ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବିକଳ ସ୍ଥିତି: ଘର ନ କରି ଆଖି ବୁଜିଲେଣି ୮୦ ହିତାଧିକାରୀ, ଗାଁ ଛାଡ଼ିଲେଣି ୩୫୯

୭୬୭୯ ଘରରୁ ୩୪୨୨ଟି ଘର କାମ ଆରମ୍ଭ ହୋଇନି

କଟକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ପାଇଁ ଅନୁମତି ପାଇଥିବା ପ୍ରାୟ ୩ ହଜାର ହିତାଧିକାରୀ ଘର ସଂପୂର୍ଣ୍ଣ କରି ପାରି ନାହାନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କର ମୃତ୍ୟୁ ବି ଘଟି ସାରିଲାଣି। ଅନେକ ହିତାଧିକାରୀ ଘର ଅଧା ରଖି ଗାଁ ଛାଡି ବାହାରେ ରହୁଥିବା ବେଳେ ଆଉ କେ‌ତେକ ହିତାଧିକାରୀ ଜମିଜମା ବିବାଦରେ ଫସି ଘର କାମ ଆରମ୍ଭ କରି ପାରୁ ନାହାନ୍ତି। କଟକ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଏଭଳି ସ୍ଥିତି ଏବେ ପ୍ରଶାସନକୁ ବି ଅକଳରେ ପକାଇଛି। ତଥ୍ୟ ଅନୁଯାୟୀ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କ ମଧ୍ୟରୁ ୮୦ ଜଣ ଘର ସଂପୂର୍ଣ୍ଣ କରିବା ପୂର୍ବରୁ ପ୍ରାଣ ହରାଇଲେଣି। ଜମିଜମା ବିବାଦ ପାଇଁ ୩୮୨ଟି ଘର ଆରମ୍ଭ ହୋଇପାରୁନି। ଏହା ବ୍ୟତୀତ ଅନେକ ହିତାଧିକାରୀ ଘର ଅଧାପନ୍ତରିଆ ସ୍ଥିତିରେ ପକାଇ ଗାଁ ଛାଡି ବାହାରେ ରହୁଛନ୍ତି। ଗୋଟିଏ ପଟେ ଅନେକ ଯୋଗ୍ୟ ହିତାଧିକାରୀ ବର୍ଷ ବର୍ଷ ଧରି ଆବେଦନ କରୁଥିଲେ ବି ଆବାସ ଖଣ୍ଡିଏ ପାଉନଥିବାବେଳେ ଅନ୍ୟପଟେ ଘର ପାଉଥିବା ହିତାଧିକାରୀ ଘର ନ କରିବା ଘଟଣା ଅସନ୍ତୋଷର କାରଣ ହୋଇଛି।

କଟକ ଜିଲ୍ଲାରେ ୨୦୧୬ରୁ ଆଜି ସୁଦ୍ଧା ୭୬୭୯ ଘର ନିର୍ମାଣ ସରିନି। ସେଥିରୁ ୨୪୧୫ଟି ଘର କାମ ଚାଲିଥିବା‌ବେଳେ ୩୪୨୨ଘରର କାମ ଆଦୌ ଆରମ୍ଭ ହୋଇନି। ୭୬୪ ଟି ଘର ଜମି ବିବାଦ କାରଣରୁ ଆଦୌ ତିଆରି ହୋଇପାରିବନି। ୩୫୯ଜଣ ହିତାଧିକାରୀ ଆବାସ ପାଇଁ କାର୍ଯ୍ୟାଦେଶ ପାଇଥିଲେ ବି ସେମାନେ ଗାଁରେ ରହୁନାହାନ୍ତି। ୧୨୭ଜଣ ହିତାଧିକାରୀ ବିଭିନ୍ନ କାରଣରୁ ଘର ନ କରି ପକାଇ ରଖିଛନ୍ତି। ୬୭ଜଣ ହିତାଧିକାରୀ ଯେଉଁ ସମୟରେ କାର୍ଯ୍ୟାଦେଶ ପାଇଥିଲେ ସେହି ସମୟରେ ଦେଢ ଲକ୍ଷ ଟଙ୍କା ମିଳୁଥିଲା। ଏବେ ସେହି ଟଙ୍କାରେ ଘର କରିବା ସମ୍ଭବ ନଥିବାରୁ ସେମାନେ ବି କାମ ଆରମ୍ଭ କରୁ ନାହାନ୍ତି। କାର୍ଯ୍ୟାଦେଶ ଫେରାଇ ନେବାକୁ ବି ସେମାନେ ପ୍ରଶାସନକୁ ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି। ୭୬୭୯ ହିତାଧିକାରୀ ଆବାସ ନ କରିବା ଘଟଣାର ସର୍ଭେ କରି ପ୍ରଶାସନ ଏଭଳି ତଥ୍ୟ ପାଇଛି।

