ବିରୋଧୀଙ୍କ ମୁଣ୍ଡ କାମ କରୁନି: ପାଣ୍ଡିଆନ

ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ମାରାଥନ୍ ପ୍ରଚାର

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀର ସାତଟି ଯାକ ବିଧାନସଭା କ୍ଷେତ୍ରରେ ମାରାଥନ୍ ପ୍ରଚାର କରିଛନ୍ତି। ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେ ନିବେଦନ କରିବା ସହ ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଓଡ଼ିଶାବାସୀଙ୍କ ଏତେ ଭଲପାଇବା ଦେଖି ବିରୋଧୀଙ୍କ ମୁଣ୍ଡ କାମ କରୁନାହିଁ। ବାହାରୁ ବଡ଼ ବଡ଼ ନେତା ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳି ଦେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଏପରି ଅସମ୍ମାନିତ କରୁଥିବା ଲୋକମାନଙ୍କୁ ମୁହଁତୋଡ଼ ଜବାବ ଦେବାକୁ ପାଣ୍ଡିଆନ ଆହ୍ବାନ ଦେଇଥିଲେ। ନିମାପଡ଼ା, କାକଟପୁର, ନିଆଳି, ବାଲିକୁଦା-ଏରସମା, ପାରାଦୀପ, ତିର୍ତ୍ତୋଲ ଓ ଜଗତସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପାଣ୍ଡିଆନ ପ୍ରଚାର କରିଥିଲେ। ଏହି ଅବସରରେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ସେ କହିଲେ, ଆସାମ ମୁଖ୍ୟମନ୍ତ୍ରୀ ଜାଣିବା ଉଚିତ ଯେ ନବୀନ ବାବୁ ଆପଣଙ୍କ ଗୁରୁଙ୍କ ଗୁରୁ ସହିତ କାମ କରିଛନ୍ତି। ବାଜପେୟୀଙ୍କ ସରକାରରେ ନବୀନ ବାବୁ ଯେତେବେଳେ କ୍ୟାବିନେଟ୍‍ ମନ୍ତ୍ରୀ ଥିଲେ, ସେ ସେତେବେଳେ ଓକିଲାତି କରୁଥିଲେ। ସେ ଓଡ଼ିଶାବାସୀଙ୍କ ଠାରୁ ସଂସ୍କାର ଶିଖନ୍ତୁ। ଓଡ଼ିଶା କେବେ ଅତିଥିଙ୍କୁ ଏମାଟିରେ ଅସମ୍ମାନିତ କରେ ନାହିଁ। ମହାପ୍ରଭୁ ତାଙ୍କୁ ସଦ୍‍ବୁଦ୍ଧି ଦିଅନ୍ତୁ। ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରନ୍ତୁ ନାହିଁ।

ପାଣ୍ଡିଆନ ପୁଣି କହିଲେ, ଆସାମ ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଆସି କହୁଛନ୍ତି ଯେ ଓଡ଼ିଶାକୁ ଏକ ନମ୍ୱର କରିବେ। ପ୍ରଥମେ ସେମାନେ ନିଜ ରାଜ୍ୟକୁ ଦେଖନ୍ତୁ, ତା’ପରେ ଓଡ଼ିଶା କଥା ଚିନ୍ତା କରିବେ। ଓଡ଼ିଶାଠୁ ସବୁ କ୍ଷେତ୍ରରେ ସେମାନେ ବହୁ ପଛରେ ଅଛନ୍ତି। ଓଡ଼ିଶାକୁ ଏକ ନମ୍ୱର କରିବେ ନବୀନ ପଟ୍ଟନାୟକ। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଠାରୁ କିଛି ଶିଖିକି ଯାଆନ୍ତୁ, କାମରେ ଲାଗିବ। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର ଓ ତାଙ୍କୁ ଅସମ୍ମାନିତ କରିବାକୁ ଓଡ଼ିଶାବାସୀ କେବେ ବରଦାସ୍ତ କରିବେ ନାହିଁ। ଜୁନ ୧ ତାରିଖରେ ଆପଣମାନେ ଏହାର ଉଚିତ ଜବାବ ଦେବେ ବୋଲି ସେ କହିଥିଲେ।
ସେ କହିଲେ ଯେ ବିରୋଧୀ ଦଳ ବିଜୁ ଜନତା ଦଳର କର୍ମୀମାନଙ୍କୁ ଧମକ ଦେଉଛନ୍ତି। ଆକ୍ରମଣ କରୁଛନ୍ତି। ଏଇଟା ଭଲ ନୁହେଁ । ଆମ ଦଳର କୌଣସି କର୍ମୀଙ୍କ ଦେହରେ ହାତ ଲଗେଇବାକୁ ଦେବୁ ନାହିଁ। ମୁଖ୍ୟମନ୍ତ୍ରୀ ଶାନ୍ତିରେ ବିଶ୍ୱାସ କରନ୍ତି।

ବାହାରୁ ବଡ଼ ନେତା ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳି ଦେଉଛନ୍ତି
ଓଡ଼ିଶାବାସୀ ମୁହଁତୋଡ଼ ଜବାବ ଦେବେ
ଆସାମ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କଠାରୁ ସଂସ୍କାର ଶିଖନ୍ତୁ

ଓଡ଼ିଶାବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିବଦ୍ଧତା ଓ ଭଲ ପାଇବା ସମ୍ପର୍କରେ ବର୍ଣ୍ଣନା କରି ସେ କହିଲେ ଯେ, ସେ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ନିଜପରିବାରର ସଦସ୍ୟ ବୋଲି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ଲାଗି ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି। ମହାପ୍ରଭୁଙ୍କ କୃପାରୁ ଓ ଆପଣମାନଙ୍କ ଆଶୀର୍ବାଦରୁ ସମସ୍ତେ ଜାଣିଗଲେଣି ଯେ ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ, ୯୦ ପ୍ରତିଶତ ଲୋକଙ୍କ ପାଇଁ ବିଜୁଳି ବିଲ୍‍ ଛାଡ଼। ଦ୍ୱିତୀୟ ଦସ୍ତଖତରେ ବିଏସ୍‌କେୱାଇରେ ସମସ୍ତେ ସାମିଲ ହେବେ। ବିପିଏଲ୍‍ କାର୍ଡ ନଥିଲେ ଏପରିକି ସରକାରୀ ଚାକିରିରେ ଥିଲେ ମଧ୍ୟ ସମସ୍ତେ ବିଏସ୍‌କେଵାଇ କାର୍ଡ ପାଇବେ। ତୃତୀୟରେ ମିସନ ଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନ୍‍ସନ୍‍ ସୁବିଧା ମିଳିବ। ନିମାପଡ଼ାରେ ସେ କହିଲେ ଯେ, ସୋମନାଥ ମନ୍ଦିର ପାଇଁ ୫ କୋଟି ଟଙ୍କା, ଜଟେଶ୍ୱର ମନ୍ଦିର ପାଇଁ ୧.୫୦ କୋଟି ଟଙ୍କା, ଅମରେଶ୍ୱର ମନ୍ଦିର ପାଇଁ ୧.୫୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଦେଇଛନ୍ତି । ମତ୍ସ୍ୟଜୀବୀମାନଙ୍କ କଲ୍ୟାଣ ପାଇଁ ୧୫ ହଜାର ଟଙ୍କାର ପ୍ୟାକେଜ୍‍ କରିଛନ୍ତି ଏବଂ ପାନ ଚାଷ ଲାଗି ମଧ୍ୟ ସ୍ୱତନ୍ତ୍ର ଯୋଜନା କରିଛନ୍ତି। ନିଆଳିକୁ ମୁଖ୍ୟମନ୍ତ୍ରୀ ଏନ୍‍ଏସି କରିଛନ୍ତି। ମାଧବାନନ୍ଦଜୀଉ ମନ୍ଦିରର ରୂପାନ୍ତର ପାଇଁ ୫ କୋଟି ଟଙ୍କା ଦେଇଛନ୍ତି। ବାଲିକୁଦା-ଏରସମାରେ କୁଞ୍ଜବିହାରୀ ମନ୍ଦିର ପାଇଁ ୨.୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ତିର୍ତ୍ତୋଲରେ ମା’ ସାରଳା ମନ୍ଦିର ରୂପାନ୍ତରିତ କରିବା ପାଇଁ ୪୫ କୋଟି ଟଙ୍କା, ଗୋରେଖନାଥ ପୀଠର ଉନ୍ନତି କରଣ ପାଇଁ ୨ କୋଟି ୨୫ ଲକ୍ଷ ଟଙ୍କା, ପଞ୍ଚସଖା ଧ୍ୟାନପୀଠ ରୂପାନ୍ତରଣ ପାଇଁ ୨ କୋଟି ୧୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି। ପାରାଦୀପରେ ସେ କହିଥିଲେ ଯେ, ଆପଣମାନେ ଯାହାବି ଦରଖାସ୍ତ ଦେଇଥିଲେ ତା’ମଧ୍ୟରୁ ୮୦ ପ୍ରତିଶତ ସମାଧାନ ହୋଇଛି । ଆଉ ଯାହାବି ସମସ୍ୟା ଅଛି ଖୁବ୍‍ ଶୀଘ୍ର ସମାଧାନ ହେବ। ପାରାଦୀପ ପାଇଁ ବହୁ ପୁଞ୍ଜିନିବେଶ ଆଣିଛନ୍ତି ମୁଖ୍ୟମନ୍ତ୍ରୀ। ପାରାଦୀପର ଉନ୍ନତି ହେବ, ଲୋକଙ୍କ ରୋଜଗାର ବଢ଼ିବ।

କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ, ନିମାପଡ଼ା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ କୁମାର ନାୟକ, କାକଟପୁର ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା, ନିଆଳି ବିଧାୟକ ପ୍ରାର୍ଥୀ ପ୍ରମୋଦ ମଲ୍ଲିକ, ବାଲିକୁଦା-ଏରସମା ବିଧାୟକ ପ୍ରାର୍ଥୀ ଶାରଦା ପ୍ରସନ୍ନ ଜେନା, ପାରାଦୀପ ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ, ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ଓ ଜଗତସିଂହପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର