ବନ୍ତଳା: ସାତକୋଶିଆ ଅଞ୍ଚଳରେ ଗତ କିଛିବର୍ଷ ଭିତରେ ସାଂଘାତିକ ଜଳବାୟୁ ପରିବର୍ତ୍ତନ ହୋଇଛି। ଏହାର ପ୍ରଭାବ ପଡ଼ିଛି କମଳା ଚାଷ ଉପରେ। ସାତକୋଶିଆ ଓ ଏହାର ଆଖପାଖ ଅଞ୍ଚଳରେ ଥଣ୍ଡା ଜଳବାୟୁରେ କମଳା ଚାଷ ଭଲ ହୋଇଥାଏ। ଏମିତି ଦିନ ଥିଲା ଯେ ଏଠାର କମଳା ଅନୁଗୁଳ ଜିଲ୍ଲାର ଚାହିଦା ମେଣ୍ଟାଇବା ସହ ବାହାରକୁ ରପ୍ତାନି ହେଉଥିଲା। ହେ‌‌ଲେ ଏବେ ଏହି ମିଠା କମଳା ସ୍ବପ୍ନ ପାଲଟିଯାଇଛି। ୧୯୭୦ ମସିହା ବେଳକୁ ନନ୍ଦପୁର ହିଂସାଲୋଇ, କରତପଟା, ହିଡ଼ିସିଙ୍ଗ, ଜଗନ୍ନାଥପୁର, କୁଲାଙ୍ଗି, ଟାକରସିଂହା, ଟାଇଁସି, ନୂଆପଡ଼ା, ଦଣ୍ଡସିଂହା ଗାଁମାନଙ୍କରେ ବହୁଳ ଭାବେ କମଳା ଚାଷ ହେଉଥିଲା। ଏହି କମଳା ପାଟିକୁ ଯେତିକି ସ୍ୱାଦିଷ୍ଟ, ଦେହକୁ ସେତିକି ଉପକାରୀ ବି ଥିଲା। ଏହାର ପ୍ରସିଦ୍ଧି ଏତେ ଥିଲା ଯେ ଅନୁଗୁଳ ତଥା କଟକ ଅଞ୍ଚଳରୁ ବ୍ୟବସାୟୀମାନେ ଏଠାକୁ ଆସୁଥିଲେ। ସାତକୋଶିଆ କମଳା କହିଲେ ଲୋକ ଚିହ୍ନୁଥିଲେ। ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡ ବି ସଳଖି ଯାଇଥିଲା। କିନ୍ତୁ ଧୀରେଧୀରେ ଜଳବାୟୁ ପରିବର୍ତ୍ତନ ପାଇଁ ଏହି ମିଠା କମଳା ଏବେ ସ୍ବପ୍ନ ପାଲଟି ଯାଇଛି।

