୍ଧିକୁ ଚାରିଆଡ଼ୁ ବିରୋଧ

ଫି’ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଶା ଅଭିଭାବକ ମହାସଂଘ

ଭୁବନେଶ୍ବର : ରାଜ୍ୟର ସରକାରୀ ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ହୋଇଥିବା ଫି’ ବୃଦ୍ଧିକୁ ଚାରିଆଡ଼ୁ ତୀବ୍ର ବିରୋଧ ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀଙ୍କଠାରୁ ଅଭିଭାବକ ଓ ବିଭିନ୍ନ ସଂଘ ଫି’ ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ଲାଗି ଦାବି କରିଛନ୍ତି।

ଓଡ଼ିଶା ଅଭିଭାବକ ମହାସଂଘ ଆଜି ଏହି ମର୍ମରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି। ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ କୋଭିଡ ମହାମାରୀ ଯୋଗୁଁ ଗତ ୨ବର୍ଷ ହେଲାଣି ଲୋକମାନଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଏ ପରିସ୍ଥିତିରେ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଫି’ ବୃଦ୍ଧି କରିବାର ଏହା ଉପଯୁକ୍ତ ସମୟ ନୁହେଁ। ରାଜ୍ୟର ୫୦ ପ୍ରତିଶତ ଛାତ୍ରଛାତ୍ରୀ/ଅଭିଭାବକଙ୍କ ଡାକ୍ତର କିମ୍ବା ଇଞ୍ଜିନିୟର ହେବାର ଏକ ସ୍ବପ୍ନ ରହିଥାଏ। ମାତ୍ର ପ‌ାଠପଢ଼ା ପାଇଁ ଅଧିକ ଫି’ ପାଇଁ ଅନେକ ପିତାମାତା ସେମାନଙ୍କ ପିଲାମାନଙ୍କୁ ଡାକ୍ତରୀ ପଢ଼ାଇବା ପାଇଁ ୟୁକ୍ରେନ୍ କିମ୍ବା ଋଷ ପଠାଇବାକୁ ବାଧ୍ୟ ହେଉଛନ୍ତି। ବର୍ଦ୍ଧିତ ଫି’ ଅନେକ ଛାତ୍ରଛାତ୍ରୀ/ଅଭିଭାବକଙ୍କୁ ପ୍ରଭାବିତ କରିବ। ତେଣୁ ଚଳିତ ଶିକ୍ଷାବର୍ଷରେ ଏହି ଫି’ ବୃଦ୍ଧିକୁ ଲାଗୁ ନ କରିବା ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।

ସେହିପରି ଭିମ୍‌ସାର ଛାତ୍ର ସଂଘ ସଭାପତି ଦିବ୍ୟଦର୍ଶନ ତ୍ରିପାଠୀ କହିଛନ୍ତି, ପୂର୍ବରୁ ପାଠପଢ଼ା ଫ’ ଯାହା ରହିଥିଲା ତାହାକୁ ଫେରାଇ ଦିଆଯାଉ। ଯାହାଫଳରେ ଗରିବ, ମେଧାବୀ ଛାତ୍ରଛାତ୍ରୀ ଏଥିରେ ଉପକୃତ ହୋଇପାରିବେ। ଓମ୍‌ସାର ସାଧାରଣ ସଂପାଦକ ଡା.ବିଶ୍ବଜିତ ସାମଲ କହିଛନ୍ତି, ଏମିତିରେ ଦରଦାମ୍ ବୃଦ୍ଧି ପାଇଁ ସବୁକିଛି ବଢ଼ି ଚାଲିଛି। ମେଡିକାଲ ପାଠପଢ଼ା ଫି’ ବୃଦ୍ଧି ହେଲେ ଛାତ୍ରଛାତ୍ରୀ/ଅଭିଭାବକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ବାହାର ଦେଶରେ ମେଡିକାଲ ପାଠପଢ଼ା ଫି’ କମ୍ ଥିବାରୁ ସେଠାକୁ ଛାତ୍ରଛାତ୍ରୀମାନେ ପଢ଼ିବା ଲାଗି ଯାଉଛନ୍ତି। କମ୍ ଖର୍ଚ୍ଚରେ ଛାତ୍ରଛାତ୍ରୀ ଯଦି ରାଜ୍ୟରେ ପଢ଼ିବାର ସୁଯୋଗ ପାଆନ୍ତେ ‌ତାହାଲେ ଲୋକଙ୍କୁ ସେବା ମିଳିପାରନ୍ତା ବୋଲି ସେ କହିଛନ୍ତି।

ଅପରପକ୍ଷରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ବିଭିନ୍ନ ସମୟରେ ଡିଏମ୍‌ଇଟିଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥାନ୍ତି। ଯଦି ଏହାକୁ ନେଇ କିଛି ଲୋକଙ୍କ ଅସନ୍ତୋଷ ରହିଛି, ତାହାଲେ ଆଲୋଚନା ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଏହା ଉପରେ କ’ଣ ପଦକ୍ଷେପ ନିଆଯାଇ ପାରିବ ଆଲୋଚନା କରାଯାଇ ତାହାର ଏକ ଖସଡ଼ା ପ୍ରସ୍ତୁତ କରାଯିବ। ପରବର୍ତୀ ସମୟରେ ‌ସମସ୍ତଙ୍କୁ ଏ ସଂପର୍କରେ ସୂଚନା ଦିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି।

ଉଲ୍ଲେଖ ଯେ ସୁପର ସ୍ପେସିଆଲିଟି ପାଠ୍ୟକ୍ରମ ପାଇଁ ୪୯ ପ୍ରତିଶତ, ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମ ପାଇଁ ୨୭.୮ ପ୍ରତିଶତ ଫି’ ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର