ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳଙ୍କ ଆବାହକତ୍ବରେ ମଙ୍ଗଳବାର ଜିଲ୍ଲା ପରିଷଦ, ଜିଲ୍ଲା ଉନ୍ନୟନ ସମନ୍ବୟ ପରିଚାଳନା କମିଟି (ଦିଶା) ଓ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭାପତି ପ୍ରଭାସିନୀ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ବୈଠକ, କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଅଧ୍ୟକ୍ଷତାରେ ଦିଶା ବୈଠକ ଓ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ​କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା କକ୍ଷରେ ଆୟୋଜିତ ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇଥିଲେ।

Advertisment

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜିଲ୍ଲାରେ କପା ଚାଷ ପାଇଁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ରହିଥିବା ପ୍ରକାଶ କରିଥିଲେ। କପା ଚାଷ ପାଇଁ ଆବଶ୍ୟକ ସାର, କୀଟନାଶକ ଓ ରସାୟନ ଯୋଗାଇ ଦେବାକୁ ମନ୍ତ୍ରୀ ଶ୍ରୀ ଅମାତ ଗୁରୁତ୍ବାରୋପ କରିଥିଲେ। ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ ଜିଲ୍ଲା​ରେ ହଳଦୀ ଓ ଅଦା ଚାଷ ପାଇଁ ଚଳିତ ବର୍ଷ ୧୦୦ ହେକ୍ଟର ଲକ୍ଷ୍ୟ ଥିବା ବେଳେ ଆମ୍ବ ଚାଷ ସହିତ ଏହି ଦୁଇ ଚାଷ କରାଯାଇ ପାରିବ ବୋଲି କହିଥିଲେ।

ପ୍ରତି ବ୍ଲକ୍‌ରେ ପନିପରିବା ସଂରକ୍ଷଣ ପାଇଁ ପ୍ରାୟ ଏକ କୋଟି ଟଙ୍କା ବ୍ୟୟ ଅଟକଳରେ ୨୫୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ସୌର ଚାଳିତ ଶୀତଳ ଭଣ୍ଡାର ନିର୍ମାଣ ଯୋଜନା ରହିଥିବା ପ୍ରକାଶ କରିଥିଲେ। ଜଳ ବିଭାଜିକା ପିଡିଙ୍କ ଦ୍ବାରା କଣ୍ଟାମାଳ ବ୍ଲକରେ ଚେକଡ୍ୟାମ ଓ ଫାର୍ମପଣ୍ଡରେ ଅନିୟମିତତା କରାଯାଇଥିବା ଅଭିଯୋଗ ଆସିଥିଲା। ଜିଲ୍ଲାପାଳ ନିଜେ ସ୍ଥିତି ଅନୁଧ୍ୟାନ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗହଣ କରିବାକୁ ବୈଠକରେ ଦାବି କରାଯାଇଥିଲା। ୯ଟି ଜଳ ବିଭାଜିକା କମିଟି ମଧ୍ୟରୁ ୬ଟି ଗଠିତ ହୋଇଛି। ଅନ୍ୟ ୩ଟି କମିଟି ଶିଘ୍ର ଗଠନ କରିବାକୁ ପିଡିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କାର୍ଯ୍ୟ ଶେଷ ହୋଇଥିବା ପ୍ରକଳ୍ପଗୁଡ଼ିକର ଏମଆର ଦ୍ବାରା ୭ ଦିନ ଭିତରେ ଟଙ୍କା ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କେଉଟିପାଲି ଗ୍ରାମରେ ଲୋକେ ଟଙ୍କା ପାଇନଥିବା ଅଭିଯୋଗ ହୋଇଥିଲା।

ତିନିଟି ପର୍ଯ୍ୟାୟରେ ଜିଲ୍ଲାର ୫୭ଟି ହାଇସ୍କୁଲ ୫–ଟି ଅଧୀନକୁ ଯାଇଛି। ଖୁବ ଶିଘ୍ର ଆଉ ୧୯ଟି ହାଇସ୍କୁଲ ୫–ଟି ଅଧୀନକୁ ଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଥିଲେ। ଆମିକସ କ୍ୟୁରି ଜିଲ୍ଲାର ୭ଟି ହାଇସ୍କୁଲ ପରିଦର୍ଶନ କରିଛନ୍ତି। ତାଙ୍କ ରିପୋର୍ଟ ଆଧାରରେ ଜିଲ୍ଲାରେ ସମସ୍ତ ହାଇସ୍କୁଲରେ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାଇଥିଲେ। ସର୍ବଶିକ୍ଷା ଅଭିଯାନରେ ଆବଶ୍ୟକ ପାଣ୍ଠିର ଆକଳନ କରି ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାରେ ଧନୁଷ୍ଟଙ୍କାର ରୋଗର ମୂଳୋତ୍ପାଟ ହୋଇଥିବାରୁ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ସିଡିଏମଓ ପ୍ରକାଶ କରିଥିଲେ। ବାଘନଦୀ ଓ ମହାନଦୀ କୂଳରେ ଆଡ଼ିବନ୍ଧ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାରେ ଚଳିତ ବର୍ଷ ୮୫ ଲକ୍ଷ ମାଛ ଜାଆଁଳା ଚାଷୀଙ୍କୁ ଯୋଗାଇ ଦେବା ଲକ୍ଷ୍ୟ ରହିଥିବା ଜିଲ୍ଲା ମତ୍ସ୍ୟ ଅଧିକାରୀ ସୂଚନା ଦେଇଥିଲେ। ଏମଆଇ ପ୍ରକଳ୍ପଗୁଡ଼ିକରେ ମାଛ ଚାଷ ସହିତ ଚିଙ୍ଗୁଡ଼ି ଚାଷ କରିବାକୁ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା।

ଜିଲ୍ଲାର ତିନିଟି ଯାକ ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ପାଇଁ ପ୍ରସ୍ତାବ ଦେବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବ୍ୟାଙ୍କ ସହ ନିୟମିତ ବୈଠକ କରି ଭତ୍ତା ହିତାଧିକାରୀଙ୍କ ଖାତାକୁ ଠିକ ସମୟରେ ଭତ୍ତା ପଠାଇବା ସୁନିଶ୍ଚିତ କରିବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ହରିଶ୍ଚନ୍ଦ୍ର ସହାୟତା ରାଶି ତୁରନ୍ତ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକଳ୍ପରେ ସୂଚନା ଫଳକ ଲଗାଇବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପଞ୍ଚାୟତିରାଜ ବିଭାଗ ଗମନାଗମନ ଅସୁବିଧା ଥିବା ଗ୍ରାମଗୁଡ଼ିକର ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ପାଇଁ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାର୍ଗଦର୍ଶିକା ଅନୁସାରେ ଗାର୍ଡୱାଲ ନିର୍ମାଣ କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯୋଗୀନ୍ଦ୍ରପୁର, ଖଟକଟିଆ, ବୀରନରସିଂହପୁର ଆଦି ପଞ୍ଚାୟତରେ ନୂତନ ପ୍ୟାକ୍ସ ସ୍ଥାପନ ପାଇଁ ପ୍ରସ୍ତାବ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ତେଲନଦୀ ଉପରେ ଟାୱାର ନିର୍ମାଣ କାର୍ଯ୍ୟରେ ଉପୁଜିଥିବା ସମସ୍ୟା ସମାଧାନ କରି କଣ୍ଟାମାଳର ୧୩୨/୩୩ ଗ୍ରିଡ ​ଷ୍ଟେସନକୁ କାର୍ଯ୍ୟକ୍ଷମ କରିବାକୁ ଟାଟା ପାୱାର ଯନ୍ତ୍ରୀଙ୍କ ନିର୍ଦ୍ଦେଶ ଦିଆଯାଇଥିଲା। ମନ୍‌ରେଗାର ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ବୈଠକରେ ମତପ୍ରକାଶ ପାଇଥିଲା। ଗ୍ରାମୀଣ ଆବାସ ଯୋଜନାରେ ସ୍ଥାନ ପାଇନଥିବା ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଜୀକୃତ କରାଯିବା ନେଇ ସଦସ୍ୟମାନେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ପୋର୍ଟାଲ କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମତପ୍ରକାଶ ପାଇଥିଲା। ବୈଠକ ପରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଶ୍ବିନୀ ମେହେର ଧନ୍ୟବାଦ ଦେଇଥିଲେ। ଶେଷରେ ‘ମୋ ବୌଦ୍ଧ, ଭାରି ସୁନ୍ଦର’ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।