କଟକ ଜିଲ୍ଲାରେ ନରସିଂହପୁର ବ୍ଲକ୍‌ରୁ ସର୍ବାଧିକ ୨୦ଜଣ ହିତାଧିକାରୀଙ୍କର ମୃତ୍ୟୁ ଘଟିଥିବାବେଳେ ବାଙ୍କୀରୁ ସର୍ବାଧିକ ୬୭ଜଣ ହିତାଧିକାରୀ ଗାଁରେ ରହୁ ନାହାନ୍ତି। ଏପଟେ ନରସିଂହପୁରରେ ସର୍ବାଧିକ ୮୪ଜଣ ହିତାଧିକାରୀ ଘର କରିପାରିବେ ନାହିଁ ବୋଲି ପ୍ରଶାସନକୁ କହିଛନ୍ତି। ନିଆଳିରେ ସର୍ବାଧିକ ୧୧୭ଜଣ ହିତାଧିକାରୀଙ୍କର ଜମିବିବାଦରୁ ଘର ଆରମ୍ଭ କରିପାରୁ ନାହାନ୍ତି। ଏପଟେ ଆଠଗଡ଼ରେ ୧୦୧୨ ହିତାଧିକାରୀଙ୍କ ମଧ୍ୟରୁ ୪୬୦ଜଣ ଘର ଆରମ୍ଭ କରିଥିବାବେଳେ ୫୩୧ଜଣ ଘର ଆରମ୍ଭ କରିନାହାନ୍ତି। ବଡମ୍ବାରେ ୬୦୦ରୁ ୨୦୧ଜଣ ଘର ଆରମ୍ଭ କରିଛନ୍ତି। ବାଙ୍କୀରେ ୬୨୮ରୁ ୧୧୮ଜଣ ଘର କରୁଥିବାବେଳେ ବାଙ୍କୀ-ଡମପଡାରେ ୧୬୯ରୁ ୬୨ଜଣ ଘର କରୁଛନ୍ତି। ବାରଙ୍ଗରେ ୧୭୪ରୁ ମାତ୍ର ୨୬ଜଣ ଘର ଆରମ୍ଭ କରିଥିବା ବେଳେ କଟକ ସଦରରେ ୧୫୨ରୁ ୨୮ଜଣ ଘର କରୁଛନ୍ତି। କଣ୍ଟାପଡାର ୨୪ରୁ ୮ଜଣ କାମ ଆରମ୍ଭ କରିଥିବାବେଳେ, ମାହାଙ୍ଗାରେ ୫୦୨ଟି ଘରରୁ ୧୫୫ଟି ଘର ଆରମ୍ଭ ହୋଇଛି। ନରସିଂହପୁରରେ ହଜାରେ ଘରରୁ ୧୩୯ଟି ଘର ଆରମ୍ଭ ହୋଇଥିବାବେଳେ ନିଆଳିର ୨୪୭ଘରରୁ ୫୧ଟି ଘର ତିଆରି ଚାଲିଛି। ନିଶ୍ଚିନ୍ତକୋଇଲିର ୭୫୫ଟି ଘରରୁ ୧୭୨ଟି ଘର ତିଆରି ଚାଲିଥିବାବେଳେ ସାଲେପୁରରେ ୭୨୭ରୁ ୧୭୮, ଟାଙ୍ଗୀ-ଚୌଦ୍ବାରରେ ୧୩୫୦ରୁ ୬୯୨, ତିଗିରିଆର ୩୩୯ରୁ ୧୨୫ ଘର କାମ ଚାଲିଛି।

ସମ୍ବନ୍ଧିତ ଖବର