ତେଜିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ବିରୋଧୀ ନିଆଁ; ଖନନ ସ୍ଥଳରେ ଶ୍ରୀଜଗନ୍ନାଥ ସେନାର ଶୋଭାଯାତ୍ରା, ବିକ୍ଷୋଭ

ସୁପ୍ରିମକୋର୍ଟ ଯିବ ସଂଗଠନ, ଘେରିବ ଡିଜି କାର୍ଯ୍ୟାଳୟ

ପୁରୀ : ଶ୍ରୀମନ୍ଦିର ପାଇଁ ବିପଦ ସାଜିଛି ଐତିହ୍ୟ କରିଡର ପ୍ରକଳ୍ପ। ଏହାର ଗଭୀର ଖନନ ଦ୍ବାରା ମାଟିର ଶୃଙ୍ଖଳ ବିଗିଡ଼ିଲେ କେବଳ ଶ୍ରୀମନ୍ଦିର ସହ ହଜାର ହଜାର ବର୍ଷର କୀର୍ତ୍ତିରାଜି ବିପଦ ଭିତରକୁ ଚାଲିଯିବ। ଏହା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଡିଜି ଭି. ବିଦ୍ୟାବତୀ ଓ ତାଙ୍କ ଟିମ୍‌ ପୁରୀ ଗସ୍ତରେ ଆସି ଏଭଳି କହି ଉଦ୍‌ବେଗ ପ୍ରକାଶ କରି ଫେରିଛନ୍ତି। ଶ୍ରୀମନ୍ଦିର ୧୦୦ ମିଟର ପରିଧି ବାହାରେ ଖନନ କାର୍ଯ୍ୟ କରିବାକୁ ଯୁକ୍ତି ବାଢ଼ିଛନ୍ତି। ତଥାପି ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ଶୁଣିବାକୁ ନାରାଜ। ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ଶ୍ରୀମନ୍ଦିରଠାରୁ ମାତ୍ର ୨୦ ଫୁଟ ଦୂରରେ ବଡ଼ ବଡ଼ ଜେସିବି, ଏସ୍କାଭେଟର ଲଗାଇ ଖନନ ସହ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି କରିବା ପରେ ଏବେ ଦକ୍ଷିଣଦ୍ବାରରେ ବି ବିରାଟ ବିରାଟ ଗର୍ତ୍ତ ସୃଷ୍ଟି କରି କଂକ୍ରିଟ୍‌ ନିର୍ମାଣ କରାଯାଉଛି। ଶ୍ରୀମନ୍ଦିର ସୁରକ୍ଷା ପ୍ରତି ଠିକା ସଂସ୍ଥାର ଏଭଳି ହେୟଜ୍ଞାନ ଭକ୍ତ, ସେବାୟତଙ୍କ ମନରେ ଅସନ୍ତୋଷ ଭରି ଦେଇଛି। ସେପଟେ ଏହି ନିର୍ମାଣ ବିରୋଧରେ ଶନିିବାର ଦିନ ଶ୍ରୀଜଗନ୍ନାଥ ସେନା ଆନ୍ଦୋଳନକୁ ଓହ୍ଲାଇଛି। ଶ୍ରୀମନ୍ଦିର ପରିକ୍ରମା ପୂର୍ବକ ଖନନ ସ୍ଥଳରେ ଶୋଭାଯାତ୍ରା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି। ନିର୍ମାଣକୁ ବେଆଇନ୍‌ ଦର୍ଶାଇବା ସହ ତୁରନ୍ତ କାମ ବନ୍ଦ କରିବାକୁ ଦାବି କରିଛି। ତଥାପି ଯଦି କାମ ବନ୍ଦ ନ ହୁଏ, ଶ୍ରୀଜଗନ୍ନାଥ ସେନା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ସଂଗଠନର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି। ଆବଶ୍ୟକ ପଡ଼ିଲେ, ଦିଲ୍ଲୀ ପ୍ରତ୍ନତତ୍ତ୍ବ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି, ଆମ ଦେଶର ମହାନ କୀର୍ତ୍ତିରାଜି ସବୁର ସଂରକ୍ଷଣ ତଥା ସୁରକ୍ଷା ପାଇଁ ଏନ୍‌ଏମ୍‌ଏ(ନ୍ୟାସନାଲ୍‌ ମନୁମେଣ୍ଟ ଅଥରିଟି) ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୦୦ ମିଟର ପରିଧିରେ ନିର୍ମାଣ ନେଇ ନିଷିଦ୍ଧାଞ୍ଚଳ ଘୋଷଣା କରିଛି। ଆମ୍‌ସାର ଆଇନର-୧୯୫୮,୨୦(କ)ରେ ଏହା ସ୍ପଷ୍ଟ ଉଲ୍ଲେଖ ରହିଛି। କୌଣସି ପରିସ୍ଥିତିରେ ବି ଶ୍ରୀମନ୍ଦିରର ୧୦୦ ମିଟର ପରିଧିରେ ଖନନ ବା ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ବୋଲି କୁହାଯାଇଛି। କିନ୍ତୁ ରାଜ୍ୟ ସରକାର ଜୋର ଜବରଦସ୍ତ ଏନ୍‌ଏମ୍‌ଏର ଅନୁମତି ବିନା ଶ୍ରୀମନ୍ଦିର ୭୫ ମିଟର ପରିଧିରେ ଖନନ ସହ କଂକ୍ରିଟ୍‌ ନିର୍ମାଣ କରୁଛନ୍ତି। ପ୍ରତ୍ନତତ୍ତ୍ବ ବିଭାଗ ଡିଜି ବି ପୁରୀ ଗସ୍ତରେ ଆସି ଏହି ନିର୍ମାଣ ବେଆଇନ୍‌ ବୋଲି ଦର୍ଶାଇ ସାରିଲେଣି। ମାତ୍ର କାମକୁ ବନ୍ଦ କରିବା ଦିଗରେ ପ୍ରତ୍ନତତ୍ତ୍ବ ବିଭାଗ କୌଣସି ପଦକ୍ଷେପ ନେଇନି କିମ୍ବା ଗୁରୁତବ ଦେଇନାହିଁ। ଏଠି ରାଜ୍ୟ ସରକାର ଓ ପ୍ରତ୍ନତତ୍ତ୍ବ ବିଭାଗ ଭିତରେ ଭିତିରି ସଂପର୍କ ରହିଥିବା ସନ୍ଦେହ କରାଯାଉଛି। ଯଦି ରାଜ୍ୟ ସରକାର ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ଏନ୍‌ଏମ୍‌ଏ ଅନୁମତି ପାଇଛନ୍ତି, ତେବେ ଏହାକୁ ସାର୍ବଜନୀନ କରନ୍ତୁ ବୋଲି ସଂଗଠନ ଦାବି କରିଛି।

ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି ଶ୍ରୀମନ୍ଦିର ୧୦୦ ମିଟର ପରିଧି ବାହାରେ ନିର୍ମାଣ କଲେ ଶ୍ରୀନଅର, ଶ୍ରୀମନ୍ଦିର କାର୍ଯ୍ୟାଳୟ ସହ ଅନ୍ୟ ବଡ଼ ବଡ଼ ଲୋକଙ୍କ କୋଠା ଭାଙ୍ଗିଥାନ୍ତା, ସେମାନଙ୍କୁ ସୁରକ୍ଷା ଦେବାକୁ ଯାଇ ଆଇନ ବିଷୟରେ ବଡ଼ ବଡ଼ ଅଧିକାରୀମାନେ ଜାଣି ବି ୭୫ ମିଟର ପରିଧିରେ ବେଆଇନ୍‌ ନିର୍ମାଣ ଜାରି ରଖିଛନ୍ତି। ଯେଉଁ ବଡ଼ ବଡ଼ ମେସିନ୍‌ ଲଗାଯାଇ ଖନନ ଓ ନିର୍ମାଣ କାର୍ଯ୍ୟ କରାଯାଉଛି, ତାର ତୀବ୍ର କମ୍ପନରେ ଶ୍ରୀମନ୍ଦିର ପ୍ରତି ବିପଦ ରହିଥିବା ଜାଣି ବି ଅଧିକାରୀମାନେ ଏହାକୁ ଅଣଦେଖା କରି ଚାଲିଛନ୍ତି। ଏଣୁ ଏହା ବିରୋଧରେ ସଂଗଠନ ଆଇନର ଆଶ୍ରୟ ନେବ। ଡିଜିଙ୍କୁ ଭେଟିବ। ତଥାପି ଯଦି ଦାବି ପୂରଣ ନ ହୁଏ, ସଂଗଠନ ସୁପ୍ରିମକୋର୍ଟ ଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେହିପରି ଆଜି ଏହି ପ୍ରସଙ୍ଗରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମୁହଁ ଖୋଲିଛନ୍ତି। ଯଦି ଏଡ଼୍‌ଏମ୍‌ଏ ଅନୁମତି ଅଛି, ତାହା ସାର୍ବଜନୀନ କରାଯାଉ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର