କରୋନା ଟିକା ବିକ୍ରି ଘଟଣାର ତଦନ୍ତ ନିର୍ଦ୍ଦେଶ

ହାଟଡ଼ିହି : ଟିକାଦାନ କେନ୍ଦ୍ରକୁ ଯିବା ବାଟରେ ଟିକା ବିକ୍ରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଶୋକ ଦାସ। ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସିଡିଏମ୍ଓ ପ୍ରକାଶ କରିଛନ୍ତି।

ଗତକାଲି କିଛି କର୍ମଚାରୀ ଟିକା ଦେବାକୁ ହାଟଡିହି ବ୍ଲକ ଡଅଁର ପଞ୍ଚାୟତ ସରଳା ପ୍ରାଥମିକ ବିଦ୍ୟାଳୟ ଟିକାକରଣ କେନ୍ଦ୍ରକୁ ଯାଉଥିବା ସମୟରେ ବାଟରୁ କିଛି ଟିକାକୁ ବିକିଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଟିକାକରଣ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା। ୧୨୦ଜଣଙ୍କୁ ଟିକା ଦେବାପାଇଁ ୧୨ଟି ଭାଏଲ ଆସିଥିବାବେଳେ ୧୧ଟି ସିଲ ଥିଲା। ଗୋଟିଏ ଭାଏଲ ଖୋଲାଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖିବା ପରେ ଲୋକଙ୍କ ମନରେ ସନ୍ଦେହ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ କର୍ମଚାରୀମାନେ ଏନେଇ ଗ୍ରାମବାସୀଙ୍କୁ ଲିଖିତ ଭାବେ ଦେବାପରେ ଯାଇ ଟିକାକରଣ ହୋଇଥିଲା। ମାତ୍ର ୯୮ଜଣଙ୍କୁ ଟିକାଦେବା ପରେ ୧୮ରୁ୪୪ବର୍ଷର ଲୋକଙ୍କୁ ଟିକା ନଦେଇ ଫେରାଇ ଦିଆଯାଇଥିଲା। ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଗାଁ ମୁଣ୍ଡକୁ ଯାଇ ଏକ ଆଦିବାସୀ ବସ୍ତିରେ ୩୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଟିକା ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କର୍ମଚାରୀଙ୍କ ଏପରି କଳାକାରନାମାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମର ଦେବେନ୍ଦ୍ର କୁମାର ଜେନା, ରୁଦ୍ରନାରାୟଣ ସା, ସୌମ୍ୟରଞ୍ଜନ ଜେନା, ସରୋଜ କୁମାର ପଟ୍ଟନାୟକ, ଅନନ୍ତ ବରାଳ, ରଙ୍ଗାଧର ଜେନା, ସନ୍ତୋଷ କୁମାର ପରିଡ଼ା, ପଦ୍ମନାଭ ଜେନା, ଅଭୟ କୁମାର ଜେନା, ଶଭେନ୍ଦୁ କୁମାର ଜେନା, ବାଇଧର ଜେନା, ଅଭିମନ୍ୟୁ ପରିଡ଼ା, ଚିନ୍ତାମଣି ମୁଦୁଲି, ଶରତ ନାୟକ ପ୍ରମୁଖ ଗ୍ରାମବାସୀ ଦାବି କରିଥିଲେ। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶନ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର