ସ୍ଲରି ପାଇପ୍‌ ଲାଇନ୍‌କୁ ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଟ୍ରକ ମାଲିକଙ୍କ ମେଳି

କେନ୍ଦୁଝର : କେନ୍ଦୁଝରର ଖଣି ରାଜସ୍ବରେ ରାଜ୍ୟ ଚାଲିବ। ମାତ୍ର କେନ୍ଦୁଝରବାସୀ ଭୋକିଲା ରହିବେ। ଟ୍ରକ ବ୍ୟବସାୟକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଛି। ସ୍ଲରି ପାଇପ ଲାଇନରେ ପରିବହନ ଯୋଜନା ଚାଲିଛି। ଏହି ସରକାରୀ ଷଡ଼ଯନ୍ତ୍ରକୁ ବରଦାସ୍ତ କରାଯିବ ନାହିଁ। ଏଭଳି ନାରାଦେଇ ଗୁରୁବାର ଦିନ ହଜାର ହଜାର ଟ୍ରକ୍ ମାଲିକ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ପ୍ରବଳ ଗର୍ଜନ କରିଛନ୍ତି।

କେନ୍ଦୁଝର ଜିଲ୍ଲାର ୬ଟି ଟ୍ରକ ମାଲିକ ସଂଘ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ, ଯୋଡା ଟ୍ରକ ମାଲିକ ସଂଘ, ବଡବିଲ ଟ୍ରକ ମାଲିକ ସଂଘ, ଗୁଆଲି ଟ୍ରକ ମାଲିକ ସଂଘ, ଭଦ୍ରାସାହି ଟ୍ରକ ମାଲିକ ସଂଘ ଓ କାଳିମାଟି ଆଞ୍ଚଳିକ ଟ୍ରକ ମାଲିକ ସଂଘର ହଜାର ହଜାର ସଦସ୍ୟ ଗୁରୁବାର ପୂର୍ବାହ୍ଣରେ ସ୍ଥାନୀୟ କାଳୀପଡ଼ିଆରେ ଏକତ୍ରିତ ହୋଇ ଏକ ବିଶାଳ ‌ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୂର୍ବରୁ ବିଆରପିଏଲ ଏବଂ ଏସାର କମ୍ପାନି ସ୍ଲରି ପାଇପ ଲାଇନ ଯୋଗେ ଲୁହାପଥର ଗୁଣ୍ଡ ପରିବହନ କରୁଥିବାବେଳେ ଏବେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଏବଂ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ଲିଃ ସ୍ଲରି ପାଇପ ଲାଇନରେ ଲୁହାପଥର ଗୁଣ୍ଡ ପରିବହନ ପାଇଁ କାର୍ଯ୍ୟ ଆରମ୍ଭ କରିଛି । ଆଗକୁ ଆଉ କିଛି କମ୍ପାନି ସ୍ଲରି ପାଇପ ଲାଇନରେ ପରିବହନ କରିବାକୁ ସରକାରଙ୍କ ସହ ଏମଓୟୁ କରିଛନ୍ତି। ଏହାଦ୍ୱାରା ଟ୍ରକ ବ୍ୟବସାୟ ଉପରେ ନିର୍ଭର କରୁଥିବା ଟ୍ରକ ମାଲିକ, ଡ୍ରାଇଭର, ହେଲପର, ଚା ଦୋକାନରୁ ଆରମ୍ଭ କରି ପାନ ‌ଦୋକାନ, ଢାବା, ଗ୍ୟାରେଜ, ସ୍ପେୟାର ପାର୍ଟସ ଦୋକାନି ଅତିକମରେ ୫ ଲକ୍ଷ ଲୋକ ପ୍ରଭାବିତ ହେବେ।

ବିକ୍ଷୋଭ ସମାବେଶରେ ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଯୋଗଦେଇ ଏହାକୁ ବିରୋଧ କରିବା ସହ କହିଥିଲେ କେବଳ ଯେ ବିକ୍ଷୋଭ ପ୍ରଦର୍ଶନ କଲେ ଏ ସରକାର ଶୁଣିବେ ନାହିଁ। ଅର୍ଥନୈତିକ ଅବରୋଧର ଆବଶ୍ୟକତା ରହିଛି। ଏଥିପାଇଁ ସେ ଓ ତାଙ୍କ ଦଳ ସଂପୂର୍ଣ୍ଣ ଭାବେ ଏହାକୁ ସମର୍ଥନ ଜଣାଇବେ। ଏପରକି ଜେଲ ଯିବାକୁ ମଧ୍ୟ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ। ଯିଏ କେନ୍ଦୁଝର ଜିଲ୍ଲାରେ ହିତ ପାଇଁ ମୁହଁ ଖୋଲିବ ଏ ସରକାର ତାଙ୍କ ବିଭିନ୍ନ ଆଳରେ ଡରାଇବ ଓ ତାଙ୍କ ସ୍ବରକୁ ଚାପି ଦେବାକୁ ପ୍ରଚେଷ୍ଟା କରିବ। ତେଣୁ ଏହାକୁ ଖାତିର କରିବାର ନାହିଁ। ସ୍ଲରି ପାଇପରେ ଲୁହାପଥର ପରିବହନ ହେଲେ କେବଳ ଯେ ଲୁହାପଥର ଯିବ ତାହା ନୁହେଁ ତା ସହିତ ବୈତରଣୀ ନଦୀ ମଧ୍ୟ ଶୁଷ୍କ ହୋଇଯିବ ବୋଲି ସେ କହିଥିଲେ। ବୈତରଣୀ ଶୁଖିଗଲେ ଲୋକମାନେ ପିଇବାକୁ ପାଣି ପାଇବେ ନାହିଁ ଚାଷ ପାଇଁ ମଧ୍ୟ ପ୍ରଭାବିତ ହେବ।

ବିଜେଡିର ବରିଷ୍ଠ ନେତା ତଥା ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ କହିଥିଲେ ଯେ, ଲୋକଙ୍କ ବିଦ୍ୟୁତ୍‌ ଯୋଗାଣ ପାଇଁ ଜଂଗଲ ମଧ୍ୟରେ ଗୋଟିଏ ବିଦ୍ୟୁତ ଖୁଣ୍ଟ ପୋତିବା ପାଇଁ ଅନୁମୋଦନ ପାଇବାକୁ ୬ ବର୍ଷ ଲାଗିଯାଉଛି। ମାତ୍ର କାହା ଅନୁମତିରେ ହଜାର ହଜାର ଗଛ କାଟି ପାଇପ ଲାଇନ ବିଛା ଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ। ବିନା ପ୍ରଶାସନର ସହଯୋଗରେ ଏପରି ହୋଇପାରିବ ନାହିଁ । କାହିଁକି ଜିଲ୍ଳା ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ଏପଟେ ଟ୍ରକ ବ୍ୟବସାୟ ଉପରେ ଜିଲ୍ଳାର ୬୦ ପ୍ରତିଶତ ଲୋକ ନିର୍ଭର କରୁଥିବା ବେଳେ ତାଙ୍କ ଜୀବନଜୀବିକା ଦୁର୍ବିଷହ ହେବାକୁ ବସିଛି। ସରକାର ଏବଂ ପ୍ରଶାସନ ଏହାଉପରେ ଚିନ୍ତାକରି ପାଇପ ଲାଇନରେ ଲୁହାପଥର ପରିବହନକୁ ବନ୍ଦ କରିବା ଉଚିତ ବୋଲି ସେ କହିଥିଲେ। କଂଗ୍ରେସର ରାଜ୍ୟ ସଂପାଦକ ସଂଗ୍ରାମ ଦାସ, ସଂପାଦକ ସୂର୍ଯ୍ୟନାରାୟଣ କର, ଯୋଡା ଟ୍ରକ ମାଲିକ ସଂଘର ସଂପାଦକ ଶୁଶାନ୍ତ କୁମାର ବାରିକ୍ ପ୍ରମୁଖ ପାଇପଲାଇନରେ ଲୁହାପଥର ପରିବହନକୁ ଘୋର ବିରୋଧ କରିବା ସହିତ ଆଗକୁ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଶୁଣାଇଥିଲେ।

ସମାବେଶରେ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର ଉପ ସଭାପତି ଦିଲ୍ଲୀପ କୁମାର ପଣ୍ଡା, ଯୁଗ୍ମ ସମ୍ପାଦକ ଦେବାଶିଷ ପଟ୍ଟନାୟକ, ସଂଜୟ କୁମାର ସିଂ, ଆଞ୍ଚଳିକ ଟ୍ରକ ମାଲିକ ସଂଘର ସଭାପତି ମନୋଜ କୁମାର ମହାନ୍ତ, ସମ୍ପାଦକ ରାଜେନ୍ଦ୍ର ବାରିକ, ମାଇନିଂ ଏରିଆ ଟ୍ରକ ମାଲିକ ସଂଘର ବଡବିଲର ସମ୍ପାଦକ ଚନ୍ଦ୍ରଗୁପ୍ତ ପ୍ରସାଦ, ଭଦ୍ରାସାହ ଟ୍ରକ ମାଲକ ସଂଘର ସଭାପତି ବବଲୁ ଦତ୍ତ ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ଅର୍ଥନୈତିକ ଅବରୋଧ ସହ ଜିଲ୍ଲାବ୍ୟାପୀ ଆନ୍ଦୋଳନକୁ ଜୋରଦାର କରାଯିବ ଚେତାବନୀ ଦେଇଥିଲେ।

ସମ୍ବନ୍ଧିତ ଖବର