ଭୁବନେଶ୍ବର : ଓଡ଼ିଶା ସମେତ ସାରା ଦେଶରେ କଠିନ, ଡାକ୍ତରୀ, ପ୍ଲାଷ୍ଟିକ ଆବର୍ଜନାର ପାହାଡ଼ ସୃଷ୍ଟି କରିଛି ଉଦ୍ବେଗଜନକ ସ୍ଥିତି। କିନ୍ତୁ ଏହି ଆବର୍ଜନା ପରିଚାଳନା ପାଇଁ ଉଦ୍ଦିଷ୍ଟ ଆଇନ ରହିଥିଲେ ବି ଏସବୁକୁ ଫୁ କରି ଉଡ଼ାଇ ଦେଉଛନ୍ତି ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାର। ଏ ନେଇ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍, ନୂଆଦିଲ୍ଲୀ କଠୋର ଆଭିମୁଖ୍ୟ ସହିତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଦେଶ ଦେଇଛନ୍ତିି। ଏହି ଆଦେଶ ଅନୁଯାୟୀ ପ୍ରତ୍ୟେକ ରାଜ୍ୟର ମୁଖ୍ୟ ଶାସନ ସଚିବ ନିଜେ ଏ ସମସ୍ତ ପ୍ରକାର ଅଳିଆ ଆବର୍ଜନା ପରିଚାଳନା ଅନୁଧ୍ୟାନ କରିବେ। ନିର୍ଦିଷ୍ଟ ସମୟସୀମା ମଧ୍ୟରେ ଆଇନ ଅନୁଯାୟୀ ପଦକ୍ଷେପ ନେଇ ନିଜେ ଏନ୍ଜିଟିଙ୍କୁ ଅବଗତ କରାଇବେ। ସେ(ମୁଖ୍ୟ ସଚିବ) ଅନ୍ୟ କାହାରିକୁ ଦାୟିତ୍ବ ହସ୍ତାନ୍ତର କରିପାରିବେ ନାହିଁ। ଚଳିତ ମାସ ୩୦ ତାରିଖେର ମୁଖ୍ୟ ସଚିବ ନିଜେ ଉପସ୍ଥିତ ହୋଇ ଅାଦେଶନାମା ପାଳନ ସଂପର୍କିତ ପ୍ରଥମ ତ୍ରୈମାସିକ ରିପୋର୍ଟ ଉପସ୍ଥାପନ କରିବେ।
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୩ଟି ବଡ଼ ସହର, ୩ଟି ଛୋଟ ସହର ଓ ପ୍ରତି ଜିଲ୍ଲାର ୩ଟି ଲେଖାଏଁ ଗ୍ରାମ ପଞ୍ଚାୟତକୁ ଆବର୍ଜନାମୁକ୍ତ କରି ମଡେଲ୍ ବା ଶ୍ରେଷ୍ଠ ଘୋଷଣା କରାଯିବ। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସେହି ସ୍ଥାନଗୁଡ଼ିକୁ ନାମିତ କରି ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର, ବ୍ରହ୍ମପୁର ଓ ରାଉରକେଲା ବଡ଼ ସହର, ଢେଙ୍କାନାଳ, ଯାଜପୁର ଓ ଛତ୍ରପୁର ଭଳି ଅପେକ୍ଷାକୃତ ଛୋଟ ସହର ଏବଂ ପ୍ରତି ଜିଲ୍ଲାର ୩ଟି ଲେଖାଏଁ ୯୦ଟି ଗ୍ରାମ ପଞ୍ଚାୟତକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଆଗାମୀ ୬ ମାସ ଭିତରେ ସେହି ସହର ଓ ଗ୍ରାମ ପଞ୍ଚାୟତଗୁଡ଼ିକୁ ପରିବେଶ ଦୃଷ୍ଟିକୋଣରୁ ମଡେଲ୍ ଭାବେ ଗଢ଼ି ତୋଳିବାକୁ ହେବ। ତେବେ ଏକ ବର୍ଷ ମଧ୍ୟରେ ସମଗ୍ର ରାଜ୍ୟକୁ ଆବର୍ଜନାମୁକ୍ତ କରିବାକୁ ଏନ୍ଜିଟି ଆଦେଶ ଦେଇଛନ୍ତିି।
ଏସବୁ ଅାଦେଶନାମା କେତେଦୂର କାର୍ଯ୍ୟକାରୀ କରାଯାଇଛି ସେ ସଂପର୍କରେ ଜୁନ୍ ୩୦ ତାରିଖରେ ଖୋଦ୍ ମୁଖ୍ୟ ସଚିବ ଏନ୍ଜିଟି, ଦିଲ୍ଲୀରେ ହାଜର ହୋଇ ପ୍ରଥମ ତ୍ରୈମାସିକ ରିପୋର୍ଟ ଏବଂ ଆସନ୍ତା ଅଗଷ୍ଟ ୩୦ ତାରିଖରେ ୨ୟ ତ୍ରୈମାସିକ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟ ସଚିବ ପ୍ରତ୍ୟେକ ମାସରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରି କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରିବେ। ଏଥିପାଇଁ ପ୍ରତ୍ୟେକ ଜିଲ୍ଲାପାଳ ମାସକରେ ଦୁଇଥର ଅଗ୍ରଗତି ତଦାରଖ କରିବେ। ଗ୍ରାମ ପଞ୍ଚାୟତଗୁଡ଼ିକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଆଗାମୀ ଅଗଷ୍ଟ ୧୫ ତାରିଖ ସୁଦ୍ଧା ପଞ୍ଚାୟତିରାଜ ବିଭାଗର ଆଇନ(ବାଇ-ଲ)ରେ ସଂଶୋଧନ କରାଯିବ ବୋଲି ସ୍ଥିର ହୋଇଛି।
ସୂଚନାଯୋଗ୍ୟ, ସମଗ୍ର ରାଜ୍ୟର ୧୧୪ଟି ପୌରାଞ୍ଚଳରେ ମୋଟ ୨୦୨୪ଟି ୱାର୍ଡ ରହିଛି। ସରକାରୀ ତଥ୍ୟ ଅନୁଯାୟୀ ଏ ସମସ୍ତ ୱାର୍ଡରୁ ଉତ୍ପନ୍ନ ହେଉଛି ଦୈନିକ ୨୭୨୧ ଟନ୍ ଆବର୍ଜନା। ୧୮୦୪ଟି ୱାର୍ଡରେ ଘରକୁ ଘର ବୁଲି ଅଳିଆ ଆବର୍ଜନ ସଂଗ୍ରହ କରାଯାଉଛି। ତେବେ ଅଳିଆ ଆବର୍ଜନାରୁ ମାତ୍ର ୩୫ ପ୍ରତିଶତ ପ୍ଲାଷ୍ଟିକ ଓ ଜୈବିକ ଭାଗ ଅଲଗା କରିବା ବ୍ୟବସ୍ଥା ରହିଥିବା ଦର୍ଶାଇଛି ନଗର ଉନ୍ନୟନ ବିଭାଗ। ରାଜ୍ୟର କଟକ, ବ୍ରହ୍ମପୁର ଓ ସମ୍ବଲପୁର ସରକାରୀ ମେଡିକାଲ୍ କେଲଜ ଓ ହସ୍ପିଟାଲ୍ ସହିତ ରାଉରକେଲାର ଇସ୍ପାତ ଜେନେରାଲ୍ ହସ୍ପିଟାଲ୍(ଆଇଜିଏଚ୍)ରେ ଡାକ୍ତରୀ ଆବର୍ଜନା ପରିଚାଳନା ବ୍ୟବସ୍ଥା ରହିଛି। ଖୋର୍ଧାରେ ସାନିଟାରି କ୍ଲିନ୍ ନାମକ ଏକ ଘରୋଇ ସଂସ୍ଥା ଏହି କାର୍ଯ୍ୟ କରୁଥିବା ଦର୍ଶାଇଛି ସ୍ବାସ୍ଥ୍ୟ ବିଭାଗ। ଅନ୍ୟ ସମସ୍ତ ସହରାଞ୍ଚଳ ଡାକ୍ତରଖାନାରେ ଉତ୍ପନ୍ନ ହେଉଥିବା ଡାକ୍ତରୀ ଆବର୍ଜନା ଭାବେ ପରିଚାଳନା ହୋଇପାରୁ ନାହିଁ। କଠିନ ଆବର୍ଜନା ଭାବେ ସେଗୁଡ଼ିକୁ ବିପଦ୍ଜନକ ଭାବେ ଫୋପାଡ଼ି ଦିଆଯାଉଛି। ଏଥିରୁ ଆଗାମୀ ୬ ମାସରେ କିପରି ଛୋଟବଡ଼ ହୋଇ ୬ଟି ସହରାଞ୍ଚଳରେ ସବୁ ପ୍ରକାର ଆବର୍ଜନା କିପରି ପରିଚାଳନା ହୋଇପାରିବ ସେ ନେଇ ସନ୍ଦେହ ପ୍ରକାଶ ପାଇବା ସ୍ବାଭାବିକ।