ଚମକପୁର : ଯୋଡ଼ା ବ୍ଳକ ଅନ୍ତର୍ଗତ ଦେଓଝର ଗ୍ରାମ ପଞ୍ଚାୟତରେ ରହିଥିବା କାଟାମାଟି ଖଣି ସମ୍ମୁଖ ରାସ୍ତାରେ ଟ୍ରକ୍ ପାର୍କିଂକୁ ସ୍ଥାନୀୟ ଅଧିବାସୀ ଘୋର ବିରୋଧ କରିଛନ୍ତି। ଏ ନେଇ ଖଣି କମ୍ପାନି ଓ ପରିବହନ ସଂସ୍ଥାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ପଦକ୍ଷେପ ନିଆ ନଯିବାରୁ ସୋମବାର ଗ୍ରାମବାସୀ ବୈଠକରେ ଏକତ୍ରିତ ହୋଇ ଏହାକୁ ତୀବ୍ର ବିରୋଧ କରିଛନ୍ତି।

Advertisment

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ଖଣିରେ ଦୈନିକ ଖଣିଜ ପରିବହନ କରିବା ପାଇଁ ଆସୁଥିବା ଟ୍ରକ୍ ଗୁଡ଼ିକ ପାର୍କିଂରେ ରହିବା ପରିବର୍ତ୍ତେ ରାସ୍ତା ଉପରେ ତିନି ଚାରି ଦିନ ପାର୍କିଂ କରୁଛନ୍ତି। ଏହା ଯୋଗୁଁ ରାସ୍ତା ପ୍ରବଳ ଜାମ ହେଉଛି। ଫଳରେ ଗ୍ରାମବାସୀ ନାନା ପ୍ରକାର ସମସ୍ୟା ଭୋଗୁଛନ୍ତି। ଝରଣାରେ ଗାଧୋଇବା, ପାଣି ଆଣିବା, ପାଠ ପଢ଼ିବା ପାଇଁ ଯାଆସ, ମୁର୍ଗା ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ଯାତାୟାତ, ଧୂଳି ଉଡୁଛି, ରାସ୍ତା ଖରାପ, ପଟ୍ଟା ଥିବା ଜମି ଉପରେ ଯାଇଥିବା ରାସ୍ତାରେ ଖଣିଜ ପରିବହନ କରିବା ଦ୍ଵାରା କିଛି ଲୋକ ଚାଷ କାମରେ କ୍ଷତି ସହୁଥିବା ଇତ୍ୟାଦି ସେମାନେ ଅଭିଯୋଗ କରିଛନ୍ତି।

ପରିବହନ ସଂସ୍ଥା ଓମ୍ ସାରଦା ଓ ଡିଆର୍ ସିଏଲ କର୍ମଚାରୀଙ୍କୁ ଏ ନେଇ ଅବଗତ କରାଇବା ପରେ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ପରିବହନ ସଂସ୍ଥା ପକ୍ଷରୁ ପ୍ରତିଶ୍ରୁତି ଦିଆ ଯାଇଥିଲା। ବୈଠକରେ କାଟାମାଟି ମଜଦୁର ସଙ୍ଘ ସାଧାରଣ ସମ୍ପାଦକ ବୀର ନାଏକ, ୱ।ର୍ଡ ମେମ୍ବର ବିଳାସୀ ନାଏକ, ଗମିଆ ମୁଣ୍ଡା, ଭିମଲ୍ ମୁଣ୍ଡା, ଚିତ୍ରମଣି ମୁଣ୍ଡା, ମକରଧ୍ବଜ ନାଏକ, ଲକ୍ଷ୍ମଣ ବାରିକଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ ।