କଟକ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନ‌ାଟ ମଣ୍ଡପ ଭିତର ଫଟା ବିମ୍‌କୁ ତୁରନ୍ତ ମରାମତି କରିବାକୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ନିର୍ଦ୍ଦେଶ ଦିଆଯାଉ ଦର୍ଶାଇ ହାଇକୋର୍ଟରେ ଏକ ଅନ୍ତରୀଣ ଆବେଦନ ଦାୟର କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ମରାମତି ଓ ସଂରକ୍ଷଣ ପ୍ରସଙ୍ଗକୁ ନେଇ ୨୦୧୬ରୁ ବିଚାରାଧୀନ ଥିବା ଜନସ୍ବାର୍ଥ ମାମଲାରେ ଆବେଦନକାରୀ ଅଭିଷେକ ଦାସଙ୍କ ତରଫରୁ ଦାୟର ଅନ୍ତରୀଣ ଆବେଦନରେ ଦର୍ଶାଯାଇଛି ଯେ ପୂର୍ବରୁ ଏଏସଆଇ ହାଇକୋର୍ଟରେ ଦାଖଲ କରିଥିବା ତଥ୍ୟରେ ନାଟମଣ୍ଡପ ମରାମତି କାର୍ଯ୍ୟ ସମ୍ପାଦନ କରାଯାଇଛି ବୋଲି କୁହାଯାଇଥିଲା। ନାଟ ମଣ୍ଡପ ପ୍ରତି କୌଣସି ବଡ଼ ବିପଦ ପ୍ରସଙ୍ଗରେ ଏଏସଆଇ କେବେ କହି ନଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ୨୦୨୩, ଅଗଷ୍ଟ ୧୪ରେ ଆମିକସ୍ କ୍ୟୁରି ଦାଖଲ କରିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ ନାଟ ମଣ୍ଡପ ଭିତର ଫଟା ବିମ୍‌ ସଙ୍କଟାପନ୍ନ ଅବସ୍ଥାରେ ରହିଛି, ଯେକୌଣସି ସମୟରେ ଆକସ୍ମିକ ଦୁର୍ଘଟଣା ହୋଇପାରେ। ଏଭଳି ସ୍ଥିତିରେ ତୁରନ୍ତ ନାଟମଣ୍ଡପର ଫଟା ବିମ୍‌ର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଅନ୍ତରୀଣ ଆବେଦନରେ ଉଲ୍ଲେଖ କରାଯାଇଛି। ପ୍ରତି ମାସରେ ମରାମତି କାର୍ଯ୍ୟର ଅଗ୍ରଗତି ନେଇ ରିପୋର୍ଟ ଦାଖଲ ପାଇଁ ଏଏସଆଇକୁ କୁହାଯିବା ଆବଶ୍ୟକ।

Advertisment

ଏଏସଆଇ ପକ୍ଷରୁ ନାଟମଣ୍ଡପ ଫଟା ବିମ୍‌ ଓ ଅନ୍ୟାନ୍ୟ ଦୁର୍ବଳ ଢାଞ୍ଚାର ମରାମତି ଓ ସଂରକ୍ଷଣ ପ୍ରସଙ୍ଗରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପର ନିୟମିତ ବ୍ୟବଧାନରେ ଅନୁଧ୍ୟାନ କରି ଆମିକସ୍ କ୍ୟୁରି ଷ୍ଟାଟସ ରିପୋର୍ଟ ଅଦାଲତରେ ଦାଖଲ କରିବା ଉଚିତ। ଶ୍ରୀଜଗନ୍ନାଥ ମନ୍ଦିରର ନାଟମଣ୍ଡପ ଓ ଅନ୍ୟ ମରାମତି କାର୍ଯ୍ୟ ନେଇ ପ୍ରତି ମାସରେ ରିପୋର୍ଟ ଦାଖଲ ପାଇଁ ଏଏସଆଇ ଓ ଆମିକସ୍ କ୍ୟୁରିଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଅନ୍ତରୀଣ ଆବେଦନରେ ଉଲ୍ଲେଖ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ଏ ସମ୍ପର୍କିତ ମୂଳ ଜନସ୍ବାର୍ଥ ଆବେଦନର ସେପ୍ଟେମ୍ବର ୧୩ରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ହାଇକୋର୍ଟରେ ଦାଖଲ ଆମିକସ୍ କ୍ୟୁରି ଇଞ୍ଜିନିୟର୍‌ ଏନ.କେ. ମହାନ୍ତିଙ୍କ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଅଗଷ୍ଟ ୧୧ରେ ମରାମତି ଓ ସଂରକ୍ଷଣ କାର୍ଯ୍ୟ ପ୍ରସଙ୍ଗରେ ଆମିକସ୍ କ୍ୟୁରି ଏଏସ୍‌ଆଇ କର୍ତ୍ତୃପକ୍ଷ, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏସ୍‌ଇଙ୍କ ସହିତ ଆଲୋଚନା କରିଥିଲେ। ନାଟମଣ୍ଡପର ଫାଟି ଯାଇଥିବା ବିମ୍ ମରାମତି ପ୍ରସଙ୍ଗରେ ଆମିକସ୍ କ୍ୟୁରି ମଧ୍ୟ ପୂର୍ବରୁ ଏଏସ୍‌ଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିଥିଲେ। ୨୦୧୮, ଅଗଷ୍ଟରୁ ଏହି ପ୍ରସଙ୍ଗ ବିଚାରାଧୀନ ରହିଛି। ନାଟମଣ୍ଡପ ମରାମତି କାର୍ଯ୍ୟକୁ ଗୁରୁତ୍ବର ସହିତ ନିଆଯିବ ବୋଲି ଏଏସ୍‌ଆଇ ଡିଜି ପ୍ରତିଶ୍ରୁତି ଦେଇଥିଲେ। ନାଟମଣ୍ଡପ ଫଟା ବିମ୍‌ର ମରାମତି ଅଗ୍ରାଧିକାର ଭିତ୍ତିରେ କରିବା ପାଇଁ ଅଗଷ୍ଟ ୧୧ରେ ଆମିକସ୍ କ୍ୟୁରିଙ୍କ ତରଫରୁ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅନୁରୋଧ କରାଯାଇଥିଲା। ଆର୍‌ଆଣ୍ଡବି ସର୍ବୋଚ୍ଚ ଯନ୍ତ୍ରୀ ଓ ଅନ୍ୟ ବିଶେଷଜ୍ଞଙ୍କ ମଧ୍ୟରେ ଗତ ଜୁନ୍‌ରେ ନାଟ ମଣ୍ଡପର ଫଟା ବିମ୍ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା। ନାଟ ମଣ୍ଡପର ଉଭୟ ପଟ ମଧ୍ୟରେ ଏହି ବିମ୍ କାଣ୍ଟିଲିଭର୍‌ ଭାବେ କାର୍ଯ୍ୟ କରୁଥିବାରୁ ଯେକୌଣସି ସମୟରେ ଆକସ୍ମିକ ଦୁର୍ଘଟଣା ହୋଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ଓ ଏଏସ୍‌ଆଇ ତରଫରୁ ଆଇନଜୀବୀ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।