ଗୋଟିଏ ଦିନରେ ତିନି ପରୀକ୍ଷାକୁ ବିରୋଧ

ଓପିଏସ୍‌ସିକୁ ପତ୍ର ଲେଖିଲେ ପରୀକ୍ଷାର୍ଥୀ, ତାରିଖ ପରିବର୍ତ୍ତନ ନ‌ କଲେ ଧାରଣା ଚେତାବନୀ

କଟକ : ଗୋଟିଏ ଦିନରେ ୩ଟି ପରୀକ୍ଷା ବିଜ୍ଞପ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଛି। ଆଶାୟୀ ପରୀକ୍ଷାର୍ଥୀ ମାନେ ଏହାକୁ ବିରୋଧ କରିବା ସହ ଗୋଟିଏ ଦିନରେ କିପରି ୩ଟି ପରୀକ୍ଷା ଦେବୁ ବୋଲି ପ୍ରଶ୍ନ କରିଛନ୍ତି। ପରୀକ୍ଷା ପାଇଁ ଧାର୍ଯ୍ୟ ତାରିଖ ପରିବର୍ତ୍ତନ କରାନଗଲେ ଆସନ୍ତା ୨୯ତାରିଖରେ ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ବହୁ ପରୀକ୍ଷାର୍ଥୀ ଓଡ଼ିଶା ଲୋକସେବା ଆୟୋଗ ଅଧିକାରୀଙ୍କୁ ପତ୍ର ଲେଖି ଚେତାବନୀ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଆସନ୍ତାବର୍ଷ ଜାନୁଆରି ୨୦ତାରିଖରେ ଆସିଷ୍ଟାଣ୍ଟ୍‌ ସେକ୍ସସନ୍ ଅଫିସର୍‌(ଏଏସ୍‌ଓ) ପରୀକ୍ଷା ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। କିନ୍ତୁ ସେହି ଦିନ ରେଳବାଇ ନିଯୁକ୍ତି ବୋର୍ଡର ଏଏଲ୍‌ପି ମୁଖ୍ୟ ପରୀକ୍ଷା ଓ ଆଇବିପିଏସ୍‌ କ୍ଲର୍କ ମେନ୍‌ ପରୀକ୍ଷା ପାଇଁ ସୂଚି ବାହାରିଛି। ଗୋଟିଏ ଦିନରେ ୩ଟି ପରୀକ୍ଷା ଆୟୋଜନକୁ ନେଇ ବିଜ୍ଞପ୍ତି ବାହାରି ଥିବାରୁ ଲକ୍ଷାଧିକ ଆଶାୟୀ ପରୀକ୍ଷାର୍ଥୀ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି। ଆଜି ଏ ନେଇ ବହୁ ଆଶାୟୀ ପରୀକ୍ଷାର୍ଥୀ ଓଡ଼ିଶା ଲୋକସେବା ଆୟୋଗ ଅଧିକାରୀଙ୍କୁ ପତ୍ର ଲେଖି ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି କରିଛନ୍ତି। ଗୋଟିଏ ଦିନରେ ୩ଟି ପରୀକ୍ଷା ହେଲେ ବିଶେଷକରି ୫୦ହଜାରରୁ ଅଧିକ ପରୀକ୍ଷାର୍ଥୀ ଏଏସ୍‌ଓ ପରୀକ୍ଷା ଦେବାରୁ ବଞ୍ଚିତ ‌ହେବେ ବୋଲି ଅଭିଯୋଗକାରୀ ପତ୍ରରେ ଦର୍ଶାଇଛନ୍ତି। ତେଣୁ ପରୀକ୍ଷା ତାରିଖ ଘୁଞ୍ଚା ନ ଗଲେ କୋର୍ଟଙ୍କ ଦ୍ବାରସ୍ଥ ହେବା ସହ ଆସନ୍ତା ଶନିବାର ଓପିଏସ୍‌ସି ଅଫିସ୍ ଆଗରେ ଧାରଣା ଦିଆଯିବ ବୋଲି ପ୍ରଦ୍ୟୁମ୍ନ ବେହେରା, ସତ୍ୟବ୍ରତ ମିଶ୍ର, ଶୁଭକାନ୍ତ ବଳ, ସତ୍ୟବ୍ରତ ସେଠୀ, ଆଲୋକ ବେହେରା, ଅଭିଳାଷ ରାଉତ, ସ୍ମୃତିରଂଜନ ମାହାଳି, ରବି ବରାଳ, ପି. ପଣ୍ଡା, ଅଜିତ ଲେଙ୍କା, ଭବାନୀ ପ୍ରସାଦ ପାଲ, ଚିତ୍ତରଂଜନ ସାହୁ, ସୁନିଲ ମଲ୍ଲିକ, ରାକେଶ ରାଉତ, ଦିବ୍ୟରଂଜନ ସାହୁ, ମନୋଜ ପାଣି, ଜଗବଂଧୁ ନାଥ, ବିପ୍ଲବ ପଲେଇ, ଆଶିଷ ବେହେରା, ରାକେଶ ସେଠୀ, ମନୋରଂଜନ ଜେନା, ଦେବାଶିଷ ସାମଲ, ସତ୍ୟବ୍ରତ ସାହୁ, ସନ୍ଦୀପ ଜେନା, ସ୍ବପ୍ନ ବେହେରା, ଶୁଭ୍ରଜିତ୍ ରାଉଳ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର