ଭୁବନେଶ୍ବର : ସଡ଼କ ଦୁର୍ଘଟଣା ହ୍ରାସ କରିବାକୁ ଏପ୍ରିଲ୍ରେ ପାଳିତ ହୋଇଥିଲା ‘ମୃତ୍ୟୁଶୂନ୍ୟ ସପ୍ତାହ’। ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଓ ଓଡ଼ିଶା ପୁଲିସ ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଯାଞ୍ଚ କରି ଦୁର୍ଘଟଣା ରୋକିବାକୁ ଲାଗିପଡ଼ିଥିଲେ। ତା’ ସତ୍ତ୍ବେ ୭୦ ଜୀବନ ଯାଇଥିଲା। ସପ୍ତାହର ଗୋଟିଏ ବି ଦିନ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକି ହୋଇ ନ ଥିଲା। ତେବେ ଦୈନିକ ହାରାହାରି ମୃତ୍ୟୁ ସଂଖ୍ୟା ୧୫ରୁ ୧୦କୁ ଖସି ଆସିଥିଲା। ଲାଗୁଥିଲା, ଆଗକୁ ସଡ଼କ ଦୁର୍ଘଟଣା ହ୍ରାସ ପାଇବ। ମାତ୍ର ଏହାର ଠିକ୍ ଗୋଟିଏ ମାସ ପରେ ସବୁ କିଛି ବଦଳିଯାଇଛି। ଦୁର୍ଘଟଣା କମିବା ପରିବର୍ତ୍ତେ ଏବେ ଭୟଙ୍କର ଚିତ୍ର ସାମ୍ନାକୁ ଆସୁଛି। ଗତ ଜାନୁଆରି ଓ ଫେବ୍ରୁଆରି ମାସରେ ୧ହଜାରରୁ ଅଧିକ ଲୋକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏବେ ସେହି ଧାରାକୁ ପୁଣି ଓଡ଼ିଶା ଫେରିଆସିଛି। ବାହାନଗା ରେଳ ଦୁର୍ଘଟଣା ହେଉ କି ଦିଗପହଣ୍ଡିରେ ଲୋମଟାଙ୍କୁରା ସଡ଼କ ଦୁର୍ଘଟଣା, କେନ୍ଦୁଝରରେ ୨୦ ନମ୍ବର ଜାତୀୟ ରାଜପଥରେ ବରଯାତ୍ରୀ ଦଳଙ୍କ ଉପରେ ଟ୍ରକ ମାଡ଼ିଯିବା ଘଟଣା ଦେଖିବାକୁ ମିଳିଛି। ବଡ଼ କଥା ହେଉଛି, ଏଭଳି ମର୍ମନ୍ତୁଦ ଦୁର୍ଘଟଣା ପାଇଁ କାହାକୁ ଉତ୍ତରଦାୟୀ କରାଯାଉନାହିଁ କି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
/sambad/media/post_attachments/wp-content/uploads/2023/07/accident-umarakot-750x430.jpg)
ସଡ଼କ ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳନ କରାଯାଉଛି। ଗାଡ଼ି ଚାଳକଙ୍କ ପାଇଁ ସ୍ବତନ୍ତ୍ର ତାଲିମ ଶିବିର ହେଉଛି। ଗାଡ଼ିଗୁଡ଼ିକର ଫିଟ୍ନେସ୍ ଉପରେ ଗୁରୁତ୍ବାରୋପ କରାଯାଉଛି। ବେଗ ଅଧିକ ହେଲେ ଜରିମାନା େହଉଛି। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ଗାଡ଼ିଗୁଡ଼ିକର ବେଗ ନିୟନ୍ତ୍ରଣ ଦିଗରେ ବି କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏତେ ସବୁ ପରେ ମଧ୍ୟ ସଡ଼କ ଦୁର୍ଘଟଣା କମୁନି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଦୁର୍ଘଟଣାରେ ରୋକ୍ ଲଗାଇବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଚଳିତ ମାସ ପ୍ରଥମ ସପ୍ତାହରେ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ସବୁ ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ଚିଠି ଲେଖିଥିଲେ। ଠିକ୍ ଏହାପରେ ହିଁ ଓଡ଼ିଶାରେ ସଡ଼କ ଦୁର୍ଘଟଣା ହୁ ହୁ ହୋଇ ବଢ଼ିଚାଲିଛି।
ଜୁନ୍ ତୃତୀୟ ସପ୍ତାହରେ ବଲାଙ୍ଗୀର ସହରଠାରୁ ୩ କିମି ଦୂର ଛୁଇଁବନ୍ଧ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ସେଥିରେ ୨ ଶିଶୁ ଥିଲେ। ମୟୂରଭଞ୍ଜ ବୈଶିଙ୍ଗା ଥାନା ଅଞ୍ଚଳରେ ପୃଥକ ପୃଥକ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଟଣାଗଡ଼-ବଲାଙ୍ଗୀର ମୁଖ୍ୟ ରାସ୍ତାରେ ମାୟାବର୍ହା ଛକଠାରେ ସଡ଼କ ଦୁର୍ଘଟଣା, ଯାଜପୁର କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥରେ ସିରିଜ୍ ଦୁର୍ଘଟଣା, ବୌଦ୍ଧ ଥାନା ବଲାସିଙ୍ଗା ନିକଟରେ ସଡ଼କ ଦୁର୍ଘଟଣାରେ ବି ବହୁ ଜୀବନ ଗଲା। ଚତୁର୍ଥ ସପ୍ତାହରେ ମୃତ୍ୟୁର ତାଣ୍ଡବ ଜାରି ରହିଥିଲା। ରେଳ, ବସ୍, ଟ୍ରକ୍, କାର୍, ବାଇକ୍ ଦୁର୍ଘଟଣାରେ ହଜାରରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଛି। ବାହାନଗା ରେଳ ଦୁର୍ଘଟଣାର କାରଣ ସମ୍ପର୍କରେ ସିବିଆଇ ତଦନ୍ତ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କାରଣ ସାମ୍ନାକୁ ଆସିପାରି ନାହିଁ। ୨୯୪ ମୂଲ୍ୟବାନ ଜୀବନ ଚାଲିଯିବା ପଛରେ କିଏ ଦାୟୀ? ତାହାର ତଦନ୍ତ ଜାରି ରହିଛି। ଯାଜପୁରରେ ରେଳ ଧାରଣାରେ
ଅଟକିଥିବା ମାଲବାହୀ ଟ୍ରେନ୍ ବଗି ମାଡ଼ିଯିବା ଦ୍ବାରା ୬ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ସେଥିପାଇଁ କାହାକୁ ଉତ୍ତରଦାୟୀ କରାଯାଇ ନାହିଁ।
/sambad/media/post_attachments/wp-content/uploads/2023/06/digapahandi-accident-1-750x430.jpg)
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଦିଗପହଣ୍ଡିରେ ଘଟିଥିବା ଲୋମହର୍ଷଣକାରୀ ବସ୍ ଦୁର୍ଘଟଣାରେ କୌଣସି ବି ସରକାରୀ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। କାହାକୁ ଉତ୍ତରଦାୟୀ କରାଗଲା ନାହିଁ କି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ୨୫ ବର୍ଷ ତଳର ବସ୍କୁ ଫିଟ୍ନେସ୍ ସାର୍ଟିଫିକେଟ୍ ଦେଇଥିବା ପରିବହନ ବିଭାଗର ବାବୁମାନଙ୍କ କାରନାମାର ଖୋଳତାଡ଼ କରାଗଲା ନାହିଁ। ପରିବହନ ସଚିବ ଏଯାଏ ତନାଘନା କରିନାହାନ୍ତି ଯେ ରାଜ୍ୟରେ କେତେ ସଂଖ୍ୟକ ଗାଡ଼ିର ଫିଟ୍ନେସ୍ ନାହିଁ? ୨୫ ବର୍ଷର କେତେ ଗାଡ଼ିକୁ ଅନୁମତି ଦିଆଯାଇଛି? ଏସବୁ ସମ୍ପର୍କରେ ରିପୋର୍ଟ ମଧ୍ୟ ତଲବ କରାଗଲା ନାହିଁ। ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଲା ବୋଲି କହି ଅଧିକାରୀମାନେ ମୁଣ୍ଡରୁ ଦୋଷ ଖସାଇଦେଲେ। ଜାତୀୟ ରାଜପଥରେ ଟ୍ରକ୍ ଡ୍ରାଇଭରମାନେ ମଦ୍ୟପାନ କରି ଦ୍ରୁତଗତିରେ ଗାଡ଼ି ଚଲାଉଥିଲେ ମଧ୍ୟ ସେମାନଙ୍କୁ ଧରାଯାଉନି କି କାର୍ଯ୍ୟାନୁଷ୍ଠାନ ହେଉନି। ପରିଣାମ ସ୍ବରୂପ କେନ୍ଦୁଝର, ଯାଜପୁର ଅଞ୍ଚଳରେ ଟ୍ରକ୍ ଦୁର୍ଘଟଣା ଦିନକୁ ଦିନ ବଢ଼ିଚାଲିଛି।
ପରିବହନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ ଦୁର୍ଘଟଣାରେ ରୋକ୍ ଲଗାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ରାସ୍ତାର ଇଂଜିନିୟରିଂ ତ୍ରୁଟି ସୁଧାରିବା, ଜରୁରୀକାଳୀନ ଚିକିତ୍ସା ଯୋଗାଇବା ଏବଂ ଏନ୍ଫୋର୍ସମେଣ୍ଟକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାସକୁ ଅତି କମ୍ରେ ଥରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି(ଡିଆରଏମ୍ସି) ବୈଠକ କରି ସ୍ଥିତି ସମୀକ୍ଷା କରାଯାଉଛି। ଏହାବ୍ୟତୀତ ସହରର ପ୍ରମୁଖ ରାସ୍ତା, ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି ଲଗାଇବା, ରିଫ୍ଲେକ୍ଟର, ସାଇନ୍-ଏଜ୍ ଆଦି ଲଗାଇବା ଉପରେ ଗୁରୁତ୍ବ ଦିଆଯାଉଛି। ଖୁବ୍ଶୀଘ୍ର ଏସବୁର ସଫଳତା ମିଳିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/acc-fff.jpg)