Advertisment

ପୂର୍ବ ଅପେକ୍ଷା ଗଛରେ ଫୁଲଫଳ ଆସିବା ହଠାତ କମିଯାଇଛି। ଗଛରେ ଯେତିକି ଫୁଲଫଳ ରହୁଥିଲା ତାହା ବି ଝଡ଼ି ନଷ୍ଟ ହୋଇଗଲା। ତା ସାଙ୍ଗକୁ ସରକାରୀ ପ୍ରୋତ୍ସାହନ ଅଭାବରୁ ଚାଷୀମାନେ କମଳା ଚାଷରୁ ମୁହଁ ଫେରାଇନେଲେ। କ୍ଷତି ସହି କମଳା ଚାଷ ବଦଳରେ ଲୋକେ ଅନ୍ୟ ଚାଷମୁହାଁ ହେଲେ। ଏପରିକି ଏକର ଏକର କମଳା ଗଛକୁ କାଟିଦେଇ ସେ ସ୍ଥାନରେ ବିଲାତି ବାଇଗଣ, ପୋଟଳ ଓ ଅନ୍ୟାନ୍ୟ ଚାଷ ହେଉଛି। ତେବେ କେବଳ ଜଗନ୍ନାଥପୁର ପଞ୍ଚାୟତ କୁଲାଙ୍ଗି ଗ୍ରାମରେ କମଳା ଚାଷ ହେଉଥିବା ଦେଖିବାକୁ ମିଳିଛି। ବୀରେନ୍ଦ୍ର ପ୍ରଧାନ ଓ ରବୀନ୍ଦ୍ର ପ୍ରଧାନ ପ୍ରାୟ ୨ଶହରୁ ଅଧିକ କମଳା ଗଛ ଲଗାଇ ଅମଳ ଅପେକ୍ଷାରେ ରହିଛନ୍ତି। ଡିସେମ୍ବର ଓ ଜାନୁଆରି ମାସରେ କମଳା ପାଚି ଅମଳ ହେବା କଥା। କିନ୍ତୁ ଫୁଲରୁ ଫଳ ହେବା ପୂର୍ବରୁ ସବୁ ଝଡ଼ି ନଷ୍ଟ ହେଉଛି।
ସେହିପରି ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ଚାଷୀ ନିରଞ୍ଜନ ଦେହୁରୀ କୁହନ୍ତି, ୧୯୭୫ମସିହା ବେଳକୁ ତାଙ୍କର ଦୁଇ ଏକର ଜମିରେ କମଳା ଚାଷ ହେଉଥିଲା। ୧୦୦ଟି କମଳାର ମୂଲ୍ୟ ସେତେବେଳେ ୨୫ଟଙ୍କା ଥିଲା। ଗଛଗୁଡ଼ିକରେ ଏତେ ପରିମାଣରେ କମଳା ହୋଇଥିଲା ଯେ ସେ ଗୋଟିଏ ଗଛରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ସେତେବେଳେ ବିକ୍ରି କରିଥିଲେ।

publive-image

ସେହିପରି ୧୯୯୨ମସିହାରେ ସଫଳ କମଳା ଚାଷୀ ଭାବରେ କୁଲାଙ୍ଗି ଗ୍ରାମର ବିଜୟ ପ୍ରଧାନଙ୍କୁ ସରକାରଙ୍କ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ଆଗରୁ ଅନୁଗୁଳ ମିଶ୍ରପଡ଼ା ନିକଟରେ ଏକ ସରକାରୀ କମଳା ଫାର୍ମ ମଧ୍ୟ ରହିଥିଲା। ସେଠାରେ ଚାଷୀମାନଙ୍କୁ କମଳା ଚାରା ଯୋଗାଇ ଦିଆଯାଉଥିଲା। କିନ୍ତୁ ଜଳବାୟୁ ପରିବର୍ତ୍ତନ ପାଇଁ ସେସବୁ ଡୁବିଗଲା। ଉଦ୍ୟାନ ବିଭାଗ ତରଫରୁ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ଦିଆ ନଯିବା ଦ୍ବାରା କମଳା ଚାଷ ପ୍ରତି ଆଉ ଆଗ୍ରହ ନଥିବା ଚାଷୀ କହିଛନ୍ତି। ଅନ୍ୟପ‌ାଖେ ଏ ସମ୍ପର୍କରେ ଉଦ୍ୟାନକୃଷି ଅଧିକାରୀ ଅମ୍ରିତା ଜୟସ୍ବାଲ୍‌ଙ୍କୁ ପଚାରିବାରେ, ଜଳବାୟୁ ପରିବର୍ତ୍ତନ ପାଇଁ ଆଉ କମଳା ଚାଷ ସମ୍ଭବ ହେଉ ନଥିବାରୁ ଚାଷୀମାନେ ଚାହିଁଲେ ଲେମ୍ବୁ, ପିଜୁଳି, ଆମ୍ବ ଆଦି ଚାଷ କରି ଲାଭବାନ ହୋଇପାରିବେ ବୋଲି ସେ କହିଛନ୍ତି।