ମଦ ବିରୋଧୀ ଆନ୍ଦୋଳନ ତେଜିଲା, ଧାରଣା ଦେଲେ ମହିଳା

କୋରେଇ : ମଦ ଦୋକାନ ଖୋଲିବାକୁ ତୀବ୍ର ବିରୋଧ। ଆଜି ମହିଳାମାନେ ଶୋଭାଯାତ୍ରାରେ ବାହାରି ଭିକିପୁରରେ ମଦ ଦୋକାନ ଖୋଲାଯିବାକୁ ବିରୋଧ କରିଛନ୍ତି। ଗତ କିଛିଦିନ ହେବ ଶତାଧିକ ମହିଳା ଓ ଅଞ୍ଚଳବାସୀଙ୍କ ଆପତ୍ତି ପରେ ମଧ୍ୟ ବିନା ଜନଶୁଣାଣି ଓ ବିଜ୍ଞପ୍ତିରେ ଅବକାରୀ ବିଭାଗ ଚଞ୍ଚକତା କରି ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଆଜି ସ୍ଥାନୀୟ ଭିକିପୁର, ଛୋଟରାୟପୁର ଓ ରାଛିପୁର ଗ୍ରାମର ଶତାଧିକ ମହିଳା ଶୋଭାଯାତ୍ରାରେ ବାହାରି ଧାରଣା ଦେଇଥିଲେ।

ସୂଚନା ଅନୁସାରେ ରସୁଲପୁର ବ୍ଳକ୍ ଲକ୍ଷ୍ମୀନଗର ପଞ୍ଚାୟତ ଭିକିପୁର ମୌଜାର ଖାତା ନଂ–୧୭୪/୫୦ ପ୍ଲଟ ନଂ ୩୪, ୩୫, ୩୬ରେ ଏକ ଠିପି ଖୋଲା ମଦଦୋକାନ ଖୋଲିବାକୁ ଅନୁମତି ମିଳିଛି। ଅବକାରୀ ବିଭାଗ ପକ୍ଷରୁ ଏନେଇ ଅନୁମତି ଦିଆଯାଇଛି। ସୂଚନା ମୁତାବକ, ଏହି ସ୍ଥାନରେ କୌଣସି ଭିତ୍ତିଭୂମି ନଥାଇ ଠିପିଖୋଲା ମଦ ଦୋକାନ ଥିବା ଦର୍ଶାଇ ଭିକିପୁର ଗ୍ରାମର ଜଣେ ମହିଳାଙ୍କ ନାମରେ ରାଜ୍ୟ ମଦ ନିଗମରୁ ୮ ଲକ୍ଷ ଟଙ୍କାର ମଦ ଉଠାଯାଇଛି। ହେଲେ ପ୍ରସ୍ତାବିତ ସ୍ଥାନରେ କୌଣସି ଦୋକାନ ଘର ନାହିଁ। ସେହି ନାମରେ ଉଠାଯାଇଥିବା ମଦ କୁଆଡ଼େ ଗଲା ଓ କେଉଁଠାରେ ବିକ୍ରି ହୋଇଛି ତାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ସରକାରୀ ନିୟମ ଅନୁସାରେ ମଦ ଦୋକାନର ପାରିପାର୍ଶ୍ବିକ ପରିବେଶରେ ଦେବାଳୟ, ପୁଷ୍କରିଣୀ ନ ଥିବ। ହେଲେ ପ୍ରସ୍ତାବିତ ସ୍ଥାନଠାରୁ କିଛି ମିଟର ଦୂରରେ ଭିକିପୁର ଗ୍ରାମର ଚଣ୍ତି ମନ୍ଦିର, ରାଛିପୁର ଶନି ମନ୍ଦିର ରହିଛି। ଏହା ଛୋଟରାୟପୁର ଜାଡ଼ୁଆ ମନ୍ଦିରରୁ ଯୋକଡ଼ିଆ ନୂତନ ରାସ୍ତାର ସଂଯୋଗ ସ୍ଥଳ। ଶନିମନ୍ଦିରଠାରୁ ଇନ୍ଦିରା ଗାନ୍ଧି ମହିଳା ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଏହି ରାସ୍ତାରେ ରହିଛି। ଏହାସତ୍ତ୍ବେ କିଭଳି ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି ବୋଲି ମହିଳାମାନେ ପ୍ରଶ୍ନ କରିଥିଲେ। ଏହି ନିଷ୍ପତ୍ତି ପ୍ରତ୍ୟାହାର ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି।
ଡୋଲିପୁର ଅବକାରୀ ବିଭାଗ ଏସ୍‌ଆଇ ପ୍ରଶାନ୍ତ କୁମାର ମହାନ୍ତି କହିଛନ୍ତି ଯେ ସ୍ଥାନୀୟ ସରପଞ୍ଚ ଏହି ସ୍ଥାନରେ ମଦ ଦୋକାନ ହେଲେ ପଞ୍ଚାୟତବାସୀଙ୍କ କୌଣସି ଆପତ୍ତି ନଥିବା ନେଇ ଲିଖିତ ଭାବେ ଦେଇଛନ୍ତି।

ସମ୍ବନ୍ଧିତ ଖବର