‘ବିଚାରାଧୀନ ବନ୍ଦୀଙ୍କ କରୋନା ପରୀକ୍ଷା କର’, ସ୍ୱାସ୍ଥ୍ୟ ସଚିବଙ୍କୁ ଉଚ୍ଚକ୍ଷମତା ସମ୍ପନ୍ନ କମିଟିର ନିର୍ଦ୍ଦେଶ

କଟକ : ରାଜ୍ୟର ବିଭିନ୍ନ ଜେଲ୍‌ରେ ଥିବା ବିଚାରାଧୀନ ବନ୍ଦୀଙ୍କ କରୋନା ଭୂତାଣୁ ପରୀକ୍ଷା କରାଯିବା ସହିତ ସେମାନଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ଉଚ୍ଚକ୍ଷମତା ସଂପନ୍ନ (ହାଇ ପାୱାର୍‌ଡ୍) କମିଟି ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ଓ ରାଉରକେଲା ଉପକାରାଗାରରେ ବିଚାରାଧୀନ ବନ୍ଦୀ କରୋନା ଭୂତାଣୁ ସଂକ୍ରମିତ ଥିବା ଜଣାପଡ଼ିବା ପରେ କମିଟି ପକ୍ଷରୁ ଏପରି ନିର୍ଦ୍ଦେଶ ଦିଆଯାଇଛି।

ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧୢକ୍ଷା ଜଷ୍ଟିସ୍‌ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚକ୍ଷମତାସଂପନ୍ନ କମିଟି ବୈଠକରେ ଗୃହ ସଚିବ ସଂଜୀବ ଚୋପ୍ରା ଓ ଜେଲ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଯୋଗଦେଇ ବିଚାରାଧୀନ ବନ୍ଦୀମାନେ କିପରି ଗୋଷ୍ଠୀ ସଂକ୍ରମଣରୁ ଦୂରେଇ ରହିବେ, ସେ ନେଇ ଆଲୋଚନା କରାଯାଇଥିଲା। ଏଥିସହିତ ବନ୍ଦୀମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ରାଜ୍ୟରେ ଥିବା ସମସ୍ତ ଜିଲ୍ଲା କରାଗାର ଓ ଉପକାରାଗାରରେ ଥିବା ପ୍ରତ୍ୟେକ ବିଚାରାଧୀନ ବନ୍ଦୀମାନଙ୍କର କରୋନା ଭୂତାଣୁ ପରୀକ୍ଷଣ କରାଇବା ସହିତ ଆବଶ୍ୟକ ସ୍ଥଳେ ଉପଯୁକ୍ତ ସ୍ବାସ୍ଥ୍ୟସେବା ଜେଲ ବିଭାଗର ନିର୍ଦ୍ଦେଶକଙ୍କ ସହାୟତାରେ ଯୋଗାଇ ଦେବାକୁ କମିଟି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶ ମୁତାବକ ଗ୍ରହଣ କରିଥିବା ପଦକ୍ଷେପ ସଂପର୍କରେ ସବିଶେଷ ବିବରଣୀ ଏକ ସପ୍ତାହ ମଧ୍ୟରେ ଉଚ୍ଚକ୍ଷମତା ସଂପନ୍ନ କମିଟି ନିକଟରେ ଦାଖଲକରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଅର୍ଣ୍ଣେସ୍ କୁମାର ରାୟରେ ରହିଥିବା ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ ପାଇଁ ଆଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର