ଦାଖଲ କରିବେ ସମଗ୍ର ସଂଶୋଧିତ ମେଧା ତାଲିକା
କଟକ: ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲାରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଉପରେ ଆଜି ହାଇକୋର୍ଟ ବର୍ଷିଛନ୍ତି। ବାରମ୍ବାର ନିର୍ଦ୍ଦେଶ ପରେ ମଧ୍ୟ ସଂଶୋଧିତ ମେଧା ତାଲିକା ଓପିଏସସି ଦାଖଲ କରୁ ନଥିବାରୁ ହାଇକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ଯେଉଁଭଳି ଢଙ୍ଗରେ ଓପିଏସସି ତରଫରୁ ଏହି ମାମଲା ପରିଚାଳନା କରାଯାଉଛି ତାହା ସନ୍ତୋଷଜନକ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ବାରମ୍ବାର ନିର୍ଦ୍ଦେଶ ପରେ ମଧ୍ୟ କଣ ସଂଶୋଧିତ ମେଧା ତାଲିକା ସେ ନେଇ ହାଇକୋର୍ଟଙ୍କୁ ଅବଗତ କରାଯାଇ ନାହିଁ। ଏଭଳି ସ୍ଥିତିରେ ନଭେମ୍ବର ୨୫ରେ ଓପିଏସସି ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ କହିଛନ୍ତି। ସମଗ୍ର ସଂଶୋଧିତ ମେଧା ତାଲକା ସହିତ ସଚିବ ହାଜର ହେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଓପିଏସସି ତରଫରୁ ଦାୟର ରିଟ୍ ଅପିଲର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୭-୧୮ରେ ଓପିଏସ୍ସି ପକ୍ଷରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଓଡ଼ିଶା ମେଡିକାଲ୍ ସର୍ଭିସେସ୍ (ଡେଣ୍ଟାଲ୍) କ୍ୟାଡର୍ ଗ୍ରୁପ-କ(ଜୁନିୟର୍) ଡେଣ୍ଟାଲ୍ ସର୍ଜନ୍ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୯୮ଟି ଡେଣ୍ଟାଲ୍ ସର୍ଜନ୍ ପଦ ପୂରଣ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନିଯୁକ୍ତି ପ୍ରକ୍ରିୟାର ଚୂଡାନ୍ତ ଫଳ ପ୍ରକାଶ ପରେ ୧୭୧ଜଣ ପ୍ରାର୍ଥୀଙ୍କ ନାଁ ଓପିଏସ୍ସି ୨୦୧୮, ଅଗଷ୍ଟ ୯ରେ ସୁପାରିସ କରିଥିଲା। ଓପିଏସ୍ସି ଅନୁମୋଦନକ୍ରମେ ରାଜ୍ୟ ସରକାରଙ୍କ ତରଫରୁ ଡେଣ୍ଟାଲ୍ ସର୍ଜନ୍ ପଦରେ ନିଯୁକ୍ତି ପ୍ରଦାନ କରାଯାଇଥିଲା। କିନ୍ତୁ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନର ଦିଆଯାଇଥିବା ସମ୍ଭାବ୍ୟ ଉତ୍ତର (କି ଆନସାର୍) ଭୁଲ୍ ଥିବା ଅଭିଯୋଗ ହୋଇଥିଲା।
କେତେକ ଆଶାୟୀ ପ୍ରାର୍ଥୀ ଏ ନେଇ ଓପିଏସ୍ସି ନିକଟରେ ଲଖିତ ଅଭିଯୋଗ କରିଥିଲେ। ଅଦାଲତରେ ମାମଲା ରୁଜୁ ହୋଇଥିଲା। ଓପିଏସ୍ସି ଏକ ବିଶେଷଜ୍ଞ କମିଟି ଗଠନ କରିଥିଲା। ୨୦୧୮, ଅକ୍ଟୋବର୍ ୫ରେ ବିଶେଷଜ୍ଞ କମିଟି ଦାଖଲ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ୧୨ଟି ଉତ୍ତର (କି ଆନସାର୍) ଭୁଲ ଥିଲା। ଏହାପରେ ଓପିଏସ୍ସି ପକ୍ଷରୁ ସମସ୍ତ ପ୍ରାର୍ଥୀଙ୍କ ଖାତାର ପୁନଃମୂଲ୍ୟାୟନ କରାଯାଇ ମାର୍କରେ ସଂଶୋଧନ କରାଯାଇଥିଲା। ଓପିଏସ୍ସି ଅନୁମୋଦନ ଆଧାରରେ ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ସହିତ ଅନ୍ୟ ପ୍ରାର୍ଥୀଙ୍କ ମାର୍କ ସଂଶୋଧନ କରାଯାଇଥିଲା।
