ଜ୍ୱରରେ ମହାପ୍ରଭୁ, ପୂଜା ପାଇଲେ ପଟିଦିଅଁ

ସୁସ୍ଥ ହେବା ପାଇଁ ଦିଆଗଲା ପଥି ଭୋଗ, ଅନ୍ଧକାରରେ ଚାଲିଛି ଗୋପନ ଉପଚାର

ପୁରୀ : ସ୍ନାନମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅସୁସ୍ଥତା କାରଣରୁ ଅଣସର ବାସରେ ରହିଛନ୍ତି ଶ୍ରୀଜୀଉ। ଗତକାଲି ରାତିରେ ସ୍ନାନବେଦୀରୁ ବାହୁଡ଼ା ପହଣ୍ଡିରେ ଯିବା ବେଳେ ଅଣସର ପିଣ୍ଡିରେ ଅଟକିଛନ୍ତି ତିନି ଠାକୁର। ଚାଲିଛି ମହାପ୍ରଭୁଙ୍କ ଜ୍ବର ଉପଚାର। କେବଳ ଏକ ଦୀପକୁ ଛାଡ଼ିଦେଲେ ଅଣସର ପିଣ୍ଡିରେ ଘନ ଅନ୍ଧକାର ମଧ୍ୟରେ ଚାଲିଛି ଗୁପ୍ତ ନୀତି। ବୈଦ୍ୟଙ୍କ ପରାମର୍ଶ କ୍ରମେ ଜ୍ୱର ପୀଡ଼ିତ ଶ୍ରୀଜୀଉଙ୍କୁ ସୁସ୍ଥ ହେବା ପାଇଁ ପଥି ଦିଆଯାଇଛି। ଘଣ୍ଟଘଣ୍ଟା ବାଜିବା, ସବୁକିଛି ବାରଣ କରାଯାଇଛି। ଛପନ ପଉଟି ଭୋଗ ବଦଳରେ ଆଜି ଫଳ, ଫୁଲରି ଲାଗି ହୋଇଛି। ଦଇତାପତି ସେବକଙ୍କ ଦ୍ବାରା ଆଜି ମହାପ୍ରଭୁଙ୍କ ଏହି ଗୁପ୍ତନୀତି କରାଯାଇଛି। ବିନା ବାଧାରେ ଗୁପ୍ତନୀତିକୁ ସଂପନ୍ନ ପାଇଁ ଅଣସର ବାସ ପିଣ୍ଡି ସମ୍ମୁଖରେ ଅଣସର ତାଟି ପଡ଼ିଛି। ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିର ଅଣସର ତାଟି ସମ୍ମୁଖରେ ପଟି ଦିଅଁ ବିଜେ କରିଛନ୍ତି। ପଟି ଦିଅଁଙ୍କ ନିକଟରେ ଆଜିଠାରୁ ଛପନ ପଉଟି ଭୋଗ ଲାଗି ହୋଇଛି।

Shreekhetra

ସେପଟେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ପରେ ଅଲାରନାଥଙ୍କ ପୀଠରେ ପ୍ରତିବର୍ଷ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗେ। କିନ୍ତୁ କରୋନା କଟକଣା ପାଇଁ ଅଲାରନାଥଙ୍କ ପୀଠରେ ଦର୍ଶନ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଅଲାରନାଥଙ୍କ ପ୍ରସିଦ୍ଧ ଅଲଣା କ୍ଷିରି ପାଇବାରୁ ଭକ୍ତ ବଞ୍ଚିତ ହୋଇଛନ୍ତି।

