ଓପିଏସ୍‌ସିରେ ଅଚଳାବସ୍ଥା ଆଶଙ୍କା : ୨ ସଦସ୍ୟ ପଦ ଖାଲି, ଦୁଇ ମାସରେ ଅବସର ନେବେ ଆଉ ଦୁଇ

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଅଧ୍ୟକ୍ଷ ଓ ସଦସ୍ୟ ପଦ ଆଗକୁ କିଛି ମାସ ଭିତରେ ଖାଲି ହେବାକୁ ଯାଉଛି। ଏଭଳି ସ୍ଥିତିରେ ଏବେଠାରୁ ପଦକ୍ଷେପ ନ ନେଲେ ଆୟୋଗରେ ଅଚଳାବସ୍ଥା ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଓପିଏସ୍‌ସିର ଅଧ୍ୟକ୍ଷ ବ୍ରିଗେଡିୟର ଲକ୍ଷ୍ମୀଚରଣ ପଟ୍ଟନାୟକ କିଛି ଦିନ ପୂର୍ବରୁ ଏ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଲୋଚନା କରିବା ସହିତ ଏ ଦିଗରେ ପଦକ୍ଷେପ ନେବାକୁ ଏକ ଚିଠି ଲେଖିଥିବା ଜଣା ପଡ଼ିଛି।

ରାଜ୍ୟ ବିଚାରବିଭାଗୀୟ ସେବା, ପ୍ରାଶାସନିକ ସେବା, ପୁଲିସ ସେବା, ଶିକ୍ଷା ସେବା, ଡାକ୍ତରୀ ସେବା ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ପରିଚାଳନା ଦାୟିତ୍ବ ହେଉଛି ଓପିଏସ୍‌ସିର। ରାଜ୍ୟ ସରକାରୀ ଅଧିକାରୀଙ୍କ ପଦୋନ୍ନତି ତଥା ଚାକିରିର ଆନୁଷଙ୍ଗିକ ସର୍ତ୍ତ ନିର୍ଦ୍ଧାରଣ ଦାୟିତ୍ବ ବି ଓପିଏସ୍‌ସିର। ଆୟୋଗ ଏକ ସ୍ବଂୟଶାସିତ ଅନୁଷ୍ଠାନ ହୋଇଥିବା ବେଳେ ପରିଚାଳନା ପାଇଁ ଆୟୋଗର ମୁଖ୍ୟ ଭାବେ ଜଣେ ଅଧ୍ୟକ୍ଷ ଓ ୫ ଜଣ ସଦସ୍ୟ ପଦବି ରହିଛି। କିନ୍ତୁ ବର୍ତ୍ତମାନ ଅଧ୍ୟକ୍ଷ ଭାବେ ଏଲ୍.ସି.ପଟ୍ଟନାୟକ କାର୍ଯ୍ୟ କରୁଥିବା ବେଳେ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଇଂଜିନିୟର ଏସ୍.କେ.ରାୟ, ଅବସରପ୍ରାପ୍ତ ପ୍ରାଶାସନିକ ଅଧିକାରୀ ପି.ସି.ପତି ଓ ପ୍ରଫେସର ନମିତା ମହାନ୍ତି। ଅର୍ଥାତ ୨ଟି ସଦସ୍ୟ ପଦ ଖାଲି ପଡ଼ିଛି। ୨ ମାସ ତଳେ ସଦସ୍ୟ ଜଗନ୍ନାଥ ମହାନ୍ତି ଅବସର ନେଇ ସାରିଥିବା ବେଳେ ଏଯାଏ କାହାକୁ ଆଉ ନିଯୁକ୍ତି ଦିଆଯାଇ ନାହିଁ।

ସୂଚନା ଅନୁଯାୟୀ ବର୍ତ୍ତମାନର ଅଧ୍ୟକ୍ଷ ଆସନ୍ତା ଡିସେମ୍ବର ୨୪ରେ ଅବସର ନେବାକୁ ଥିବା ବେଳେ ପ୍ରଫେସର ନମିତା ମହାନ୍ତି ଅକ୍ଟୋବର ମାସରେ ଏବଂ ଶ୍ରୀ ରାୟ ଓ ଶ୍ରୀ ପତି ‌ମେ ମାସରେ ଅବସର ନେବେ। ଅର୍ଥାତ ବର୍ତ୍ତମାନର ଅଧ୍ୟକ୍ଷ ଓ ସମସ୍ତ ସଦସ୍ୟ ଚଳିତ ବର୍ଷ ଅବସର ନେବାକୁ ଯାଉଥିବା ବେଳେ ଏବେ ବି ଦୁଇଟି ସଦସ୍ୟ ପଦ ଖାଲି ପଡ଼ିଛି। ତେଣୁ ଏଭଳି ସ୍ଥିତିରେ ପଦକ୍ଷେପ ନେଇ ସଦସ୍ୟ ନିଯୁକ୍ତ ନ କଲେ ଓପିଏସସିରେ ଅଚଳାବସ୍ଥା ସୃଷ୍ଟି ହେବା ଆଶଙ୍କା କରାଯାଉଛି। ଅନ୍ୟପଟେ ସଦସ୍ୟ ଓ ଅଧ୍ୟକ୍ଷ ନିଯୁକ୍ତ ସମୟରେ ଭାରତୀୟ ପ୍ରାଶାସନିକ ସେବାର ବରିଷ୍ଠ ଅଥବା ଅବସରପ୍ରାପ୍ତ ଅଧିକାରୀଙ୍କୁ ଗୁରୁତ୍ବ ଦେବା ପାଇଁ ମତ ପ୍ରକାଶ ପାଇଛି। ପରୀକ୍ଷାର ସାକ୍ଷାତକାର ପରିଚାଳନା ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରାଶାସନିକ କାର୍ଯ୍ୟ ଆୟୋଗଙ୍କ ଦ୍ବାରା ନିୟନ୍ତ୍ରିତ ହେଉଥିବାରୁ ଭାରତୀୟ ପ୍ରାଶାସନିକ ସେବାର ଦକ୍ଷ ଅଧିକାରୀ ଆୟୋଗକୁ ସକ୍ରିୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର