ସୁନା କିରୀଟ ଭାଙ୍ଗିବା ଘଟଣାର ତଦନ୍ତ ନିର୍ଦ୍ଦେଶ

ପୁରୀ : ଗତକାଲି ସୁନାବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭଙ୍ଗା ସୁନାର କିରୀଟ ପରିଧାନ କରାଯାଇଥିଲା। ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ଶ୍ରୀଜଗନ୍ନାଥଙ୍କ ସୁନାର କିରୀଟ ଅକ୍ଷତ ଆସିଥିଲେ ବି ଲାଗି ‌ବେଳକୁ ଏହା ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା। ଭଙ୍ଗା କିରୀଟକୁ ଲୁଚାଇବା ପାଇଁ ଭାଙ୍ଗିଥିବା ପାଖୁଡ଼ା(କିଆ) ସ୍ଥାନରେ ଧଳା ଫୁଲର ମାଳ ଟାଙ୍ଗି ଦିଆଯାଇଥିଲା। ଯାହା ଭକ୍ତ ତଥା ସେବାୟତ ମହଲଙ୍କୁ ଆନ୍ଦୋଳିତ କରିଥିଲା। କେଉଁଭଳି ପରିସ୍ଥିତିରେ ଏହି ଭଙ୍ଗା ସୁନା କିରୀଟ ମହାପ୍ରଭୁଙ୍କୁ ଲାଗି ହେଲା, ତାହାର ତଦନ୍ତ ଦାବି କରିଥିଲେ।

ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି ଯେ ଗତକାଲି ଲାଗିବେଳେ ମହାପ୍ରଭୁଙ୍କ ସୁନାର କିରୀଟ ଭାଙ୍ଗି ଯାଇଥିଲା। ଏହାର ଭଗ୍ନ ଅଂଶ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଭଣ୍ଡାର ମେକାପଙ୍କୁ ହସ୍ତାନ୍ତର କରିଛନ୍ତି। ଭଣ୍ଡାର ମେକାପ ଏହାକୁ ନିଜ ଦାୟିତ୍ବରେ ରଖିଛନ୍ତି। ପରବର୍ତ୍ତୀ ସମୟରେ ବୈଠକ ବସି ଏହାର ଆବଶ୍ୟକ ମରାମତି କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି। ସେପଟେ ସୁବର୍ଣ୍ଣର ନୂଆ ସୂର୍ଯ୍ୟ-ଚନ୍ଦ୍ର, ତଡ଼ଗି ଚଳିତ ବର୍ଷ ରଥଯାତ୍ରାରେ ଶ୍ରୀଜିଉଙ୍କୁ ଲାଗି ହୋଇଥିଲା। ନୂଆ ଝୋବା ବି ମହାପ୍ରଭୁଙ୍କୁ ଲାଗି ହୋଇ ସାରିଛି। ଏ ଭିତରେ ଶ୍ରୀଜିଉଙ୍କ ଶ୍ରୀଭୁଜ ମରାମତି ଚାଲିଛି। ଗୋଟିଏ ଶ୍ରୀଭୁଜ ମରାମତି ଶେଷ ହୋଇଛି। ବାକି ତିନୋଟି ଶ୍ରୀଭୁଜର ମରାମତି ରଥଯାତ୍ରା ପରେ ହେବ। ଅନ୍ୟ ଅଳଙ୍କାର ପର୍ଯ୍ୟାୟକ୍ରମେ ମରାମତି ହେବ। ଦାତା ଦେଉଥିବା ସୁନା, ରୁପାରେ ଏହି ମରାମତି କାର୍ଯ୍ୟ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର