ସୁନାବେଡ଼ା ଅଭୟାରଣ୍ୟରେ ପ୍ରସ୍ତାବିତ ବ୍ୟାଘ୍ର ପ୍ରକଳ୍ପକୁ ବିରୋଧ, ଏକଜୁଟ୍‌ ହେଲେ ୬ ପଞ୍ଚାୟତର ଅଧିବାସୀ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ପ୍ରସ୍ତାବିତ ବ୍ୟାଘ୍ର ପ୍ରକଳ୍ପକୁ ଅଭୟାରଣ୍ୟରେ ଥିବା ୬ଟି ପଞ୍ଚାୟତର ଅଧିବାସୀ ବିରୋଧ କରିଛନ୍ତି। ଏନେଇ ଶନିବାର ସୁନାବେଡ଼ା ପଞ୍ଚାୟତରେ ଏକ ବୈଠକ ହୋଇଛି। ବ୍ୟାଘ୍ର ପ୍ରକଳ୍ପ କରିବା ପୂର୍ବରୁ ସରକାର ଅଧିବାସୀଙ୍କୁ ସୂଚନା ଦେବା କଥା। କିନ୍ତୁ ଏଥିରେ ବ୍ୟତିକ୍ରମ କରାଯାଇ ମନଇଚ୍ଛା ନିଷ୍ପତ୍ତି ନିଆଯାଇଛି। ବ୍ୟାଘ୍ର ପ୍ରକଳ୍ପ ହେବା ପୂର୍ବରୁ କେନ୍ଦ୍ରରୁ ଏକ କମିଟି ଆସି ଏଠାରେ ବାଘ ଅଛି କି ନାହିଁ ତାହାର ଅନୁଧ୍ୟାନ କରିବା କଥା‌। ସରକାର ବ୍ୟାଘ୍ର ପ୍ରକଳ୍ପ ପାଇଁ କୋର୍‌ ଜୋନ୍‌ ଓ ବଫର ଜୋନ୍‌ କରିଛନ୍ତି। ବଫର ଜୋନ୍‌ରେ ଲୋକମାନେ ରହିପାରିବେ ଏବଂ କୋର୍‌ ଜୋନ୍‌ରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ ବୋଲି ନିର୍ଦେଶ ରହିଛି। ହେଲେ ଅଭୟାରଣ୍ୟରର କେଉଁ ଗାଁ କୋର୍‌ ଜୋନ୍‌ ଓ କେଉଁ ଗାଁ ବଫର ଜୋ‌ନ୍‌ କରାଯାଇଛି ଅଧିବାସୀମାନେ ଜାଣିନାହାନ୍ତି। ବ୍ୟାଘ୍ର ପ୍ରକଳ୍ପ ନାଁରେ ସରକାର ପୁନଃ ଥଇଥାନ କଲେ ବିରୋଧ କରାଯିବ। ମରିଯିବେ ପଛେ ଭିଟାମାଟି ଛାଡ଼ିବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ପ୍ରକଳ୍ପକୁ ବିରୋଧ କରିବା ପାଇଁ ସୁନାବେଡ଼ା ଅଭୟାରଣ୍ୟର ମିଛାପାଲି, ସୋସେଙ୍ଗ, ସୁନାବେଡ଼ା, ଭରୁଆମୁଣ୍ଡା, ଧରମବନ୍ଧା ସହ ୬ଟି ପଞ୍ଚାୟତର ଆଦିବାସୀ ବିଭିନ୍ନ ଗାଁରେ ବୈଠକ କରିବେ। ସବୁସ୍ଥାନରେ ପ୍ରକଳ୍ପକୁ ବିରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ସୁନାବେଡ଼ା ସରପଞ୍ଚ ତିଲସିଂହ ଝାକର, କ୍ଷେମିନ ସରମତ, ଯୋଗେଶ୍ବର ମାଝୀ, ମୋହନ ରାଉତ, ମନିରାମ ମାଝୀ, ୱାଡେନ କାଳିଆ ପ୍ରଧାନ, ମିଛାପାଲିରୁ ଜଗଦୀଶ ମାଝୀ, ସାନ ମହାନ୍ଦନ, ଭୁଜବଳ ମାଝୀ, କେଶବ ସାହୁ, ବିଜୟ ଝାକର, ବିଶ୍ରାମ ଛତ୍ରିଆ, କଳିରାମ ସୁଆର ପ୍ରମୁଖ ୬ଟି ପଞ୍ଚାୟତର ଲୋକ ବୈଠକରେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ୧୯୪୮ରେ ୧୨ଟି ପଞ୍ଚାୟତ ୫୨ଟି ଛୋଟବଡ଼ ଗାଁକୁ ନେଇ ସରକାର ସୁନାବେଡ଼ାକୁ ଅଭୟାରଣ୍ୟ ଘୋଷଣା କରିଥିଲେ। ୧୯୯୬ ମସିହାରେ କେନ୍ଦ୍ର ସରକାର ଏହି ଅଭୟାରଣ୍ୟକୁ ଜାତୀୟ ବ୍ୟାଘ୍ର ପ୍ରକଳ୍ପ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ବର୍ତ୍ତମାନ ଅଭୟାରଣ୍ୟର ଅଧିବାସୀ ଏହି ପ୍ରକଳ୍ପକୁ ବିରୋଧ କରିବାରୁ ପ୍ରକଳ୍ପର ଭବିଷ୍ୟତକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର