୪ ପାନ୍ଥନିବାସକୁ ଘରୋଇକରଣ ଯୋଜନାକୁ ବିରୋଧ

ଭୁବନେଶ୍ବର : ଲାଭରେ ଚାଲୁଥିବା ୪ଟି ପାନ୍ଥନିବାସ ବାଲେଶ୍ବର, ଭଦ୍ରକ, ଗୋପାଳପୁର ଓ ତପ୍ତପାଣିକୁ ପର୍ଯ୍ୟଟନ ବିଭାଗ ଘରୋଇକରଣ କରିବା ପରେ ଏବେ ଆଉ ୪ଟି ପାନ୍ଥନିବାସକୁ ଘରୋଇକରଣ କରିବାକୁ ଚକ୍ରାନ୍ତ ଆରମ୍ଭ ହୋଇଛି। ଏବେ କୋଣାର୍କ, ପଞ୍ଚଲିଙ୍ଗେଶ୍ବର, ଧଉଳି ଓ ସାତପଡ଼ା ପାନ୍ଥନିବାସକୁ ଘରୋଇକରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ ଏହାକୁ ବିରୋଧ କରିଛି।

ସଂଘର ସଭାପତି ଶିବାନନ୍ଦ ରାୟ ଓ କାର୍ଯ୍ୟକାରୀ ସଭାପତି ବେଣୁଧର ପାତ୍ର ଏକ ପ୍ରେସ୍‌ ବିବୃତ୍ତିରେ କହିଛନ୍ତି ଯେ, ପର୍ଯ୍ୟଟନ ବିଭାଗର କେତେକ ପ୍ରକଳ୍ପ ବହୁଦିନ ଧରି ପଡ଼ିରହିଥିବାବେଳେ ସେଗୁଡ଼ିକୁ ଘରୋଇକରଣ ନକରି କୋଟିକୋଟି ଟଙ୍କାର ଲାଭ ଦେଉଥିବା ପାନ୍ଥନିବାସଗୁଡ଼ିକୁ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ହୀନ ପ୍ରୟାସ ଆରମ୍ଭ ହୋଇଛି। ୨୦୧୯-୨୦ ସୁଦ୍ଧା ପାନ୍ଥନିବାସ ୩୪କୋଟି ଲାଭାଂଶ ଦେଇଥିବାବେଳେ ୨୦୧୭-୧୮ରେ ୧କୋଟି, ୨୦୧୮-୧୯ରେ ୧କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ଡେଭିଡେନ୍ସ ପାଣ୍ଠିକୁ ଦାନ କରିଛି। ଏହାସହିତ ନିଗମକୁ ରୌପ୍ୟବର୍ଗର ମାନ୍ୟତା ଦିଆଯାଇଛି। ଏବେ ପ୍ରାୟ ୧ହଜାର ନିୟମିତ, ଏନ୍‌ଏମ୍‌ଆର୍‌, ଠିକା ଓ ଆଉଟ୍‌ସୋର୍ସିଂ କର୍ମଚାରୀ ଏଥିରୁ ନିଜ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି। ଏହାସତ୍ତ୍ବେ ପର୍ଯ୍ୟଟନ ବିଭାଗ ଘରୋଇକରଣର ମୁହଁ ଛାଡ଼ିପାରୁନି।

ସଂଘ ପକ୍ଷରୁ କୁହାଯାଇଛି ଯେ, ପାନ୍ଥନିବାସଗୁଡ଼ିକୁ ଘରୋଇକରଣ ନକରିବାକୁ ବହୁବାର ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପର୍ଯ୍ୟଟନ ସଚିବ, ପର୍ଯ୍ୟଟନ ନିର୍ଦ୍ଦେଶକଙ୍କ ନିକଟରେ ଦାବି ହୋଇଛି। ଏସମ୍ପର୍କିିତ ମାମଲା ବି ହାଇକୋର୍ଟରେ ବିଚାରାଧୀନ ଅଛି। ହେଲେ ଗୋଟିଏ ପରେ ଗୋଟିଏ ପାନ୍ଥନିବାସ ଘରୋଇକରଣ ହେବାରେ ଲାଗିଛି। କେବଳ ଏତିକି ନୁହେଁ, ରାଜ୍ୟ ସରକାରଙ୍କ କୋଭିଡକାଳୀନ ନିର୍ଦ୍ଦେଶ ମୁତାବକ କୌଣସି ସରକାରୀ ବିଭାଗରେ ପିଏମ୍‌ୟୁ ଏଜେନ୍ସି ରହି‌ବନି। କିନ୍ତୁ ପର୍ଯ୍ୟଟନ ବିଭାଗରେ ଏହି ନିୟମକୁ ଜଳାଞ୍ଜଳି ଦେଇ ଚୁକ୍ତିନାମା ଶେଷ ହୋଇଥିବା ଏକ ପିଏମ୍‌ୟୁକୁ ନିୟୋଜିତ କରାଯାଇଛି। ତେଣୁ ପାନ୍ଥନିବାସଗୁଡ଼ିକର ଘରୋଇକରଣ ଯଦି ବନ୍ଦ ନହୁଏ ତେବେ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ ପକ୍ଷରୁ ପର୍ଯ୍ୟଟନ ମନ୍ତ୍ରୀଙ୍କ ବାସଭବନ ଓ ପର୍ଯ୍ୟଟନ ବିଭାଗକୁ ଘେରାଇ କରାଯିବ ସହ ସମସ୍ତ କର୍ମଚାରୀ ଧାରାଣାକୁ ଓହ୍ଲାଇବେ।

ସମ୍ବନ୍ଧିତ ଖବର