ଭୁବନେଶ୍ବର: ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହିତ ବଜ୍ରପାତ ହେବାର ଆଶଙ୍କା ଥିବାରୁ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ‘ଅରେଞ୍ଜ୍’ ଏବଂ ‘ୟେଲୋ’ ସତର୍କ ସୂଚନା ଜାରି କରିଛି।
ଆଜି ସକାଳ ୭.୧୫ରେ ଜାରି କରାଯାଇଥିବା ଉକ୍ତ ସତର୍କ ସୂଚନାରେ ଉଲ୍ଲେଖ ଅଛି ଯେ, ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ପୁରୀ, କଟକ (କଟକ ସହର ସମେତ), ଖୋର୍ଦ୍ଧା (ଭୁବନେଶ୍ବର ସହର ସମେତ) ଏବଂ ନୟାଗଡ଼ ଜିଲ୍ଲାରେ ଆଗାମୀ ୩ ଘଣ୍ଟା ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ‘ଅରେଞ୍ଜ୍ ୱାର୍ଣ୍ଣିଙ୍ଗ୍’ ଜାରି କରାଯାଇଛି। ଏଥିସହ ଉପରୋକ୍ତ ଜିଲ୍ଲାର କେତେକ ପ୍ରାନ୍ତରେ ବଜ୍ରପାତ ସହ ଅସରାଏ ଦୁଇ ଅସରା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ମଧ୍ୟ ରହିଛି। ବିଶେଷକରି, ନଗରାଞ୍ଚଳର ଖାଲୁଆ ସ୍ଥାନରେ ପାଣି ଜମିବା ଓ କେତେବେଳେ କେମିତି ଦୃଶ୍ୟତା ହ୍ରାସ ପାଇବାର ସମ୍ଭାବନା ଥିବାରୁ ଯାନବାହନ ଚଳଚଳ ବାଧା ପାଇପାରେ। ସେସବୁ ସ୍ଥାନରେ ଯାନବାହନ ଚଳାଚଳ ବନ୍ଦ ରଖିବା ସହ ଜଳ ନିଷ୍କାସନ ନିମନ୍ତେ ବ୍ୟବସ୍ଥା କରାଯିବା ଉଚିତ।
Image Courtesy of The Economic Timesସେହିପରି, ମୟୂରଭଞ୍ଜ, କେନ୍ଦୁଝର, ଅନଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର କେତେକ ପ୍ରାନ୍ତରେ ମଧ୍ୟ ଆଗାମୀ ୩ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ‘ୟେଲୋ ୱାର୍ଣ୍ଣିଙ୍ଗ୍’ ଜାରି କରାଯାଇଛି।
ତେଣୁ, ପାଗ ପ୍ରତି ଦୃଷ୍ଟି ଦେବା ସହିତ ବଜ୍ରପାତରୁ ରକ୍ଷା ପାଇବା ପାଇଁ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/Rain-3.jpg)