କେନ୍ଦୁଝର: ପଥର ଖାଦାନ ଲିଜ୍ ଏବଂ କ୍ରସର ପ୍ରତିଷ୍ଠାକୁ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ କାକୁଡ଼ିଅମ୍ଆ, ଟୁଙ୍ଗୁରୁବାହାଳ, ରୁଗୁଡିହି, ଜନସନପୁର ଓ ବେଣିଡିହି ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ଏନେଇ ଆଜି ଲୋକେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସେମାନେ ବଣପାହାଡ଼ ପରିବେଶରେ ଚଳି ଆସୁଛନ୍ତି। ବଣରୁ କାଠପତ୍ର ସହିତ ବିଭିନ୍ନ ଚେରମୂଳି ଔଷଧ ମଧ୍ୟ ସଂଗ୍ରହ କରୁଛନ୍ତି। ଏହାଛଡ଼ା କେନ୍ଦୁପତ୍ର, ମହୁଲ, ଶାଗ, ବରଆଳୁ ସଂଗ୍ରହ କରି ଜୀବିକା ନିର୍ବାହ କରୁଛନ୍ତି।
ବର୍ତ୍ତମାନ ସରକାର ଗାଁ ନିକଟରେ ଥିବା ପାହାଡ଼ରୁ ପଥର ଉତ୍ତୋଳନ କରିବପାଇଁ ଲିଜ୍ ଦେବାକୁ ଯୋଜନା କରୁଛନ୍ତି। ସେହିପରି ଏଠାରେ କ୍ରସର ପ୍ରତିଷ୍ଠା ପାଇଁ ମସୁଧା ଚାଲିଛି। ଯେଉଁଠାରେ ପଥର ଖାଦାନ ଲିଜ୍ ଦେବାକୁ କରାଯାଉଛି ସେଠାରୁ ମାତ୍ର ୫୦ରୁ ୧୦୦ ମିଟର ଦୂରରେ ଜନବସତି, ସ୍କୁଲ୍ ରହିଛି। ଆଉ ଏହି ଗ୍ରାମରେ ୩୭୫ଟି ପରିବାର ବାସ କରୁଛନ୍ତି। ପଥର ଖାଦାନ ଓ କ୍ରସର ପ୍ରତିଷ୍ଠା ହେଲେ ଏହାର ସିଧାସଳଖ ପ୍ରଭାବ ଲୋକଙ୍କ ଉପରେ ପଡ଼ିବ। ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେବ। ଏହା ପୂର୍ବରୁ ଏଠାରେ ଏକ ପଥର ଖାଦାନ ଚାଲିଥିଲା। ଏହାଦ୍ବାରା ପ୍ରଦୂଷଣ ବୃଦ୍ଧି ପାଇଥିଲା। ଏପରିକି ଏଠାରେ ଜଣେ ଯବୁକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା। ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଠାରେ ପଥର ଖାଦାନ ଏବଂ କ୍ରସର ପ୍ରତିଷ୍ଠା ପାଇଁ ଅନୁମତି ନ ଦେବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/7-4.jpg)