ବିଦ୍ୟୁତ୍ ଶୁଳ୍କ ବୃଦ୍ଧିର ଭର୍ଚୁଆଲ ଶୁଣାଣିକୁ ବିରୋଧ

ଭୁବନେଶ୍ୱର : ୨୦୨ ୨-୨୩ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନିମନ୍ତେ ଉତ୍ପାଦନ ଓ ବିତରଣ କମ୍ପାନିମାନେ କରିଥିବା ଆବେଦନର ଶୁଣାଣି ଆସନ୍ତାକାଲିଠାରୁ ଓଇଆର୍‌ସି ଆରମ୍ଭ କରିବ। ଏହା ଆସନ୍ତା ୨୮ ତାରିଖ ଚାଲିବ। ଏହି ଶୁଣାଣି ଭର୍ଚୁଆଲ(ଆଭାସି) ମୋଡ୍‌ରେ ହେବାକୁ ଥିବା ବେଳେ ଏହାକୁ ବିରୋଧ କରିଛି ବିଦ୍ୟୁତ୍ ଉପଭୋକ୍ତା ମହାସଂଘ। ଭର୍ଚୁଆଲ ମୋଡ୍‌ରେ ନ କରି ମୁହାଁମୁହିଁ କରିବାକୁ ଦାବି କରିଛି ମହାସଂଘ। ଏ ନେଇ ସୋମବାର ଦିନ ଜୟଦେବବିହାରସ୍ଥିତ ଗୋପବନ୍ଧୁ ଭବନ ସମ୍ମିଳନୀ କକ୍ଷରେ ମହାସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଭାସି ଶୁଣାଣିର ବିରୋଧ କରାଯିବା ସହ ସମ୍ଭାବ୍ୟ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଇଛି।

ବୈଠକରେ ଅଧ୍ୟକ୍ଷତା କରି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଅଭିଯୋଗ କରିଥିଲେ ଯେ କରୋନା ଭଳି ସଙ୍କଟ କାଳରେ ମଧ୍ୟ ଦୁଇ ଦୁଇଥର ଓଇଆରସି ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିଛନ୍ତି। ଫଳରେ ଗତ ଆର୍ଥିକ ବର୍ଷରେ ସର୍ବନିମ୍ନ ୫୦ ୟୁନିଟ୍ ପର୍ଯ୍ୟନ୍ତ ଥିବା ବିଦ୍ୟୁତ୍ ଶୁଳ୍କ ୨.୫୦ ଟଙ୍କାରୁ ବୃଦ୍ଧି ପାଇ ୩ ଟଙ୍କାରେ ପହଞ୍ଚିଛି। ଏହା ସତ୍ତ୍ୱେ ବିଜୁଳି କମ୍ପାନିମାନେ ୨୦୨୨-୨୩ ଆର୍ଥିକ ବର୍ଷରେ ପୁଣି ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପାଇଁ ଆବେଦନ କରିଛନ୍ତି। ନିର୍ବାଚନ ପ୍ରଚାର ପାଇଁ ସରକାର ଅନୁମତି ଦେଇଥିବା ବେଳେ ସ୍କୁଲ, କଲେଜ, ବିଶ୍ଵବିଦ୍ୟାଳୟ ଖୋଲି ସାରିଛି। କରୋନା ଆଳରେ ଆଭାସି ଜନଶୁଣାଣି କରି ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନିଷ୍ପତ୍ତିକୁ ଜନସାଧାରଣଙ୍କ ଉପରେ ଲଦି ଦିଆଯିବାକୁ ଯୋଜନା ହୋଇଛି। ଏଭଳି ହେଲେ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି। ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ବିଦ୍ୟୁତ୍ ସଂସ୍କାରକୁ ନେଇ ଏକ ରାଜ୍ୟସ୍ତରୀୟ ଗଣ କନ୍‌ଭେନ୍‌ସନ ଆୟୋଜନ ହେବାକୁ ଯାଉଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।

ପ୍ରାରମ୍ଭରେ ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମହାସଂଘ ଆବାହକ ରବି ବେହେରା ସୂଚନା ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସୁରେଶ ପାଣିଗ୍ରାହୀ, ପ୍ରଫୁଲ୍ଲ ସାମନ୍ତରା, ଶ୍ରୀମତୀ ପ୍ରମିଳା, ଶେଖ ଅବଦୁଲ ୱାଲି ଓ ଏନ୍. ନାରାୟଣ ରେଡ୍ଡି, ଜ୍ୟୋତିରଞ୍ଜନ ମହାପାତ୍ର ପ୍ରମୁଖ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସମୂହର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ଆଜିକୁ ୨୭ ବର୍ଷ ତଳେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ବିଜୁଳି ସଂସ୍କାର ଆରମ୍ଭ କରିଥିଲା। ସରବରାହ ଜନିତ ବିଜୁଳି କ୍ଷତିକୁ ୧୫ ପ୍ରତିଶତକୁ କମାଇବା ସହ ବିଜୁଳି ସେବାକୁ ସୁଲଭ, ନିରବଚ୍ଛିନ୍ନ ଓ ଗୁଣାତ୍ମକ କରିବା ପାଇଁ ଯୋଜନା କରିଥିଲା। ହେଲେ ଆଜି ଖୋଦ ରାଜଧାନୀରେ ବିଜୁଳି ସେବା ବିପର୍ଯ୍ୟସ୍ତ। ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ସରବରାହ ଜନିତ ଭିତ୍ତିଭୂମିର ବିକାଶ, ବନ୍ୟା, ବାତ୍ୟା ସମୟରେ ମରାମତିରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, କେବୁଲ ବିଛାଇବା ପାଇଁ ଏପର୍ଯ୍ୟନ୍ତ କେତେ ଟଙ୍କା ଖର୍ଚ୍ଚ କରାଯାଇଛି ଏହାର ହିସାବ ବିଜୁଳି କମ୍ପାନିମାନେ ସାର୍ବଜନୀନ କରିବାକୁ ମହାସଂଘ ଦାବି କରିଛି।

ସମ୍ବନ୍ଧିତ ଖବର