ମ୍ୟାଲେରିଆ ରିସର୍ଚ୍ଚ ଫିଲ୍ଡ ୟୁନିଟ୍‌ର ମିଶ୍ରଣକୁ ବିରୋଧ

ହାଇକୋର୍ଟରେ ମାମଲା, କେନ୍ଦ୍ର ନିକଟରୁ ଜବାବ ତଲବ

କଟକ : ରାଉରକେଲାରେ ଦୀର୍ଘ ୩୨ ବର୍ଷ ହେବ କାର୍ଯ୍ୟ କରୁଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାଲେରିଆ ରିସର୍ଚ୍ଚ(ଏନଆଇଏମ୍‌ଆର୍‌) ଫିଲ୍ଡ ୟୁନିଟକୁ ରାଞ୍ଚି ୟୁନିଟରେ ମିଶ୍ରଣକୁ ବିରୋଧ କରି ଦାୟର ମାମଲାରେ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ଏନଆଇଏମ୍‌ଆର୍‌ ରାଉରକେଲା ୟୁନିଟକୁ ରାଞ୍ଚିସ୍ଥିତ ଏନଆଇଏମ୍‌ଆରରେ ମିଶ୍ରଣ ସଂପର୍କିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାରେ ମାର୍ଚ୍ଚ ୮ ତାରିଖ ପୂର୍ବରୁ ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ୧୯୮୬ରେ ବ୍ରହ୍ମପୁରରେ ଏନଆଇଏମ୍‌ଆର୍‌ ୟୁନିଟ ପ୍ରଥମେ ପ୍ରତିଷ୍ଠା ହୋଇଥିଲା। ପରବର୍ତ୍ତୀ ସମୟରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଅଧିକ ଥିବା ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାକୁ ଏହି ୟୁନିଟ ସ୍ଥାନାନ୍ତର ହୋଇଥିଲା। ଏନଆଇଏମ୍‌ଆର୍‌ ୟୁନିଟ ରାଉରକେଲାରେ କାର୍ଯ୍ୟ କରୁଥିବା ବେଳେ ୧୯୯୫ରେ ଏହାକୁ ସ୍ଥାନାନ୍ତର ପାଇଁ କେନ୍ଦ୍ର ସରକାର ଯୋଜନା କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ମାମଲାର ଶୁଣାଣି କରି ଏହି ପ୍ରସଙ୍ଗରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ପରବର୍ତ୍ତୀ ସମୟରେ ମାମଲାର ଶୁଣାଣିବେଳେ ରାଉଲକେଲା ୟୁନିଟ ସ୍ଥାନାନ୍ତର ହେବାର ଯୋଜନା ନାହିଁ ବୋଲି ସରକାର ଦର୍ଶାଇଥିଲେ। ଏହାପରେ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପଡିଥିଲା। ୩୨ ବର୍ଷ ହେବ ରାଉରକେଲାରେ ଏନଆଇଏମ୍‌ଆର୍‌ ୟୁନିଟ କାର୍ଯ୍ୟ କରୁଥିବା ବେଳେ ୨୦୨୧ ଜାନୁଆରି ୨୧ରେ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ରାଉରକେଲା ୟୁନିଟକୁ ରାଞ୍ଚି ୟୁନିଟ ସହିତ ମିଶ୍ରଣ କରାଯିବ ବୋଲି ସ୍ପଷ୍ଟ କରାଯାଇଥିଲା।

ରାଉରକେଲା ୟୁନିଟ ୧୯୮୮ରୁ କାର୍ଯ୍ୟ କରୁଥିବା ବେଳେ ରାଞ୍ଚି ୟୁନିଟ ୨୦୦୬ରେ ପ୍ରତିଷ୍ଠା ହୋଇଥିଲା। ଏଭଳି ସ୍ଥିତିରେ ରାଉରକେଲା ୟୁନିଟକୁ ରାଞ୍ଚି ୟୁନିଟ ସହିତ ମିଶ୍ରଣ ନିଷ୍ପତ୍ତି ଅପ୍ରାସଂଗିକ ବୋଲି ଜନସ୍ବାର୍ଥ ଆବେଦନରେ ଦର୍ଶାଯାଇଛି। ସାରାଦେଶରେ ଚିହ୍ନଟ ହେଉଥିବା ମ୍ୟାଲେରିଆ ମାମଲା ମଧ୍ୟରୁ ୧୧.୮% ଓଡ଼ିଶାର। ସେହିଭଳି ଭାବେ ମ୍ୟାଲେରିଆର ପି.ଫାଲସିପାରମ୍ ମାମଲା ମଧ୍ୟରୁ ଓଡ଼ିଶାରେ ୨୩ ପ୍ରତିଶତ ଚିହ୍ନଟ ହେଉଛି। ଏଥିସହିତ ସୁନ୍ଦରଗଡ଼ ଜିଲ୍ଲା‌ରେ ଅନୁସୂଚିତ ଜନଜାତି ବର୍ଗର ଜନସଂଖ୍ୟା ଅଧିକ ରହିଥିବା ବେଳେ ମ୍ୟାଲେରିଆ ରୋଗ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ। ରାଉରକେଲାସ୍ଥିତ ଏନଆଇଏମ୍‌ଆରରେ ସାଧାରଣ ରୋଗୀଙ୍କ ଚିକିତ୍ସା ସହିତ ମ୍ୟାଲେରିଆ ନିରାକରଣ ଓ ରିସର୍ଚ୍ଚ କାର୍ଯ୍ୟ ଦୀର୍ଘ ବର୍ଷ ହେବ ଚାଲୁଛି। ଯଦି ଏହି ଅନୁଷ୍ଠାନ ରାଞ୍ଚି ଉଠିଯାଏ ତେବେ ରାଜ୍ୟବାସୀ ଓ ବିଶେଷ କରି ସୁନ୍ଦରଗଡ଼ର ଅନୁସୂଚିତ ଜନଜାତିମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବେ। ଏଭଳି ଜନବିରୋଧୀ ନିଷ୍ପତ୍ତି ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ମାମଲାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ, ଆଇସିଏମଆର, ନୂଆଦିଲ୍ଲୀସ୍ଥିତ ଏନଆଇଏମ୍‌ଆର୍‌ ଓ ରାଉରକେଲା ଏନଆଇଏମ୍‌ଆର୍‌ ଅଫିସର-ଇନଚାର୍ଜଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀ ସଦାନନ୍ଦ ସାହୁଙ୍କ ତରଫରୁ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର