ଭୁବନେଶ୍ୱର:୨୦୧୭ରେ ରାଜ୍ୟରେ ୧୦୮୫୫ଟି ଦୁର୍ଘଟଣା ଘଟିଛି। ଏହା ଫଳରେ ଅକାଳରେ ଝରିପଡ଼ିଛି ପ୍ରାୟ ୪୭୦୦ଜଣଙ୍କ ମୂଲ୍ୟବାନ ଜୀବନ। ଦୁର୍ଘଟଣା ସହିତ ଦୁର୍ଘଟଣାଜନିତ ମୃତ୍ୟୁ ହାର ହ୍ରାସ କରିବା ଏବେ ସରକାରଙ୍କ ପାଇଁ ବଡ଼ ଆହ୍ଵାନରେ ପରିଣତ ହୋଇଛି। ଆଜି ସଚିବାଳୟରେ ଏ ନେଇ ଭିଡିଓ କନ୍ଫରେନ୍ସିଂ ଯୋଗେ ସବୁ ଜିଲ୍ଲାପାଳଙ୍କ ସହିତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏବଂ ବରିଷ୍ଠ ପଦାଧିକାରୀମାନେ ଆଲୋଚନା କରିଥିଲେ। ପ୍ରତି ଜିଲ୍ଲା ପାଇଁ ଦୁର୍ଘଟଣା ହାର ହ୍ରାସ ପାଇଁ ନିର୍ଦିଷ୍ଟ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ନିମନ୍ତେ ମୁଖ୍ୟ ସଚିବ ସବୁ ଜିଲ୍ଲାପାଳ, ଏସ୍ପିଙ୍କୁ ନିର୍ଦେଶ ଦେଇଥିଲେ। ରାଜ୍ୟର ସମସ୍ତ ଜିଲ୍ଲା ମଧ୍ୟରୁ କଟକ, ସୁନ୍ଦରଗଡ଼, ମୟୂରଭଞ୍ଜ, ଅନୁଗୁଳ, ଗଞ୍ଜାମ, ଯାଜପୁର, ସମ୍ବଲପୁର, ବଲାଙ୍ଗୀର ଆଦି ଜିଲ୍ଲାରେ ଦୁର୍ଘଟଣାଜନିତ ମୃତ୍ୟୁହାର ଅଧିକ ଘଟୁଥିବା ବୈଠକରୁ ସୂଚନା ମିଳିଥିଲା। ଏଣୁ ଏସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍ପିମାନେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ। ବିଶେଷ କରି ଯେଉଁମାନେ ତ୍ରୁଟିପୂର୍ଣ୍ଣ ଡ୍ରାଇଭିଂ କରି ଯାଞ୍ଚ ବେଳେ ଧରାପଡ଼ୁଛନ୍ତି, ସେହି ଡ୍ରାଇଭରମାନଙ୍କ ଲାଇସେନ୍ସ ତୁରନ୍ତ ରଦ୍ଦ କରିବାକୁ ସେ ଆରଟିଓମାନଙ୍କୁ ନିର୍ଦେଶ ଦେଇଥିଲେ। ସେହିପରି ଗ୍ରାମାଞ୍ଚଳରେ ଦ୍ରୁତ ଚାଳନା ରୋକିବା ନିମନ୍ତେ ଗ୍ରାମାଞ୍ଚଳ ପୁଲିସ୍ଙ୍କୁ କ୍ଷମତା ପ୍ରଦାନ କରାଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା। ପରିବହନ କମିସନର ମଧୁସୂଦନ ପାଢ଼ୀ ଜିଲ୍ଲାଓ୍ଵାରି ଦୁର୍ଘଟଣା ସ୍ଥିତି ସଂପର୍କରେ ଉପସ୍ଥାପନ କରିବା ସହିତ ଜିଲ୍ଲାଗୁଡ଼ିକୁ ଯୋଗାଇ ଦିଆଯାଇଥିବା ଇଣ୍ଟରସେପ୍ଟରର ବହୁଳ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ତ୍ରୁଟିପୂର୍ଣ୍ଣ ଗାଡ଼ିଚାଳନା ଯୋଗୁଁ ଗତବର୍ଷ ୫୯୭୮୧ଟି ଘଟଣା ଧରାପଡ଼ିଥିଲା। ଫଳରେ ୨୧ ହଜାରରୁ ଅଧିକ ଲାଇସେନ୍ସ ରଦ୍ଦ କରାଯାଇଥିଲା। ଅପରାଧ ଏବଂ ଅପରାଧୀ ଅନୁଧାବନ ବ୍ୟବସ୍ଥା(ସିସିଟିଏନ୍)ରେ ଦୁର୍ଘଟଣା ମଡ୍ୟୁଲ୍ ସଂଯୁକ୍ତ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ଏକ ଅନ୍ଲାଇନ ରାସ୍ତା ଦୁର୍ଘଟଣା ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସ୍ଥିର ହୋଇଥିଲା। ଆଗାମୀ ୪ ମାସ ଭିତରେ ଏହି ବ୍ୟବସ୍ଥାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ସଚିବ ବାଣିଜ୍ୟ ଓ ପରିବହନ ବିଭାଗକୁ ନିର୍ଦେଶ ଦେଇଥିଲେ।
‘ନିଜ ଜିଲ୍ଲାରେ ମୃତ୍ୟୁ ହାର ହ୍ରାସ ପାଇଁ କାର୍ଯ୍ୟପନ୍ଥା ପ୍ରସ୍ତୁତ କର’ ସବୁ ଜିଲ୍ଲାପାଳ, ଏସ୍ପିଙ୍କୁ ନିର୍ଦେଶ
୨୦୧୭ରେ ରାଜ୍ୟରେ ୧୦୮୫୫ ଦୁର୍ଘଟଣା, ୪୭୦୦ଜଣ ମୃତ
/sambad/media/post_attachments/wp-content/uploads/2018/02/secretariate.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)