ସଂଶୋଧନ ପରେ ନିଯୁକ୍ତିରୁ ବାଦ୍ ପଡ଼ିଥିବା କେତେକ ପ୍ରାର୍ଥୀଙ୍କ ମାର୍କ ଠାରୁ କମ୍ ମାର୍କ ରଖିଥିବା ପ୍ରାର୍ଥୀଙ୍କ ନାଁ ଓପିଏସ୍ସି ଅନୁମୋଦନ କରିଥିବା ଓ ଏପରି କମ୍ ମାର୍କ ରଖିଥିବା ପ୍ରାର୍ଥୀ ନିଯୁକ୍ତି ପାଇ ଚାକିରି କରୁଥିବା ସ୍ପଷ୍ଟ ହୋଇଥିଲା। ଜଣିକିଆ ବିଚାରପତିଙ୍କ ରାୟ ବିରୋଧରେ ଓପିଏସସି ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରିଥିଲା। ସେପ୍ଟେମ୍ବର୍ ୪ରେ ହାଇକୋର୍ଟ ମାମଲାର ଶୁଣାଣି କରି ଏହି ପ୍ରସଙ୍ଗରେ କମିସନ୍ କ’ଣ ନିଷ୍ପତ୍ତି ନେବାକୁ ଯୋଜନା କରୁଛନ୍ତି ସେ ନେଇ ଜଣାଇବାକୁ କହିଥିଲେ।
ସେପ୍ଟେମ୍ବର ୪ର ନିର୍ଦ୍ଦେଶ ପାଳନ କରି ଓପିଏସସି ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପ୍ରାର୍ଥୀଙ୍କ ଖାତାର ପୁନଃମୂଲ୍ୟାୟନ କରାଯାଇ ମାର୍କରେ ସଂଶୋଧନ କରାଯାଇଥିଲା। ଓପିଏସ୍ସି ପୂର୍ବ ଅନୁମୋଦନ ଆଧାରରେ ନିଯୁକ୍ତି ପାଇଥିବା ୧୧ ଜଣ ପ୍ରାର୍ଥୀ ସଂଶୋଧନ ପରେ ଧାର୍ଯ୍ୟ କଟ୍-ଅଫ୍ ମାର୍କ ଠାରୁ କମ୍ ମାର୍କ ରଖିଥିଲେ। କିନ୍ତୁ ମାର୍କ ସଂଶୋଧନ ହେବା ବେଳକୁ ସେମାନେ କିଛିବର୍ଷ ଚାକିରି କରି ସାରିଥିଲେ। ସଂଶୋଧନ ପରେ ଧାର୍ଯ୍ୟ ସାନି କଟ୍-ଅଫ୍ ମାର୍କ ଠାରୁ କମ୍ ମାର୍କ ରଖିଥିବା ଏହି ୧୧ଜଣଙ୍କୁ ଚାକିରିରୁ ବହିଷ୍କାର ନ କରିବା ପାଇଁ ଓପିଏସ୍ସି ସରକାରଙ୍କୁ ୨୦୨୨, ନଭେମ୍ବର୍ ୪ରେ ପରାମର୍ଶ ଦେଇଥିଲା।
ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସେପ୍ଟେମ୍ବର ୬ରେ ଅନୁଷ୍ଠିତ ବୈଠକରେ ପୂର୍ବ ପରାମର୍ଶ ପ୍ରତ୍ୟାହାର ପାଇଁ ଓପିଏସ୍ସି ତରଫରୁ ନିଷ୍ପତ୍ତି ନିଆଯାଇଥିଲା। ସଂଶୋଧନ ପରେ ଧାର୍ଯ୍ୟ କଟ୍-ଅଫ୍ ମାର୍କ ଠାରୁ କମ୍ ମାର୍କ ରଖିଥିଲେ ମଧ୍ୟ ଚାକିରି ପାଇ କାର୍ଯ୍ୟ କରୁଥିବା ୧୧ଜଣଙ୍କ ସଂପର୍କିତ ପୂର୍ବ ଅନୁମୋଦନ ପ୍ରତ୍ୟାହାର ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିପାଇଁ ହାଇକୋର୍ଟଙ୍କ ଅନୁମତି ନିଆଯିବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ଏହାପରେ ସମଗ୍ର ସଂଶୋଧିତ ମେଧା ତାଲିକା ଦାଖଲ ପାଇଁ ଓପିଏସସିକୁ ହାଇକୋର୍ଟ କହିଥିଲେ।