ଭକ୍ତଙ୍କୁ ସ୍ନାନମଣ୍ଡପରେ ଦିନତମାମ ଦର୍ଶନ ଦେଇ ଗତକାଲି ସଂଧ୍ୟାରେ ବାହୁଡ଼ା ପହଣ୍ଡି ପରେ ଅସୁସ୍ଥ ଶ୍ରୀଜିଉଙ୍କୁ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ଶ୍ରୀମନ୍ଦିର ଭିତର କାଠ ଏବଂ କଳାହାଟ ଦ୍ୱାର ମଧ୍ୟସ୍ଥିତ ଅଣସର ପିଣ୍ଡିରେ ଅଧିଷ୍ଠିତ କରାଯାଇଛି। ଏହି ପିଣ୍ଡିରେ ବୈଦ୍ୟଙ୍କ ପରାମର୍ଶକ୍ରମେ ଅସୁସ୍ଥ ଶ୍ରୀଜୀଉଙ୍କ ଚିକିତ୍ସା ସେବା ଆରମ୍ଭ ହୋଇଛି। ଦଇତାପତି ସେବକମାନେ ଏକାସଙ୍ଗେ ତିନି ଠାକୁର ଓ ପଟିଦିଅଁଙ୍କ ସେବା କାର୍ଯ୍ୟ ସଂପାଦନ କରିଛନ୍ତି। ଆଜି ସକାଳେ ଶ୍ରୀମନ୍ଦିରରେ ପଟିଦିଅଁଙ୍କ ଠାରେ ମଙ୍ଗଳ ଆଳତି, ଅବକାଶ, ବଲ୍ଲଭ, ଭୋଗମଣ୍ଡପ, ମଧ୍ୟାହ୍ନ ଧୂପ ସରିଲା ପରେ ବେହରଣ ମଣ୍ଡପ ପାଖ ଅଣସର ଦ୍ୱାର ଖୋଲାଯାଇଥିଲା।

atlasobscura.com

ମଧ୍ୟାହ୍ନ ଧୂପ ସରିବା ପରେ ମୁକ୍ତିମଣ୍ଡପ ସମ୍ମୁଖ ବେହରଣ ମଣ୍ଡପ ଦେଇ ଦଇତାପତି ସେବକମାନେ ଶୁକ୍ଳ (ଧଳା) ବସ୍ତ୍ର ପରିଧାନ କରି ଅଣସର ଘରେ ପ୍ରବେଶ କରିଥିଲେ। ସେଠାରେ ଦଇତାପତି ସେବକଙ୍କ ଦ୍ୱାରା ଶ୍ରୀଜୀଉଙ୍କ ଗୁପ୍ତ ସେବା ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କ ନିକଟରେ କୋଠ ଭୋଗ ଲାଗି ବାରଣ କରାଯାଇଥିବାରୁ ଅସୁସ୍ଥ ଶ୍ରୀଜୀଉଙ୍କୁ ଆଜିଠାରୁ ପଥି ଆକାରରେ କ୍ଷୀର, ସର, ଛେନା, ରାବିଡ଼ି ସହ ଆମ୍ବ, କଦଳୀ, ପଣସ ଆଦି ଫଳ ଭୋଗ ହୋଇଥିଲା। ଶ୍ରୀଜୀଉଙ୍କୁ ଭୋଗ ପରେ ଦଇତାପତି ସେବକମାନେ ଏହାକୁ ପ୍ରସାଦ ଆକାରରେ ସେବନ କରିଥିଲେ। ମହାପ୍ରଭୁଙ୍କଠାରେ ଲାଗି ହେଉଥିବା ଏହି ଭୋଗ ଅଣସର ଘରୁ ବାହାରକୁ ନ ଆସିବାର ବିଧି ରହିଛି। ବାକି ଭୋଗ ସେହି ଅଣସର ଘରେ ଛାଡ଼ି ଆସିଥିଲେ। ଶ୍ରୀଜୀଉ ଅଣସରରେ ଥିବାରୁ ଶ୍ରୀମନ୍ଦିରରେ ସମସ୍ତ କାର୍ଯ୍ୟ ବନ୍ଦ ରଖାଯାଇଛି।

ଜଗନମୋହନରୁ ଅଣସର ଘର ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ସେପଟେ ଦୈନନ୍ଦିନ ଭଜନ, କୀର୍ତନ, ଗୀତ, ଘଣ୍ଟଘଣ୍ଟା, ବାଜା ସବୁକୁ ଶ୍ରୀମନ୍ଦିରରେ ନିଷେଧ କରାଯାଇଛି। ପଟିଦିଅଁ ରୂପେ ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଅନନ୍ତ ନାରାୟଣ, ବଡ଼ଠାକୁର ବଳଭଦ୍ର ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରା ଭୁବନେଶ୍ୱରୀ ରୂପରେ ପୂଜା ପାଉଛନ୍ତି। ଏଠାରେ ଛପନ ପଉଟି ଭୋଗ ଅନ୍ନ ଓ ପିଠାପଣା ଆଦି ଲାଗି କରାଯାଇଛି। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମକୃଷ୍ଣ ଓ ନୃସିଂହ ବି ଏଠାରେ ପୂଜା ପାଉଛନ୍ତି।

ସମ୍ବନ୍ଧିତ ଖବର