ଓପିଏସ୍‌ସି ପରୀକ୍ଷା ଘୁଞ୍ଚାଇବାକୁ ଟୁଇଟ୍‌ରରେ ଟ୍ରେଣ୍ଡ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ପ୍ରାର୍ଥୀ

ଭୁବନେଶ୍ବର : ଜାନୁଆରି ୨୦ରୁ ଫେବ୍ରୁଆରି ୮ ମଧ୍ୟରେ ଓଡ଼ିଶା ଲୋକସେବା ଆୟୋଗର ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ଓଡ଼ିଶାର ବିଭିନ୍ନ ସହରରେ ହୋଇଥିବା କେନ୍ଦ୍ରରେ ପାଖାପାଖି ୫ହଜାର ପିଲା ଏହି ପରୀକ୍ଷା ଦେବାକୁ ଅଛନ୍ତି। ଓଡ଼ିଶା ସମେତ ବାହାର ରାଜ୍ୟରେ ରହୁଥିବା ପିଲାମାନେ ମଧ୍ୟ ପରୀକ୍ଷା ଦେବାକୁ ଆସିବେ। ତେବେ କରୋନାର ସଂକ୍ରମଣ ଯେଉଁଭଳି ଭାବେ ବଢ଼ି ଚାଲିଛି, ସେଥିରେ ପରୀକ୍ଷା ଦେବା ସମ୍ଭବପର ନୁହେଁ। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ସ୍ଥଗିତ ରଖିବାକୁ ପ୍ରାର୍ଥୀମାନେ ଟୁଇଟ୍‌ରେ ଦାବି କରିଛନ୍ତି। ଆଜି ଦିନତମାମ ଏହା ଟୁଇଟ୍‌ରେ ‌ଟ୍ରେଣ୍ଡ ହେବା ସହ କିଛି ପ୍ରାର୍ଥୀ ଭୁବନେଶ୍ବରରେ ଏକାଠି ହୋଇ ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ପ୍ରାର୍ଥୀଙ୍କ କହିବାନୁଯାୟୀ, ପରୀକ୍ଷା ଦେବାକୁ ଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୬୦% ପରୀକ୍ଷାର୍ଥୀଙ୍କ ସେଣ୍ଟର୍‌ ଭୁବନେଶ୍ବରରେ ହୋଇଛି। ଗତ କିଛି ଦିନ ହେଲା ଭୁବନେଶ୍ବରରେ ସଂକ୍ରମଣ ବଢ଼ିଚାଲିଛି। ରେଡ୍‌ ଜୋନ୍‌ରେ ରହିଛି। ବର୍ତମାନ ସମୟରେ ଏଠାରେ ପରୀକ୍ଷା ଦେବା ସମ୍ଭବପର ହେବ ନାହିଁ। ଜଣେ ପ୍ରାର୍ଥୀ ଯଦି ଆକ୍ରାନ୍ତ ହୁଅନ୍ତି ଘରକୁ ଫେରିଲେ ତା’ ପରିବାର ବି ପ୍ରଭାବିତ ହେବ। ଆକ୍ରାନ୍ତଙ୍କ ସଂଖ୍ୟା ବହୁ ପରିମାଣରେ ବଢ଼ିଯିବ। କେବଳ ସେତିକି ନୁ‌ହେଁ, ପରୀକ୍ଷା ପୂର୍ବରୁ ବହୁ ପିଲା ଭୁବନେଶ୍ବରରେ ଆସି ରହିଥାନ୍ତି। ଏବେ କିନ୍ତୁ ଭୁବନେଶ୍ବରରେ ଘର ଭଡ଼ା ମିଳୁନାହିଁ। କେହି ଘର ଦେବାକୁ ଆଗ୍ରହ ଦେଖାଉ ନାହାନ୍ତି। ଇତିମଧ୍ୟରେ କେତେଜଣ ପ୍ରାର୍ଥୀ ଏବେ କରୋନା ଆକ୍ରାନ୍ତ ହୋଇଛନ୍ତି। ଏବେ ପରୀକ୍ଷା କରାଗଲେ ସେମାନେ ଆସିପାରିବେ ନାହିଁ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ସମେତ ଓପିଏସ୍‌ସି ଅଧିକାରୀଙ୍କୁ କୋଭିଡ୍‌ ରିପୋର୍ଟ ସହ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର