ଦେଢ଼ବର୍ଷ ମଧ୍ୟରେ ମେଗା ପାନୀୟଜଳ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

ବାଲିଆପାଳ: ଗ୍ରାମାଞ୍ଚଳରେ ଦୂର ହେବ ପିଇବା ପାଣି ସମସ୍ୟା। ଆଗାମୀ ୫୦ ବର୍ଷକୁ ଆଖି ଆଗରେ ରଖି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରେ ନିର୍ମାଣ ହେବାକୁ ଯାଉଛି ଏକ ମେଗା ପାନୀୟ ଜଳ ପ୍ରକଳ୍ପ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ବାଲିଆପାଳ ବ୍ଲକର ୨୮ଟି ପଞ୍ଚାୟତ ମଧ୍ୟରୁ ୨୧ ପଞ୍ଚାୟତବାସୀଙ୍କ ପିଇବା ପାଣିର ସମସ୍ୟା ଦୂର ହେବ ବୋଲି ସୂଚନା ଦିଆଯାଇଛି।

୧୭୫ କୋଟି ଟଙ୍କାରେ ବାଲିଆପାଳ ବ୍ଲକରେ ନିର୍ମାଣ ହେବାକୁ ଥିବା ଏହି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟର ଆଜି ସମୀକ୍ଷ‌ା କରିଥିଲେ ବାଲେଶ୍ୱରର ପୂର୍ବତନ ସାଂସଦ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଇଂ ରବୀନ୍ଦ୍ର କୁମାର ଜେନା।

ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ସୁବର୍ଣ୍ଣରେଖା ନଦୀରେ ଏହି ପ୍ରକଳ୍ପ କାମ ଖୁବ୍‌ଶୀଘ୍ର ଆରମ୍ଭ ହୋଇଯିବ। ବାଲିଆପାଳ ବ୍ଲକରେ ପାନୀୟ ଜଳର ଉତ୍କଟ ସମସ୍ୟା ରହିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏହି ବ୍ଲକର ୧୪୪ଟି ଗାଁର ୧ ଲକ୍ଷ ୭୬ ହଜାର ଜନସାଧାରଣ ଉପକୃତ ହେବେ। ଏଥିପାଇଁ ୨୧ଟି ପଞ୍ଚାୟତରେ ୨୨ଟି ଉଚ୍ଚ କ୍ଷମତା ସମ୍ପନ୍ନ ଟାଙ୍କି ନିର୍ମାଣ ହେବ। ଟାଙ୍କି ନିର୍ମାଣ ହେବାକୁ ଥିବା ସ୍ଥାନ ଚିହ୍ନଟ ପ୍ରକ୍ରିୟା ସରିଛି। ସେହିପରି ଏହି ପାନୀୟ ଜଳ ଯୋଗାଣ ପାଇଁ ୨୧ଟି ପଞ୍ଚାୟତରେ ୪୭୫ କିଲୋମିଟର ପାଇପ୍‌ ବିଛାଯିବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସରି ମୁମ୍ବାଇ ବ୍ଲୁ-ଷ୍ଟାର କମ୍ପାନି କାର୍ଯ୍ୟ କରିବା ପାଇଁ ମନୋନୀତ ହୋଇଥିବା ବେଳେ  କାମ କାହିଁକି ଆରମ୍ଭ ‌ହେଉନାହିଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା। ତେବେ ଆସନ୍ତା ମେ ପ୍ରଥମ ସପ୍ତାହରୁ କାମ ଆରମ୍ଭ ହୋଇ ଦେଢ଼ବର୍ଷ ମଧ୍ୟରେ ଶେଷ କରିବାକୁ ସମ୍ପୃକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି।

ଏହି ସମୀକ୍ଷା ବୈଠକରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ବ୍ଲକ ସଭାପତି ଗୋବିନ୍ଦ ପ୍ରସାଦ ଦାସ, ଜିଲ୍ଲା ପରିଷଦ ସଭ୍ୟ ନିଶାକର ସେଠୀ, ବେଣୁଧର ଜେନା, ବିଜେଡି ନେତା ବଳରାମ ସାହୁ, ଶଶଧର ପ୍ରଧାନ, ହାଡ଼ିବନ୍ଧୁ ରାଉତ, ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ସମୀର ଦେ, ନିର୍ବାହୀ ଯନ୍ତ୍ରୀ ଶେଷନାଗ ପ୍ରଧାନ ଏବଂ ସହକାରୀ ଯନ୍ତ୍ରୀ ସରୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର