ରାସନ ଚାଉଳ ହଡ଼ପକୁ ବିରୋଧ

କାଳିଆପାଣି: ସୁକିନ୍ଦା ବ୍ଲକ୍‌ କାଳିଆପାଣି ପଞ୍ଚାୟତ ୧ ନମ୍ବର ଓ ୨ ନମ୍ବର ୱାର୍ଡ ଚିରିଗୁଣିଆ ମାଝିସାହି, ଘାଗିଆସାହି ଓ ବିର୍ସାନଗର ବସ୍ତିର ଶତାଧିକ ଆଦିବାସୀ ପରିବାର ସ୍ଥାନୀୟ ଡିଲରଙ୍କ ଦ୍ବାରା ଶୋଷଣର ଶିକାର ହୋଇଆସିଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ଆଜି ସକାଳେ ଚିରିଗୁଣିଆ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଏକାଠି ହୋଇ ଲୋକମାନେ ଡିଲର ବିରୋଧରେ ମେଳି କରିଥିଲେ। ଅଧିକାଂଶ ପାଠ ପଢ଼ିନଥିବା ଏହି ଲୋକମାନଙ୍କୁ ୩ ମାସ ଧରି ସଂପୃକ୍ତ ଡିଲର ବିଭିନ୍ନ ଉପାୟରେ ଠକି ଆସିଥିବା ଅଭିଯୋଗ ହୋଇଛି। ଚାଉଳ ପାଇଁ ଯାଉଥିବା ବ୍ୟକ୍ତିଙ୍କ ଠାରୁ ଡିଲର ଓ ତାଙ୍କ ପରିବାର କୌଶଳ କରି ଆଙ୍ଗୁଠି ଛାପ ନେଇଯିବା ସହ ସେମାନଙ୍କ ଖାତାରେ ଦସ୍ତଖତ କରାଇ ନେଉଛନ୍ତି।

ଚାଉଳ ମାଗିଲେ ତୁମେ ଏବେ ଟିପ ଦେଲ, ପରେ ଚାଉଳ ଆସିବ ବୋଲି କହି ଡିଲର ସେମାନଙ୍କୁ ଫେରାଇ ଦେଇଥିବା ଶ୍ରୀମତୀ ସୋରେନ, ଦିଗି ସୋ‌ରେନ, ସସ୍ମିତା ‌ଟପ୍ନୋ, କାନ୍ଦ୍ରା ହାଁସଦା, ପାର୍ବତୀ ‌ବାସ୍କେ, ବାସନ୍ତୀ ମାଝି, କ‌ାର୍ମି ହେମ୍ବ୍ରମ ପ୍ରମୁଖ କହିଛନ୍ତି। ଧାର୍ଯ୍ୟ ଦିନ ଅନୁପସ୍ଥିତ ରହୁଥିବା ବ୍ୟକ୍ତିକୁ ପରେ ଆଦୌ ଚାଉଳ ଦିଆ ଯାଉନଥିବା ବୁଧମଣି ନ‌ାଏକ, ସୁକାନ୍ତି ହେମ୍ବ୍ରମ, ସମ୍ବାରି ହାଁସଦା, ରାଜୁ ହେମ୍ବ୍ରମ, ଗୋପି ମାରାଣ୍ଡି, ସୀତା ପୂର୍ତ୍ତି, ଧାନୀ ହାଁସଦା କହିଛନ୍ତି। ଚାଉଳ ବଦଳରେ ଡିଲର ଓ ତାଙ୍କ ପରିବାର ସଦସ୍ୟ ହିତାଧିକାରୀମାନଙ୍କୁ ଦୁର୍ବ୍ୟବହାର କରୁଥିବା କାପୁରା ବାସ୍କେ, ସୁମି ମାର୍ଣ୍ଡି, ସାଖୀ ମାଝି, ଝାନ ମୁର୍ମୁ, ଜଗନ୍ନାଥ ଚାତାର, ଫୁଲ ଟୁଡ଼ୁ, ରାଇମୁନି ହେମ୍ବ୍ରମ ପ୍ରମୁଖ ଅଭିଯୋଗ କରିଛନ୍ତି। ମା’ ତାରିଣୀ ଏସ୍‌ଏଚ୍‌ଜି ନାଁରେ ଥିବା ଡିଲରସିପକୁ ଏକ ନିର୍ଦ୍ଦିଷ୍ଟ ପରିବାର ନିଜ କବ୍‌ଜାରେ ରଖି ମାଲାମାଲ୍‌ ହେଉଥିବା ଏହି ହିତାଧିକାରୀମାନେ ଅଭି‌ଯୋଗ କରିଛନ୍ତି। ଆଦିବାସୀମାନଙ୍କୁ ଲୁଟ୍‌ କରାଯିବା ଦୁର୍ଭାଗ୍ୟଜନକ ‌ବୋଲି ୱାର୍ଡମେମ୍ବର ରେବତୀ ମାଝି ଓ ପୂର୍ବତନ ୱାର୍ଡମେମ୍ବର ରୂପାଇ ମାଝି ମତ ଦେଇଛନ୍ତି। ଏସଂପର୍କରେ ଡିଲର ପ୍ରତିନିଧି ସୁଦର୍ଶନ ମେଲସାଣ୍ଡିଙ୍କୁ ପଚାରିବାରେ ତାଙ୍କ ଠାରୁ ୨୦ କୁଇଣ୍ଟାଲ ଚାଉଳ କାଟି ଦିଆ ଯାଇଥିବା ଓ କେବଳ ଡିସେମ୍ବର ମାସରେ କିଛି ଭୁଲ ହୋଇଥାଇପାରେ ବୋଲି କହିଥିଲେ। ଯୋଗାଣ ନିରୀକ୍ଷକ ଦେବାଶିଷ କରଙ୍କୁ ଯୋଗାଯୋଗ କରିବାରେ ସଂପୃକ୍ତ ଡିଲର ବିରୋଧରେ ବହୁ ଲୋକ ତାଙ୍କ ନିକଟରେ ଅଭିଯୋଗ କରିଥିବା କହିଥିଲେ। ଶୀଘ୍ର ସେ କାଳିଆପାଣି ଆସି ଏହାର ତଦନ୍ତକରି ପଦକ୍ଷେପ ନେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର