ଅପରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ: ଖୋଲିଲା ବିଡିଏ ଇଚ୍ଛାଧୀନ ଜମି ଆବଣ୍ଟନ ମାମଲା

ଭୁବନେଶ୍ୱର: ବହୁଚର୍ଚିତ ବିଡିଏ ଅଞ୍ଚଳରେ ହୋଇଥିବା ଇଚ୍ଛାଧୀନ କୋଟା ଅନ୍ତର୍ଗତ ଜମି ଆବଣ୍ଟନ ଦୁର୍ନୀତି ମାମଲା ଦୀର୍ଘଦିନ ଧରି ସରକାରୀ ଫାଇଲ୍‌ରେ ବନ୍ଦ ରହିଛି। ଏ ନେଇ ତାରା ଦତ୍ତ ଟାସ୍କଫୋର୍ସ କମିଟି ରିପୋର୍ଟ ଏବଂ ତା’ର ସୁପାରିସ ଫାଇଲ୍‌ରେ ବି ଧୂଳି ଲାଗିଗଲାଣି। ତେବେ ସମସ୍ତଙ୍କୁ ବିସ୍ମିତ କରି ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ସେହି ମାମଲାଗୁଡ଼ିକୁ ଖୋଲି ତା’ର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି। ସମୀକ୍ଷା କାଳରେ ଏସବୁ ମାମଲାରେ ଯେଉଁମାନେ ଅପରାଧିକ କାର୍ଯ୍ୟରେ ଜଡ଼ିତ ଥିବାର ଇଙ୍ଗିତ ମିଳୁଥିବ, ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦେଶ ଦେଇଛନ୍ତି।

ଆଜି ସଚିବାଳୟରେ ଏ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ଉପରୋକ୍ତ ନିର୍ଦେଶ ଦେଇଥିଲେ। ମିଥ୍ୟା ସତ୍ୟପାଠ ଦାଖଲ କରି ଏକରୁ ଅଧିକ ପ୍ଲଟ୍‌ ହାତେଇଥିବା କିମ୍ବା ଦରଖାସ୍ତ ସମୟରେ ପ୍ରକୃତ ତଥ୍ୟ ଲୁଚାଇଥିବା ବ୍ୟକ୍ତିମାନଙ୍କ ବିରୋଧରେ ଅପରାଧମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକର ବିବରଣୀରୁ ଜଣାଯାଇଛି। ବୈଠକରେ ସ୍ଥିର ହୋଇଛି ଯେ ତାରା ଦତ୍ତଙ୍କ ରିପୋର୍ଟ ମୁତାବକ ସମସ୍ତ ଆବଣ୍ଟିତ ଜମିର ଏକ ଢାଞ୍ଚା ବା ମାଟ୍ରିକ୍ସ ପ୍ରସ୍ତୁତ କରାଯିବ। ସେହି ଢାଞ୍ଚା ଅନୁଯାୟୀ ପ୍ରତି ଆବଣ୍ଟନର ବାସ୍ତବ ରୂପ ନିର୍ଧାରଣ କରାଯିବ। ଏହି କାର୍ଯ୍ୟ ଆଗାମୀ ୪ ମାସ ମଧ୍ୟରେ ସାରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ।

ସୂଚନାନୁସାରେ ବିଡିଏ ଇଚ୍ଛାଧୀନ କୋଟାରେ ପ୍ରାୟ ୭୯୦ଟି ପ୍ଲଟ୍‌ ଆବଣ୍ଟନ କରାଯାଇଥିଲା। ସେଥିମଧ୍ୟରୁ ସନ୍ଦେହ ପରିସରକୁ ଆସିଥିବା ୩୩୨ଟି ଫାଇଲ୍‌କୁ ଭିଜିଲାନ୍ସ ତଦନ୍ତ ପାଇଁ ନେଇଥିଲେ। ସେଥିମଧ୍ୟରୁ ମାତ୍ର ୪୮ଟିର ତଦନ୍ତ ସରିଛି। ସେଥିରୁ ୪୬ଟି ମାମଲାରେ କାହାରି ଦୋଷତ୍ରୁଟି ବାହାରିନାହିଁ। ମାତ୍ର ୨ଟି ମାମଲାରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ବୈଠକରେ ଭିଜିଲାନ୍ସ ବିଭାଗର ପଦାଧିକାରୀ କହିଥିଲେ ଯେ ଏଭଳି ତଦନ୍ତ ବହୁମୁଖୀ ହୋଇଥିବାରୁ ଏହା ସମୟସାପେକ୍ଷ ହେବ। ଆରମ୍ଭରେ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଅଶୋକ ମୀନା ଏହି ପ୍ରସଙ୍ଗ ନେଇ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର