ଓଡ଼ିଶାରେ ଅର୍କିଡାରିୟମ୍‌ : ୯୩ ପ୍ରଜାତିର ବନ୍ୟ ଅର୍କିଡ୍‌ ଉପରେ ‌ଗବେଷଣା, ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରରେ ୮ ହଜାର ଗଛ

ଭୁବନେଶ୍ବର : ଓଡ଼ିଶାରେ ଅର୍କିଡ୍‌ ଚାଷକୁ ପୋତ୍ସାହନ ଯୋଗାଇବା ଲାଗି ପ୍ରଥମ ଥର ପାଇଁ ରାଜ୍ୟରେ ହୋଇଛି ବିଶାଳ ଅର୍କିଡାରିୟମ୍‌। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ବଟାନିକାଲ ଗାର୍ଡେନ୍‌ରେ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ଅର୍କିଡାରିୟମ୍‌କୁ ଆଜି ଉଦ୍‌ଘାଟନ କରିଛନ୍ତି।

ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ, ଓଡ଼ିଶାର ଅନନ୍ୟ ଉଦ୍ଭିଦ ସମ୍ପଦର ସଂରକ୍ଷଣ ଦିଗରେ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ସବୁବେଳେ ଗୁରୁତ୍ବ ଦେଇ ଆସୁଛି। ରାଜ୍ୟର ବନ୍ୟ ଅର୍କିଡ୍‌ର ସଂରକ୍ଷଣ ଓ ବଂଶବୃଦ୍ଧି ସହ ବ୍ୟା‌ବସାୟିକ ଗୁରୁତ୍ବ ଥିବା ହାଇବ୍ରିଡ୍‌ ଅର୍କିଡ୍‌ ଉପରେ ଗବେଷଣା ଅନୁଷ୍ଠାନର ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଶିମିଳିପାଳ, ମହେନ୍ଦ୍ରଗିରି, ସିଂହରାଜୁ, ମାଲ୍ୟଗିରି ଓ କେନ୍ଦୁଝର ଜଙ୍ଗଲରେ ୧୪୮ଟି ଅର୍କିଡ୍‌ ଦୃଷ୍ଟିଗୋଚର ହୋଇଥାଏ। ସେଥିମଧ୍ୟରୁ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରରେ ୯୩ଟି ବନ୍ୟ ଓ ୨୧୯ଟି ହାଇବ୍ରିଡ୍‌ ଅର୍କିଡ୍‌ ରହିଛି। ଏଠାରେ ନିର୍ମାଣ କରାଯାଇଥିବା ଅର୍କିଡାରିୟମ୍‌ କେବଳ ଓଡ଼ିଶା ନୁହେଁ, ଦେଶରେ ଅନନ୍ୟ ଓ ସର୍ବବୃହତ୍‌। କୃଷକ, ଗବେଷକ, ବୈଜ୍ଞାନିକ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ଲାଗି ଏହା ଉପାଦେୟ ହୋଇପାରିବ।

ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ନିର୍ଦେଶିକା ରେବିକା ନାୟାର କହିଛନ୍ତି ଯେ ଅର୍କିଡାରିୟମ୍‌ ପ୍ରତିଷ୍ଠା ଲାଗି ୭୩ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏଥିସହ ଟିସ୍ୟୁ କଲଚର୍‌କୁ ବି ପ୍ରାଧାନ୍ୟ ଦିଆଯାଇଛି। ଅତ୍ୟାଧୁନିକ ଟିସ୍ୟୁ କଲଚର୍‌ ଲାବରୋଟାରି ଗତ ଜାନୁଆରି ମାସରେ ପ୍ରତିଷ୍ଠା ହୋଇସାରିଛି। ଏବେ ୮୦୦ ପ୍ରଜାତିର ଅର୍କିଡ୍‌ର ପ୍ରାୟ ୮ ହଜାର ଗଛ ଆମ ନିକଟରେ ରହିଛି, ଯାହାକି ଦେଶରେ ଅନନ୍ୟ। ଉତ୍ତର ପୂର୍ବ ଭାରତ, ବେଙ୍ଗାଲୁରୁ ଆଦି ସ୍ଥାନରୁ ଅର୍କିଡ୍‌ ସଂଗ୍ରହ କରାଯାଇ ତାହାର ସଂରକ୍ଷଣ ଓ ଗବେଷଣା ଉପରେ ଗୁରୁତ୍ବ ଦିଆଯାଉଛି।

କେନ୍ଦ୍ରର ବୈଜ୍ଞାନିକ ନିହାର ରଞ୍ଜନ ନାୟକଙ୍କ କହିବାନୁଯାୟୀ, ଓଡ଼ିଶା ବଜାରରେ ଅର୍କିଡ୍‌ ଫୁଲର ଚା‌ହିଦା ଅଧିକ ରହିଛି। ଚାଷ କରିବା ଲାଗି କୃଷକମାନେ ବି ଆଗ୍ରହ ପ୍ରକାଶ କରୁଛନ୍ତି। ଏହାଦ୍ବାରା ଚାଷୀମାନେ ବହୁତ ଲାଭ ହୋଇପାରିବେ। ଆମ ପରିବେଶରେ ଏହି ଫୁଲ ଚାଷ କରିବା ଲାଗି ଉପଯୋଗୀ ହୋଇଥିବାରୁ ଓଡ଼ିଶା ବଜାରକୁ ଆଉ ଥାଇଲାଣ୍ଡ ଉପରେ ନିର୍ଭର କରିବାକୁ ପଡ଼ିବନି। ଚାଷୀଙ୍କୁ ଉନ୍ନତମାନର ଜ୍ଞାନକୌଶଳ ପ୍ରଦାନ, କେଉଁ ଜମିରେ କେତେ ପରିମାଣର ଅର୍କିଡ୍‌ ଲଗାଇବେ, କେବେ ଲଗାଇବେ, କେଉଁ ଜମିରେ କେଉଁ ‌ପ୍ରଜାତିର ଅର୍କିଡ୍‌ ଭଲ ଅମଳ ହେବ, ସେନେଇ ଚାଷୀଙ୍କୁ ସୂଚନା ଦିଆଯିବ। ତିନି ବର୍ଷରେ ଶହେ ଚା‌ଷୀଙ୍କୁ ଚାରା ‌ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ସେମାନେ କିଭଳି ଲାଭବାନ୍‌ ହେବେ, ସେଥିପ୍ରତି ମଧ୍ୟ ଗୁରୁତ୍ବ ଦିଆଯିବ। ଉଦ୍ୟାନ କୃଷି ବିଭାଗ ସହ ଆଲୋଚନା କରି ଚାଷୀଙ୍କୁ କିଭଳି ବଜାର ସୁବିଧା ମିଳିପାରିବ, ସେ ଦିଗରେ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର