କୋଭିଡ୍‌ କଟକଣାରେ ଓପିଏସ୍‌ସି ପରୀକ୍ଷା

ଭୁବନେଶ୍ବର/କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଅଧୀନରେ ଚଳିତ ମାସରେ ହେବାକୁ ଥିବା ଓଡ଼ିଶା ସିଭିଲ୍ ସର୍ଭିସ୍‌ ଓ ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷା କୋଭିଡ୍‌ କଟକଣା‌ରେ ହେବ। ଏହି ମର୍ମରେ ଓଡ଼ିଶା ଲୋକସେବା ଆୟୋଗ ସଚିବ ଆଜି ଏସ୍‌ଓପି ଜାରି କରିଛନ୍ତି।

ଚଳିତ ମାସ ୨୦ ତାରିଖରେ ସିଭିଲ୍ ସର୍ଭିସ୍‌ ଓ ୨୩ ତାରିଖରେ ଆସିଷ୍ଟାଣ୍ଟ ସର୍ଜନ ପଦବି ପାଇଁ ପରୀକ୍ଷା ହେବ। ସବୁ ପରୀକ୍ଷାର୍ଥୀଙ୍କୁ ‘ଏନ୍‌-୯୫’ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମାସ୍କ ପିନ୍ଧି ନଥିବା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବନାହିଁ। ପରୀକ୍ଷା ପରିଚାଳନା କରୁଥିବା ଅଧିକାରୀମାନେ ଯାଞ୍ଚ କରିବା ସମୟରେ ପରୀକ୍ଷାର୍ଥୀମାନେ ମାସ୍କ ଖୋଲିବେ। ଏହା ବ୍ୟତୀତ ଅନ୍ୟ କୌଣସି ସମୟରେ ପରୀକ୍ଷାର୍ଥୀ ମାସ୍କ ଖୋଲି ପାରିବେନାହିଁ। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସାନିଟାଇଜର ବ୍ୟବସ୍ଥା କରାଯାଇଛି। ପରୀକ୍ଷାର୍ଥୀ ହାତ ସାନିଟାଇଜ୍‌ କରି ପରୀକ୍ଷା‌ ହଲ୍‌କୁ ପ୍ରବେଶ କରିବେ। ଗୋଟିଏ ସ୍ଵଚ୍ଛ ବୋତଲରେ ପରୀକ୍ଷାର୍ଥୀମାନେ ମଧ୍ୟ ସାନିଟାଇଜର ‌ପରୀକ୍ଷା ହଲ୍‌କୁ ନେଇପାରି‌ବେ। ସାମାଜିକ ଦୂରତ୍ବର ନିୟମାନୁସାରେ ପରୀକ୍ଷା କେନ୍ଦ୍ରରେ ବସିବା ବ୍ୟବସ୍ଥା କରାଯାଉଛି। ପରୀକ୍ଷା କେନ୍ଦ୍ରରେ ଥିବା ବେଳେ ପରୀକ୍ଷାର୍ଥୀମାନେ ସାମାଜିକ ଦୂରତ୍ୱ ରକ୍ଷା କରିବେ। ଯଦି ପରୀକ୍ଷାର୍ଥୀଙ୍କର କୋଭିଡ୍ ଲକ୍ଷଣ ପ୍ରକାଶ ପାଏ, ତେବେ ସେ ସମ୍ପୃକ୍ତ କେନ୍ଦ୍ରର ପରୀକ୍ଷା ପରିଚାଳକ(ଇନ୍‌ଭିଜିଲେଟର)ଙ୍କୁ ଜଣାଇବେ। ଏଭଳି ପରୀକ୍ଷାର୍ଥୀଙ୍କ ପାଇଁ ପୃଥକବାସ ପରୀକ୍ଷା ପ୍ରକୋଷ୍ଠର ବ୍ୟବସ୍ଥା କରାଯାଇଛି। ଏହି ସବୁ ନିୟମ ପାଳନ ପ୍ରତି ପରୀକ୍ଷାର୍ଥୀମାନେ ସତର୍କ ରହିବାକୁ ଏସ୍‌ଓପିରେ କୁହାଯାଇଛି।

ସମ୍ବନ୍ଧିତ ଖବର