ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି: ବିଜେଡି

ଭୁବନେଶ୍ୱର : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ମହାଅଭିଯୋଗ ଆଣିବା ପାଇଁ ପ୍ରକ୍ରିୟା ଚାଲିଥିବା କୁହାଯାଉଛି। ଏ ନେଇ ଅନ୍ୟ ରାଜନୈତିକ ଦଳର ଆଭିମୁଖ୍ୟ କ’ଣ ହେବ, ତାହା ଏବେ ସ୍ପଷ୍ଟ ହୋଇନାହିଁ। ତେବେ ବିଜେଡିକୁ ଯୋଡ଼ି ସୋସିଆଲ୍‌ ମିଡିଆରେ ଏହାକୁ ନେଇ ଚାଲିଥିବା ଚର୍ଚ୍ଚାକୁ ବିଜେଡି ବିରୋଧ କରିଛି। ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ପ୍ରତି ଆମ ଦଳର ଯଥେଷ୍ଟ ସମ୍ମାନ ଅଛି ଓ ରହିବ। ସୋସିଆଲ୍‌ ମିଡିଆରେ ଯାହା ପ୍ରଚାର ଚାଲିଛି, ସେସବୁ ହୀନ ଷଡ଼ଯନ୍ତ୍ରକାରୀ ରାଜନୈତିକ ଦଳର ହୀନ ଉଦ୍ୟମ। ଆବଶ୍ୟକ ପଡ଼ିଲେ ଆମେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନେବୁ। ସେହିପରି ବିଜେଡି ପକ୍ଷରୁ ଜାରି ଏକ ପ୍ରେସ୍‌ ବିବୃତିରେ ଦଳର ସମ୍ପାଦକ ବିଜୟ ନାୟକ କହିଛନ୍ତି, ସୋସିଆଲ୍‌ ମିଡିଆରେ ଯେଉଁସବୁ ନକରାତ୍ମକ ଚିନ୍ତାଧାରାର ମେସେଜ୍‌ ଦିଆଯାଉଛି, ତାହା କେବଳ କିଛି ଗୁଜବ ପ୍ରଚାରକାରୀଙ୍କ କଳା କାରନାମା। ଏହାକୁ ବିଜେଡି ଦୃଢ଼ ନିନ୍ଦା କରୁଛି।

ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ଅଭିଯୋଗ କରିଛନ୍ତି, ମହାଅଭିଯୋଗ ପ୍ରସ୍ତାବ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ ନୁହେଁ। ପ୍ରଧାନମନ୍ତ୍ରୀ ଓ ବିଜେପି ବିରୋଧୀଙ୍କ ନେତୃତ୍ୱ ନେଉଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବିଜେଡି ସାଂସଦଙ୍କର ଏହି ପ୍ରସଙ୍ଗରେ ଦିଲ୍ଲୀରେ କଥାବାର୍ତ୍ତା ହୋଇଛି। ପ୍ରଧାନ ବିଚାରପତିଙ୍କ ପ୍ରତି ସମ୍ମାନ ଅଛି ବୋଲି ଓଡ଼ିଶାରେ ବିଜେଡି ନେତା କହୁଥିଲା ବେଳେ ବାସ୍ତବରେ ବିଜେଡି ମହାଅଭିଯୋଗ ପ୍ରସ୍ତାବକୁ ସମର୍ଥନ ଜଣାଉଛି। ଏହା ବିଜେଡିର ଓଡ଼ିଶା ତଥା ଓଡ଼ିଆ ବିରୋଧୀ ମନୋଭାବକୁ ପ୍ରମାଣିତ କରିଛି ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର