ଗାଡ଼ିଭଡ଼ା ପାସ୍ କରାଇବାକୁ ଲାଞ୍ଚ ମାମଲା: ଓପିଟିସିଏଲ ଡିଜିଏମ୍‌ଙ୍କୁ ୫ ବର୍ଷ ଜେଲ୍, ୨୫ ହଜାର ଜରିମାନା

ବାରିପଦା: ଗାଡି ଭଡ଼ା ପାସ୍ କରାଇବାକୁ ଓପିଟିସିଏଲ ଡିଜିଏମ ଲାଞ୍ଚ ନେବା ମାମଲାର ରାୟ ଆଜି ପ୍ରକାଶ ପାଇଛି। ବାରିପଦାର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ଡ. ପ୍ରସନ୍ନ କୁମାର ପଣ୍ଡା, ଦୋଷୀ ସାବ୍ୟସ୍ତ ଓପିଟିସିଏଲ ଡିଜିଏମ୍ ଯଶୋବନ୍ତ ନାରାୟଣ ଚୌଧୁରୀଙ୍କୁ ୫ ବର୍ଷ ଜେଲଦଣ୍ଡାଦେଶ ପ୍ରଦାନ ସହ ୨୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଆହୁରି ଅଧିକ ଗୋଟିଏ ବର୍ଷ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି। ମିଳିଥିବା

ସୂଚନା ଅନୁଯାୟୀ ବାରିପଦାରେ ଥିବା ଓପିଟିସିଏଲ କାର୍ଯ୍ୟାଳୟରେ କାର୍ତ୍ତିକେଶ୍ବର ଦତ୍ତଙ୍କ ଭଉଣୀର ଏକ ବୋଲେରୋ ଗାଡି ଭଡା ସୁତ୍ରରେ ଲାଗିଥିଲା। କାର୍ତ୍ତିକେଶ୍ବର ଗାଡି କଥା ବୁଝାବୁଝି କରୁଥିଲେ। ଗତ ୨୦୧୭ ମସିହା ଅଗଷ୍ଟ ଓ ସେପ୍ଟେମ୍ବର ଦୁଇ ମାସର ଗାଡି ଭଡ଼ା ୪୫ ହଜାର ଟଙ୍କା ପାସ୍ କରିବାକୁ ସେ ତତ୍କାଳୀନ ତଥା ବର୍ତ୍ତମାନ ଭୁବନେଶ୍ବରରେ କାର୍ଯ୍ୟରତ ଡିଜିଏମ୍ ଯଶୋବନ୍ତ ନାରାୟଣ ଚୌଧୁରୀଙ୍କୁ ବହୁବାର କହିଥିଲେ। ତେବେ ଏଥି ନିମନ୍ତେ ଶ୍ରୀ ଚୌଧୁରୀ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶେଷରେ ୩ ହଜାର ଟଙ୍କା ଦେବାକୁ କାର୍ତ୍ତିକେଶ୍ବର ରାଜି ହେବା ସହ ଘଟଣା ସମ୍ପର୍କରେ ଭିଜିଲାନସ୍ ଏସପିଙ୍କୁ ଜଣାଇଥିଲେ।

ଯୋଜନା ପ୍ରକାରେ ଗତ ୨୦୧୭ ମସିହା ଅକ୍ଟୋବର ୨୫ ତାରିଖରେ କାର୍ତ୍ତିକେଶ୍ବର କାର୍ଯ୍ୟାଳୟକୁ ଯାଇ ଶ୍ରୀ ଚୌଧୁରୀଙ୍କୁ ୩ ହଜାର ଟଙ୍କା ଦେଇଥିଲେ। ପୂର୍ବରୁ ସେଠାରୁ ସଜାଗ ଥିବା ଭିଜିଲାନସ୍ ଟିମ୍ ଚଡାଉ କରି ଲାଞ୍ଚ ଟଙ୍କା ଜବତ କରିବା ସହ ଡିଜିଏମ୍ ଶ୍ରୀ ଚୌଧୁରୀଙ୍କୁ ଗିରଫ କରିଥିଲା। ଏହି ମାମଲାରେ ସରକାରଙ୍କ ପକ୍ଷରୁ ୫ ଜଣ ଓ ଅଭିଯୁକ୍ତଙ୍କ ପକ୍ଷରୁ ୪ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଡ. ଶ୍ରୀ ପଣ୍ଡା ରାୟ ପ୍ରଦାନ କରିଥିବା ବେଳେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭିଜିଲାନସ୍ ପିପି ସ୍ବରାଜ୍ୟ କୁମାର ରାୟ ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର