୨ରୁ ବଢ଼ିବ ବର୍ଷା, ୩ ପାଇଁ ଅରେଞ୍ଜ ଆଲର୍ଟ, ୪ରେ ଲଘୁଚାପ

ଭୁବ‌ନେଶ୍ବର: ଅଗଷ୍ଟ ୪ରେ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ପୁଣି ଏକ ଲଘୁଚାପ। ପ୍ରଭାବରେ ୨ ତାରିଖଠାରୁ ଓଡ଼ିଶାରେ ବର୍ଷା ବଢ଼ିବ। ୪ ଦିନ ଧରି ସାରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଗଷ୍ଟ ୩ ଓ ୪ ତାରିଖ ପାଇଁ ଆଜିଠାରୁ ଅରେଞ୍ଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ବିଭାଗ ପକ୍ଷରୁ କୁହାଯାଇଛି ଯେ, ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦୁର୍ବଳ ରହିଲା। ତେଣୁ ଜୁଲାଇ ୩୧ରେ ଲଘୁଚାପ ବଳୟ ସୃଷ୍ଟି ହେବା ନେଇ ଯେଉଁ ଆକଳନ କରାଯାଉଥିଲା ତାହା ହୋଇପାରିନି। ତେବେ ୪ ତାରିଖ ‌ବେଳକୁ ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ପ୍ରଭାବରେ ଓଡ଼ିଶା ଓ ଏହା ସଂଲଗ୍ନ ଛତିଶଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଉପରେ ଅଧିକ ରହିବ। କୋରାପୁଟ, କଳାହାଣ୍ଡି, ମାଲକାନଗିରି, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ବରଗଡ଼ର କେତେକ ସ୍ଥାନରେ ୨ ତାରିଖଠାରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ।

ପରବର୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶା ଯଥା ପୁରୀ, ଗଞ୍ଜାମ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକରେ ବର୍ଷା ବଢ଼ିବ ବୋଲି ଆକଳନ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପରେ ବଡ଼ ବର୍ଷାର ସମ୍ଭାବନା ନାହିଁ। ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ। ୩୧ ତାରିଖରେ ଦକ୍ଷିଣ କେନ୍ଦ୍ରୀୟ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ଅଗଷ୍ଟ ୧ରେ କେନ୍ଦ୍ରୀୟ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହୋଇପାରେ। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ବାରଣ କରାଯାଇଛି ବୋଲି ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି। ଗତ ୧୨ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ୧୦ ମିମି ବର୍ଷା ହୋଇଛି। ବାଲେଶ୍ବର, ଚାନ୍ଦବାଲି, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ହୀରାକୁଦ, ଭବାନୀପାଟଣା, ବଲାଙ୍ଗୀର, କୋରାପୁଟ ଓ ମାଲକାନଗିରିରେ ସ୍ପଳ୍ପ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ସମ୍ବନ୍ଧିତ ଖବର