କେଜି ପ୍ରତି ୩୫ ଟଙ୍କାରେ ତେନ୍ତୁଳି କ୍ରୟ ପାଇଁ ନିର୍ଦେଶ, ଜାରି ହେଲା ମାର୍ଗଦର୍ଶିକା

ଭୁବନେଶ୍ବର : ମଞ୍ଜି ସହିତ ତେନ୍ତୁଳିକୁ କେଜି ପ୍ରତି ୩୫ ଟଙ୍କା, ବିନା ମଞ୍ଜିରେ ୬୩ ଟଙ୍କାରେ ସଂଗ୍ରହ କରାଯିବ। ଏନେଇ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ମାର୍ଗଦର୍ଶିକା ଦେଇଛି ଜନଜାତି ବିକାଶ ସମବାୟ ନିଗମ। ଯେଉଁ ସ୍ଥାନରେ ଏମଏସପିରୁ କମ ଦରରେ ତେନ୍ତୁଳି କ୍ରୟ କରାଯାଉଛି ସେ ସମ୍ପର୍କରେ ନିଗମର ଦୃଷ୍ଟି ଆକର୍ଷଣ କରାଗଲେ ପଦକ୍ଷେପ ସହିତ ଏହାକୁ ରଖିବା ପାଇଁ ଷ୍ଟୋରେଜର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।

ସୂଚନା ଅନୁଯାୟୀ, ୫୬ଟି ଲଘୁବନଜାତ ଦ୍ରବ୍ୟର ଏମଏସପି ଘୋଷଣା ସହିତ ସଂଗ୍ରହର ବ୍ୟବସ୍ଥା ରହିଛି। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ କେବଳ ଅଧିକ ଚାହିଦା ଥିବା ତେନ୍ତୁଳି, ମହୁଲ କିମ୍ବା କିଛି କିଛି ବର୍ଷ ଶାଳ ମଞ୍ଜି କ୍ରୟକୁ ଗୁରୁତ୍ବ ଦିଆଯାଏ। ବ୍ୟାପକ ଭାବରେ ଉତ୍ପାଦନ ହେଉଥିବା ନୂଆପଡ଼ା, ଭବାନୀପାଟଣା, ରାୟଗଡ଼ା, ନବରଙ୍ଗପୁର ଜିଲ୍ଲାର ଉମରକୋଟ, କୋରାପୁଟ ଜିଲ୍ଲାର ସୁନାବେଡ଼ା, ମାଲକାନଗିରି, ସୁନ୍ଦରଗଡ଼, ମୟୂରଭଞ୍ଜ ଜିଲ୍ଲାର ଉଦଳା, କେନ୍ଦୁଝର, ଲହୁଣିପଡ଼ା, ଗଜପତି ଜିଲ୍ଲାର ଆର୍. ଉଦୟଗିରି, କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ସମ୍ବଲପୁରରେ ସଂଗ୍ରହ କରାଯାଉଛି। ଏସଏଚଜି, ପିପିଏ ଜରିଆରେ ଏହାର ସଂଗ୍ରହ କରାଯିବା ପାଇଁ କୁହାଯାଇଛି। ଏଥିରେ ନଗଦ ବଦଳରେ ସିଧାସଳଖ ସଂଗ୍ରହକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରାପ୍ୟ ପ୍ରଦାନ କରାଯିବା ପାଇଁ କୁହାଯାଇଛି। ରାଜ୍ୟ ସରକାର ସଂଗ୍ରହ କରୁଥିବା ତେନ୍ତୁଳିର ବଡ଼ ଗ୍ରାହକ ହେଲେ ଦକ୍ଷିଣ ଭାରତର ଅନେକ ବ୍ୟବସାୟୀ। ଓଡ଼ିଶା ସରକାର ଏଥିରୁ ଭଲ ଉପାର୍ଜନ କରିଥାଆନ୍ତି।

ସମ୍ବନ୍ଧିତ ଖବର