ଲୋକସେବା ଭବନ ଫାଟକ ନିକଟରେ ଲଗାଇଲେ ବ୍ୟାନର
ଏଜି ଛକରେ ନବନିର୍ମାଣ ଯୁବଛାତ୍ର କର୍ମୀ-ପୁଲିସ ଧସ୍ତାଧସ୍ତି
କୃଷି ଭବନ ଆଗରେ ବିକ୍ଷୋଭ, ନାରାବାଜି
ଶତାଧିକ ଆନ୍ଦୋଳନକାରୀ ଅଟକ

Advertisment

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଓ ସଂଶୋଧିତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ବିରୋଧରେ ଆଜି ଦିଆଯାଇଥିବା ବନ୍ଦ ଡାକରାରେ ସାମିଲ ହୋଇଛନ୍ତି ରାଜ୍ୟର ଏକାଧିକ କୃଷକ ସଂଗଠନ। ଆଜି ପ୍ରାୟ ୧୫ଟି କୃଷକ ସଂଗଠନ ଓ ୮ଟି ବାମଦଳ ପକ୍ଷରୁ ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ, ନାରାବାଜି, ଶୋଭାଯାତ୍ରା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏଜି ଛକ, ମାଷ୍ଟରକ୍ୟାଣ୍ଟିନ୍ ଛକ, କୃଷି ଭବନ, ଲୋକସେବା ଭବନ ସମେତ ରାଜଧାନୀର ବିଭିନ୍ନ ସ୍ଥାନରେ ଜୋରଦାର ବିକ୍ଷୋଭ ହୋଇଥିଲା। ପୁଲିସ ଶତାଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖିବା ପରେ ଛାଡ଼ି ଦେଇଥିଲା। ସାଧାରଣ ଜନଜୀବନ ସ୍ବାଭାବିକ ରହିଥିବା ବେଳେ କୌଣସି ସ୍ଥାନରେ ହିଂସାକାଣ୍ଡ ଘଟି ନ ଥିଲା। ସୁରକ୍ଷା ଦାୟିତ୍ବରେ କମିସନରେଟ ପୁଲିସ ପକ୍ଷରୁ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ କରା ଯାଇଥିଲା।

publive-image

ଆଜି ସକାଳେ କୃଷି ଭବନ ଆଗରେ ନବ ନିର୍ମାଣ କୃଷକ ସଂଗଠନ, ଅଲ୍ ଇଣ୍ଡିଆ କିଷାନ ସଂଘର୍ଷ ସମନ୍ବୟ ସମିତି ସମେତ ଏକାଧିକ ସଂଗଠନ ବିକ୍ଷୋଭ ପ୍ରଦର୍ଶନ ସହ ନାରାବାଜି ଦେଇଥିଲେ। ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି ଏହି ଆଇନ କାର୍ଯ୍ୟକାରୀ ହେଲେ ଭାଗଚାଷୀ ନିଶ୍ଚିହ୍ନ ହୋଇଯିବେ। ଚାଷୀ ନିଜର ପରିଚୟ ହରାଇବ। ବନ୍ୟା, ବାତ୍ୟା, ମରୁଡ଼ି ଭଳି ପରିସ୍ଥିତିରେ କଳାବଜାରୀ ବଢିଯିବ। ତେଣୁ କେନ୍ଦ୍ର ସରକାର ଏହାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। ନଚେତ୍ ଆଗାମୀ ଦିନରେ ଦେଶବ୍ୟାପୀ ଆନ୍ଦୋଳନ ତୀବ୍ରତର କରାଯିବ। ଅଲ ଇଣ୍ଡିଆ କିଷାନ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ କୁହାଯାଇଛି ଅତ୍ୟାବଶ୍ୟକ ସାମଗ୍ରୀ ଆଇନ-୧୯୫୫କୁ ସଂଶୋଧନ କରିବା, କଣ୍ଟ୍ରାକ୍ଟ ଫାର୍ମିଂ, ଇ-ମାର୍କେଟିଂ ନାମରେ କୃଷି ଉତ୍ପାଦନ, ବିପଣନ କମିଟିଗୁଡିକୁ ଭାଙ୍ଗିବା ଇତ୍ୟାଦି ପାଇଁ ଯେଉଁ ବିଧେୟକ ଗୃହୀତ ହୋଇଛି ତାହା ଭାରତବର୍ଷର କୃଷକମାନଙ୍କ ପାଇଁ ମୃତ୍ୟୁ ଘଣ୍ଟି। ଏଥିରେ ଓଡ଼ିଶାର ୯୨ ପ୍ରତିଶତ ଚାଷୀ ପ୍ରଭାବିତ ହେବେ। ଲୋକସେବା ଭବନର ୬ ନମ୍ବର ଫାଟକରେ ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ବ୍ୟାନର ଲଗାଇବା ସହ ବିକ୍ଷୋଭ କରୁଥିବା ବେଳେ ପୁଲିସ ସେମାନଙ୍କୁ ଉଠାଇ ଆଣିଥିଲା। କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

publive-image

ନବନିର୍ମାଣ କୃଷକ ସଂଗଠନର ଯୁବଛାତ୍ର ଶାଖାର ୫୦ରୁ ଅଧିକ ଆନ୍ଦୋଳନକାରୀ କଳ୍ପନା ଛକରୁ ଲୋକସେବା ଭବନ ଅଭିମୁଖେ ଏକ ବାଇକ୍‌ ଶୋଭାଯାତ୍ରାରେ ଆସୁଥିବା ବେଳେ ଏଜି ଛକରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ସେମାନଙ୍କ ଭିତରେ ଧସ୍ତାଧସ୍ତି ହେବା ସହ ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକ ରଖିଥିଲା। ଶିଶୁପାଳଗଡ଼ରେ ଏଆଇଡିଏସ୍ଓ ଏବଂ ଏସ୍‌ୟୁସିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା। ମାଷ୍ଟରକ୍ୟାଣ୍ଟିନ ଛକରେ ସମସ୍ତ କୃଷକ ସଂଗଠନ ଓ ବାମଦଳ ଏକାଠି ହୋଇଥିଲେ। ସେଠାରେ ବଡ଼ଧରଣର ବିକ୍ଷୋଭ, ନାରାବାଜି ପ୍ରଦର୍ଶନ କରା ଯାଇଥିଲା। ଅଖିଳ ଭାରତ କୃଷକ ସଭା, ଅଲ ଇଣ୍ଡିଆ ଅଗ୍ରଗାମୀ କିଷାନ ସଭା, ଅଖିଳ ଭାରତ କୃଷକ ସଭା, ଇଣ୍ଡିଆନ ସୋସିଆଲ୍ ଆକ୍ସନ ଫୋରମ୍, ଆମ ଅଧିକାର, ସିପିଆଇ, ସିପିଆଇଏମ୍, ସିପିଆଇଏମ୍ଏଲ୍, ଫରଵାର୍ଡ ବ୍ଲକ୍, ଏଆଇଏସ୍ ଏଫ୍, ଏଆଇଟିୟୁସି, ସିଆଇଟିୟୁ, କ୍ଷେତ ମଜଦୁର୍ ୟୁନିଅନ୍, ହିନ୍ଦ୍‌ ମଜଦୁର ସଭା ବିକ୍ଷୋଭରେ ସାମିଲ ହୋଇଥିଲେ।