ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ଘଟଣା: ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ବାଲେଶ୍ବର: ମାନବଅଧିକାର ଉଲଙ୍ଘନ ଅଭିଯୋଗରେ ଜାତୀୟ ମାନବାଧିକାର କମିଶନ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍‌ ଜରିଆରେ ଆଜି ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ସୂଚନା ମୁତାବକ, ୨୦୨୦ ମସିହାରେ ଖଇରା ବ୍ଲକ୍ ବାନପୁର ଗ୍ରାମର ନିରଂଜନ ପତିଙ୍କ ପୁଅ ଚନ୍ଦ୍ରକାନ୍ତ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଜାମକୋଳି ଗଛରୁ କୋଳି ତୋଳୁଥିଲେ। ଗଛରେ ଚଢ଼ି ଜାମକୋଳି ତୋଳିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା। ବିଦ୍ୟୁତ୍‌ ବିଭାଗର ଅବହେଳା ପାଇଁ ଚନ୍ଦ୍ରକାନ୍ତଙ୍କର ମୃତ୍ୟୁ ହୋଇଥିବାରୁ ତାଙ୍କୁ ବିଭାଗ ପକ୍ଷରୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ହେଲେ ଘଟଣାକୁ ନେଇ କଳାହାଣ୍ଡି ଜିଲ୍ଲାର ଦିଲ୍ଲୀପ କୁମାର ଦାସ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। ୨୦୮୫/୧୮/୧୮/୨୦୨୦ ରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା। ପରେ ମାନବାଧିକାର କମିଶନ ଅଗଷ୍ଟ ୩୧ ତାରିଖରେ ବିଦ୍ୟୁତ୍‌ ବିଭାଗ ସଚିବଙ୍କୁ ନୋଟିସ୍‌ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ବିଭାଗ ପକ୍ଷରୁ କୌଣସି ରିପୋର୍ଟ ନ ଆସିବାରୁ ପୁଣି ୨୨ ଫେବ୍ରୁଆରି ୨୦୨୧ରେ ଏକ ରିମାଇଣ୍ଡର ଲେଟର କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟ ଭିତ‌ରେ ମୁଖ୍ୟ ସଚିବ ରିପୋର୍ଟ ନ ଦେଇ ଅଗଷ୍ଟ ୨୫ ତାରିଖରେ ରିପୋର୍ଟ ଦେଇଥିଲେ। ଖୁଣ୍ଟ ଦୁର୍ବଳ ଥିବା ସହିତ ଗଛ ଆଢ଼ୁଆଳରେ ଖୁଣ୍ଟଟି ଲୁଚିଯାଇଥିଲା। ଏଥିରେ ଆର୍ଥିଂ ନ ଥିଲା। ମୃତ ଚନ୍ଦ୍ରକାନ୍ତଙ୍କ ପରିବାରକୁ କମ୍ପାନି ପକ୍ଷରୁ ୧ ଲକ୍ଷ ଟଙ୍କା ଦିଆଯାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଥିଲା। ତେବେ ଏହି ରିପୋର୍ଟକୁ ମାନବାଧିକାର କମିଶନ ତର୍ଜମା କରି ଉକ୍ତ ପରିବାରକୁ ଆବଶ୍ୟକ ଟଙ୍କା ଦିଆଯାଇ ନାହିଁ ବୋଲି କହିଥିଲେ। ଆଉ ୨ ଲକ୍ଷ ଟଙ୍କା କାହିଁକି ଦିଆ ନ ଯିବ ମୁଖ୍ୟ ସଚିବଙ୍କୁ କୈଫିୟତ୍‌ ମଗାଯାଇଥିଲା।

ଏଥିରେ ବିଦ୍ୟୁତ୍‌ ବିଦ୍ୟୁତ୍‌ ବିଭାଗର କୌଣସି ଦୋଷ ନଥିବା ରିପୋର୍ଟରେ ଦର୍ଶାଯାଇଥିଲା। ମାନବୀୟ ଦୃଷ୍ଟି‌କୋଣରୁ ୧ ଲକ୍ଷ ଟଙ୍କା ଦିଆଯାଇଛି ବୋଲି ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସଫେଇ ଦିଆଯାଇଥିଲ। କିନ୍ତୁ ଏହି ରିପୋର୍ଟ ମାନବ ଅଧିକାର କମିଶନ ଖାରଜ କରିବା ସହିତ ଏଥିପାଇଁ ସରକାରୀ କଳ ସଂପୂର୍ଣ୍ଣ ଦାୟୀ ଏବଂ କ୍ଷତିପୂରଣ ବାବଦକୁ ମୃତ ଚନ୍ଦ୍ରକାନ୍ତ ପରିବାରକୁ ଆଉ ୨ ଲକ୍ଷ ଟଙ୍କା ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରି ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୬ ସପ୍ତାହ ମଧ୍ୟରେ ପ୍ରମାଣ ସହ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର