‘ଫନି’ ଉଜାଡ଼ିଲା ରାଜ୍ୟର ସର୍ବବୃହତ ଅର୍କିଡ କ୍ଲଷ୍ଟର୍‌, ୮ କୋଟିର ପ୍ରକଳ୍ପ, ପଲିନେଟ୍‌ ହାଉସ୍‌ ଛାରଖାର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ହୁମ୍ମା ନିକଟସ୍ଥ ରାଣୀବର ଗ୍ରାମ ପାହାଡ଼ ତଳେ କିଛି ଉଦ୍ୟମୀ ଚାଷୀ ମିଶି ଜାତୀୟ ଉଦ୍ୟାନ ମିସନ୍‌ ସହଯୋଗରେ କରିଥିବା ଅର୍କିଡ (ସୌଖୀନ ଫୁଲ) ଚାଷ ପ୍ରକଳ୍ପକୁ ‘ଫନି’ ଉଜାଡ଼ି ଦେଇଛି। ମୁଖ୍ୟତଃ କମ୍ ତାପମାତ୍ରାରେ ଫୁଟୁଥିବା ଏହି ବିଦେଶୀ ଫୁଲ ଅଧିକ ଦାମୀ ହୋଇଥିବା ବେଳେ ଫୁଲ ବଜାରରେ ଏହାର ପ୍ରବଳ ଚାହିଦା ରହିଛି। କାରଣ ବିଭିନ୍ନ ଉତ୍ସବରେ ସାଜସଜ୍ଜା ପାଇଁ ଏହି ଫୁଲ ବ୍ୟବହାର ହୋଇଥାଏ। ପ୍ରତିକୂଳ ପାଣିପାଗ ସତ୍ତ୍ବେ ଏଠାରେ ପଲିନେଟ୍‌ ହାଉସ୍‌ରେ ସଫଳତାର ସହ ଅର୍କିଡ୍‌ ପ୍ରକଳ୍ପ କରି ଭଲ ଦି’ ପଇସା ରୋଜଗାର କରୁଥିଲେ ଏଠାକାର ଚାଷୀ। ପ୍ରତ୍ୟହ ଏଠାରୁ କୋଲକାତା, ଦିଲ୍ଲୀ, ବେଙ୍ଗାଲୁରୁ, ମୁମ୍ବାଇ ସମେତ ଦେଶର ଅନେକ ବଡ଼ ସହରକୁ ଫୁଲ ରପ୍ତାନି ହେଉଥିଲା। ଏହା ଥିଲା ଓଡ଼ିଶାର ସର୍ବବୃହତ ଅର୍କିଡ କ୍ଲଷ୍ଟର। କିନ୍ତୁ ଗତ ୩ ତାରିଖର ସାମୁଦ୍ରିକ ଝଡ଼ବାତ୍ୟା ଫନି ୮ କୋଟିର ଏହି ଅର୍କିଡ ପ୍ରକଳ୍ପକୁ ଧ୍ବସ୍ତ କରି‌ଦେଇଛି। ସମସ୍ତ ପଲିନେଟ୍‌ ହାଉସ୍‌ ଉଡ଼ାଇ ଦେଇଥିବା ବେଳେ ଫୁଲ ଗଛ ବି ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ଆଗ ଭଳି ଆଉ ଫୁଲ ଧରୁ ନାହିଁ। ଏହାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି ଅର୍କିଡ ଚାଷୀ।

ବ୍ରହ୍ମପୁରର ରବୀନ୍ଦ୍ର ପଟ୍ଟନାୟକଙ୍କ ‌ସମେତ ୮ଜଣ ମିଶି ଜାତୀୟ ଉଦ୍ୟାନ ମିସନ୍‌ ଜରିଆରେ ହୁମ୍ମାର ରାଣୀବର ନିକଟ ପାହାଡ଼ ପାଦ ଦେଶରେ ୨୦୧୬-୧୭ ମସିହାରେ ଆରମ୍ଭ କରିଥିଲେ ଅର୍କିଡ ଚାଷ ପ୍ରକଳ୍ପ। ପ୍ରାଥମିକ ପର୍ଯ୍ୟାୟରେ ଅଳ୍ପ କିଛି ଜମିରେ ଏହି ଚାଷ ଆରମ୍ଭ ହୋଇଥିଲା। ଏବେ ସେ ୭ରୁ ୮ଏକର ଜମିରେ ଏହି ଚାଷ କରୁଛନ୍ତି। ପ୍ରତ୍ୟେକ ୪ ହଜାର ବର୍ଗଫୁଟ ବିଶିଷ୍ଟ ୮ଟି ପଲିନେଟ୍‌ ହାଉସ୍‌ରେ ଏହି ଫୁଲ ଚାଷ ହୋଇଥିବାବେଳେ ଏହାସହିତ ଜର୍‌ବେରା ଫୁଲ ବି ଚାଷ ହେଉଛି। ଜାତୀୟ ଉଦ୍ୟାନ ମିସନ ଓ ରାଜ୍ୟ ସରକାରଙ୍କ ସବ୍‌ସିଡି ଅନୁଦାନରେ ପ୍ରାୟ ୮କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କରିଛନ୍ତି। ପ୍ରତ୍ୟହ ଏଠାରୁ ପ୍ରାୟ ୧୦ ହଜାର ଫୁଲ ଉତ୍ପାଦନ ହେଉଥିଲା। ଗୋଟିଏ ଫୁଲ ଷ୍ଟିକ୍‌ ୧୨ରୁ ୧୮ଟଙ୍କା ମୂଲ୍ୟରେ ବିକ୍ରି ହୁଏ। ଭୁବନେଶ୍ବର, ବ୍ରହ୍ମପୁର, ରାଉରକେଲା, ବାଲେଶ୍ବର ଆଦି ଅଞ୍ଚଳକୁ ମଧ୍ୟ ଏଠାରୁ ଅର୍କିଡ ବିକ୍ରି ପାଇଁ ଯାଇଥାଏ। ଏହାସହିତ ବିଭିନ୍ନ କର୍ପୋରେଟ ହାଉସର କାର୍ଯ୍ୟକ୍ରମ ପାଇଁ ଏଠାରୁ ଫୁଲ ନେଇଥାନ୍ତି। ଏପରିକି ରାଜ୍ୟ ସରକାରଙ୍କ ‘ମେକ୍‌ ଇନ୍‌ ଓଡ଼ିଶା’ କାର୍ଯ୍ୟକ୍ରମ ଲାଗି ଏହିଠାରୁ ଅର୍କିଡ ଯାଇଥିଲା। ଏହାସହିତ କୋଲକାତା, ମୁମ୍ବାଇ, ବେଙ୍ଗାଲୁରୁ ଓ ଦିଲ୍ଲୀକୁ ବିକ୍ରି ପାଇଁ ଏଠାରୁ ବରାଦ ଅନୁସାରେ ଅର୍କିଡ ପଠା ଯାଇଥାଏ। ଫନି ଏହି ବୃହତ ଅର୍କିଡ ଫାର୍ମକୁ ସମ୍ପୂର୍ଣ ଉଜାଡ଼ି ଦେଇଛି। ସବୁ ପଲିନେଟ୍‌ ହାଉସ୍‌ ଗୁଡିକ ଉଡ଼ି ଛାରଖାର ହୋଇଯାଇଛି। କିଛି ଫୁଲ ବେଡ୍‌କୁ ମଧ୍ୟ ବାତ୍ୟା ଉଡାଇ ନେଇଛି। ବର୍ତ୍ତମାନ ଗଛଗୁଡିକ ମଧ୍ୟ କିଛି ମାସ ପର୍ଯ୍ୟନ୍ତ ଆଉ ଫୁଲ ଫୁଟିବା ସ୍ଥିତିରେ ନାହିଁ। ସ୍ଥିତିରେ ସୁଧାର ଆଣିବାକୁ ପୁଣି ଲକ୍ଷାଧିକ ଟଙ୍କା ବ୍ୟୟ ହେବ ବୋଲି କହିଛନ୍ତି ରବୀନ୍ଦ୍ର ପଟ୍ଟନାୟକ। ଅନ୍ୟପକ୍ଷରେ ଗୁରୁବାର ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଦିଗମ୍ବର ପଣ୍ଡା, ଭୁବନେଶ୍ବର ସ୍ଥିତ ଉଦ୍ୟାନ କୃଷି ବିଭାଗର ଉପ ନିର୍ଦ୍ଦେଶକ ସୁବାସ ମହନ୍ତ ପ୍ରମୁଖ ଉକ୍ତ ଫାର୍ମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଶ୍ରୀ ପଣ୍ଡା କହିଛନ୍ତି, ସ୍ବତନ୍ତ୍ର ରିଲିଫ କୋଡ଼ ଅନୁଯାୟୀ ଏହି ପ୍ରକଳ୍ପକୁ କୌଣସି କ୍ଷତିପୂରଣ ଦେବା ବ୍ୟବସ୍ଥା ନାହିଁ। ସରକାରୀ ଭାବେ କିଛି କ୍ଷତିପୂରଣ ମିଳି ପାରିବ ନାହିଁ। ତଥାପି ଏହି କ୍ଷୟକ୍ଷତି ସଂକ୍ରାନ୍ତ‌ରେ ଆମେ ସରକାରଙ୍କୁ ଅବଗତ କରାଇଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର