କେନ୍ଦୁଝର: କେନ୍ଦୁଝର ଜିଲ୍ଲାରୁ ସ୍ଲରି ପାଇପ୍ଲାଇନ୍ ମାଧ୍ୟମରେ ଖଣିଜ ପରିବହନର ନୂତନ ପ୍ରକଳ୍ପକୁ ବନ୍ଦ କରିବା ସହ ଟ୍ରକ୍ ମାଧ୍ୟମରେ ଖଣିଜ ପରିବହନ ନିମନ୍ତେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଟ୍ରକ୍ ମାଲିକ ସଂଘକୁ ନେଇ ଗଠିତ କୋର କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପକୁ ଶୀଘ୍ର ବନ୍ଦ କରାନଗଲେ ଜିଲ୍ଲାର ଟ୍ରକ୍ ମାଲିକ ଏବଂ ଟ୍ରକ ବ୍ୟବସାର ଉପରେ ନିର୍ଭରଶୀଳ ହଜାର ହଜାର ଲୋକେ ପ୍ରଭାବିତ ହେବେ ବୋଲି କୋର୍ କମିଟି କହିଛି। ଋଣ କରି ଟ୍ରକ୍ କିଣିଥିବା ଶିକ୍ଷିତ ବେକାରମାନେ କାମ ନପାଇ ଆର୍ଥିକ ଅନାଟନ ମଧ୍ୟରେ ଗତି କରିବେ ବୋଲି କୋର୍ କମିଟି ଅଭିଯୋଗ କରିଛି।
ପୂର୍ବରୁ କେତେକ ସ୍ଲରି ପାଇପ୍ଲାଇନ୍ ଜିଲ୍ଲାରେ କାମ କରୁଛି। ନୂତନ ପ୍ରକଳ୍ପ ଆରମ୍ଭ ହେଲେ ଟ୍ରକ୍ ବ୍ୟବସାୟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବ। ତେଣୁ ଖଣିଜ ପରିବହନର ୬୦ ପ୍ରତିଶତ ଟ୍ରକ୍ ଯୋଗେ କରା ନଗଲେ ଏହି ବ୍ୟବସାୟରେ ଥିବା ଲୋକେ ବ୍ୟାପକ କ୍ଷତି ସହିବେ। ଜିଲ୍ଲା ପ୍ରଶାସନ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦୁଝର ଟ୍ରକ୍ ମାଲିକ ସଂଘ ସଭାପତି ରମାକାନ୍ତ ନାୟକ, ଯୋଡ଼ା ଟ୍ରକ୍ ମାଲିକ ସଂଘ ସମ୍ପାଦକ ସୁଶାନ୍ତ କୁମାର ବାରିକ, ବଡ଼ବିଲ ମାଇନିଂ ଏରିଆ ଟ୍ରକ୍ ମାଲିକ ସଂଘର ଚନ୍ଦ୍ରଗୁପ୍ତ ପ୍ରସାଦ, ଗୁଆଲି ଟ୍ରକ୍ ମାଲିକ ସଂଘର କୁଶ ଆପଟ୍ଟ, କାଳିମାଟି ଆଞ୍ଚଳିକ ଟ୍ରକ୍ ମାଲିକ ସଂଘର ମନୋଜ କୁମାର ମହାନ୍ତ ଏବଂ ଭଦ୍ରାସାହି ଟ୍ରକ୍ ମାଲିକ ସଂଘର କୁନା ବାରିକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।