କଟକ: ରାସନ୍ କାର୍ଡଧାରୀଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ନାଁରେ ରାସନ ସାମଗ୍ରୀ ଉଠାଯିବା ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଠକେଇ ରୋକିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦେଶ, ୨୦୧୬ରେ ରହିଥିବା ତ୍ରୁଟିର ସୁଯୋଗ ନେଇ ଏପରି ଜାଲିଆତି କରାଯାଉଛି। ତ୍ରୁଟି ସଂଶୋଧନ ସହ ଦଣ୍ଡ ବ୍ୟବସ୍ଥା କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।
ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦେଶରେ ସରକାର ଆବଶ୍ୟକ ସଂଶୋଧନ କରିବେ ବୋଲି ହାଇକୋର୍ଟ କହିଛନ୍ତି। ରାସନ କାର୍ଡଧାରୀଙ୍କ ଯଦି ମୃତ୍ୟୁ ହୁଏ ତେବେ ଏ ନେଇ ସଂପୃକ୍ତ କାର୍ଡଧାରୀଙ୍କ ପ୍ରତିନିଧି ଏଫ୍ପିଏସ୍ ଲାଇସେନ୍ସଧାରୀ (ଫେୟାର୍ ପ୍ରାଇସ୍ ସପ୍ ଲାଇସେନ୍ସି) ବା ସରକାରୀ ଅଧିକାରୀଙ୍କୁ ଅବଗତ କରିବେ। ଏହି ଆଦେଶରେ ଦଣ୍ଡ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ସଂଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ରବୀନ୍ଦ୍ର କୁମାର ସ୍ବାଇଁଙ୍କ ଆବେଦନର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି। ଏଥି ସହ ଆବେଦନକାରୀଙ୍କ ପିଡିଏସ୍ ଲାଇସେନ୍ସକୁ ୪ସପ୍ତାହ ମଧ୍ୟରେ ନବୀକରଣ କରିବା ପାଇଁ ଜଗତସିଂହପୁର ଉପ-ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଞ୍ଚଳର ଆବେଦନକାରୀଙ୍କ ପିଡିଏସ୍ ଡିଲର ଲାଇସେନ୍ସ ନବୀକରଣ ଆବେଦନକୁ ୨୦୨୨, ଡିସେମ୍ବର ୨୩ରେ ଉପଜିଲ୍ଲାପାଳ ଖାରଜ କରିଥିଲେ। ଏହାପରେ ଆବେଦନକୁ ଜଗତସିଂହପୁର ଜିଲ୍ଲାପାଳ ୨୦୨୩, ଜୁଲାଇ ୨୦ରେ ଖାରଜ କରିଥିଲେ।
ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦେଶ, ୨୦୧୬ର ସର୍ତ୍ତ ୨୯ରେ ଦଣ୍ଡ ବ୍ୟବସ୍ଥା ରହିଛି। କିନ୍ତୁ କାର୍ଡଧାରୀଙ୍କ ମୃତ୍ୟୁ କଥା ଲୁଚାଇ ରାସନ ସାମଗ୍ରୀ ଉଠାଉଥିବା ପରିବାର ସଦସ୍ୟ ବା ପ୍ରତିନିଧିଙ୍କୁ ଦଣ୍ଡିତ କରିବା ପାଇଁ ଏହି ଆଦେଶରେ କିଛି ବ୍ୟବସ୍ଥା ନାହିଁ ବୋଲି ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଜୟଦୀପ ପାଲ ମାମଲା ପରିଚାଳନା କରୁଥିଲେ।