ଭୁବନେଶ୍ବର : ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ବିଜୁ ଏକ୍ସପ୍ରେସ୍ ୱେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି।
ବିଭିନ୍ନ ରାସ୍ତା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ସମସ୍ୟା ଦେଖାଦେଉଥିବାରୁ ଏହାର ତ୍ବରିତ ସମାଧାନ କରିବା ନେଇ ଶ୍ରୀ ସାହୁ ଭର୍ଚୁଆଲ ମୋଡରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏଥିରେ ରାଜସ୍ବ, ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ, ଜମି ଅଧିଗ୍ରହଣ ଅଧିକାରୀ, ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ, ଜୋନ୍ ଅଧିକାରୀ, ଏନ୍ଏଚ୍ଏଆଇର ବରିଷ୍ଠ ଅଧିକାରୀମାନେ ଯୋଗଦେଇ କ୍ଷେତ୍ରସ୍ତରରେ ଦେଖାଯାଉଥିବା ସମସ୍ୟା ବିଷୟରେ କହିଥିଲେ। ଏହାପରେ ଅତିରିକ୍ତ ମୁଖ୍ୟ ସଚିବ ଜାତୀୟ ରାଜପଥ କାର୍ଯ୍ୟରେ ବ୍ୟବହାର ହେଉଥିବା ଲଘୁ ଖଣିଜ ସମ୍ପଦ ଆଇନ ଅନୁଯାୟୀ ଧାର୍ଯ୍ୟ ରୟାଲଟି ଦେଇ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସମସ୍ତ ଲଘୁ ଖଣିଜ ସମ୍ପଦ ପ୍ରାଧିକୃତ ଲଘୁ ଖଣିଜ ଉତ୍ସରୁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ବିଷୟରେ ଜାତୀୟ ରାଜପଥ ପ୍ରାଧିକରଣରେ ସମସ୍ତ ଠିକାଦାରମାନଙ୍କୁ ସମ୍ବେଦନଶୀଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କଟକ ଓ ଅନୁଗୁଳ ମଧ୍ୟରେ ତୁରନ୍ତ ଜାତୀୟ ରାଜପଥ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ କୁହାଯାଇଛି। ଏହାସହ ବିଭିନ୍ନ ପ୍ରକଳ୍ପରେ କମ୍ ସମୟରେ ଜମି ଅଧିଗ୍ରହଣ ଶେଷ ହୋଇଥିବାରୁ ଶ୍ରୀ ସାହୁ ସନ୍ତୋଷ ପ୍ରକାଶ କରିଛନ୍ତି।